ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ପ୍ରମୁଖ ବ୍ୟସ୍ତବହୁଳ ଧାମନଗର-ଦୋବଲ ପୂର୍ତ ବିଭାଗ ରାସ୍ତାଟି ଏବେ ବେଆଇନ ବାଲି ଷ୍ଟକ ୟାର୍ଡରେ ପରିଣତ ହୋଇଛି। ଧାମନଗର ମହାବିଦ୍ଯାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କମ୍ପ୍ୟୁଟର ସେଂଟର ନିକଟସ୍ଥ ନାଳ ଉପର କଂକ୍ରିଟ୍ ପୋଲକୁ ବେଆଇନ ବାଲି ଷ୍ଟକୟାର୍ଡ କରାଯାଇଛି। ସ୍ଥାନୀୟ କିଛି ବାଲି ବେପାରୀ ଦୈନିକ ରାତିରେ ଯାଜପୁର ଓ ଏହାର ଆଖପାଖ ଅଞ୍ଚଳରୁ ଚୋରାରେ ବାଲି ଆଣି ଏହି ଜନବହୁଳ ପୋଲ ଉପରେ ଅନ ଲୋଡ୍ କରୁଛନ୍ତି। ପ୍ରତିଦିନ ହାଇୱା ଗାଡ଼ି ଯୋଗେ ୩ ରୁ ୪ ଟ୍ରିପ ବାଲି ଅଣାଯାଇ ଏଠାରେ ଗଦା କରାଯାଉଥିବାବେଳେ ପରବର୍ତୀ ସମୟରେ ଏହାକୁ ଟ୍ରାକ୍ଟର ଏବଂ ମିନି ଟ୍ରକରେ ଲୋଡ କରି ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଉଛି।ପ୍ରାୟ ୨୦ ଫୁଟ୍ ଚଉଡ଼ା ବିଶିଷ୍ଟ ଏହି ପୋଲର ବାମ ପଟେ ପ୍ରାୟ ୧୦ ଫୁଟ୍ ଜାଗାରେ ବାଲି ଗଦା କରାଯିବା ଯୋଗୁଁ ରାସ୍ତାଟି ସଂକୁଚିତ ହୋଇପଡ଼ିଛି ଏବଂ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଛି। ସବୁଠାରୁ ଚିନ୍ତାର ବିଷୟ ଯେ, ଏହି ପୋଲ ନିକଟରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି। ଏଠାରେ ପଢୁଥିବା ଅଧିକାଂଶ କୁନି କୁନି ପିଲା ଡେ-ସ୍କୋଲାର୍ ହୋଇଥିବାବେଳେ ସେମାନଙ୍କ ଅଭିଭାବକ, ବିଶେଷକରି ମା’ମାନେ ନୂଆକରି ସ୍କୁଟି ଚଳାଇ ଶିଖୁଥିବା ଅବସ୍ଥାରେ ପିଲାଙ୍କୁ ଆଣିବା ସମୟରେ ଭୟଭୀତ ହେଉଛନ୍ତି। ରାସ୍ତା ଉପରେ ପଡ଼ିଥିବା ବାଲିରେ ସ୍କୁଟିର ଚକ ପଡ଼ିବାମାତ୍ରେ ସ୍ଲିପ୍ କରିଯାଉଛି, ଯାହାଫଳରେ ଅଭିଭାବକ ଓ ଛୋଟ ପିଲାମାନେ ନିୟମିତ ଭାବେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ପୋଲ ଠାରୁ ଅଳ୍ପ ଦୂରରେ ଧାମନଗର ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ଏବଂ ଧାମନଗର ମହାବିଦ୍ୟାଳୟ ଅବସ୍ଥିତ ଥିବାରୁ ଦିନତମାମ ଏହି ରାସ୍ତାରେ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ପ୍ରବଳ ଭିଡ଼ ରହିଥାଏ। ଏହା ବ୍ୟତୀତ ଏହି ରାସ୍ତାଟି ଦୋବଲ, ଆନନ୍ଦପୁର, ଖଡ଼ିପଦା, ପଧାନି, ମୁସ୍ତଫାପୁର ଏବଂ କୁରିଗାଁ ଆଦି ବହୁ ପଂଚାୟତର ହଜାର ହଜାର ଲୋକଙ୍କ ଏକମାତ୍ର ନିତିଦିନିଆ ଯାତାୟାତର ମାଧ୍ୟମ। କେବଳ ବାଲି ବେପାରୀଙ୍କ ଅର୍ଥଲୋଭ ଓ ସ୍ୱାର୍ଥ ପାଇଁ ଆଜି ହଜାର ହଜାର ସାଧାରଣ ଜନତା ହଇରାଣ ହେଉଛନ୍ତି। ଏହି ରାସ୍ତାଟି ବିଭିନ୍ନ ବାଲିଘାଟକୁ ସଂଯୋଗ କରୁଥିବାରୁ ପୂର୍ବରୁ ହିଁ ଏଠାରେ ଅନେକ ହାଇୱା ଏବଂ ବାଲି ବୋଝେଇ ଟ୍ରକ୍ ଯାତାୟାତ କରିଥାନ୍ତି। ବର୍ତମାନ ଏହି ଅବୈଧ ବାଲି ଗଦା ଯୋଗୁଁ ରାସ୍ତା ଅବରୋଧ ହେବା ସହ ଅଯଥା ଟ୍ରାଫିକ୍ ଜାମ୍ ଏବଂ ଭୟାନକ ପରିସ୍ଥିତି ସୃଷ୍ଟି ହେଉଛି। ରାସ୍ତାରେ ବାଲିର ଆସ୍ତରଣ ଜମି ରହିଥିବାରୁ ଦୁଇ ଚକିଆ ଯାନ ଆରୋହୀ, ବିଶେଷକରି ବାଇକ୍ ଓ ସ୍କୁଟି ଚାଳକମାନେ ବଡ଼ଧରଣର ଦୁର୍ଘଟଣାର ଶିକାର ହେଉଛନ୍ତି। ଚଳିତ ବର୍ଷ ଆରମ୍ଭରେ ଜାନୁଆରି ୬ ତାରିଖରେ ପିପିଲି ମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେ ଜାତୀୟ ରାଜପଥ ଉପରେ ସମାନ ପରିସ୍ଥିତିରେ ସ୍କୁଟି ସ୍ଲିପ୍ ହୋଇଯିବାରୁ ଏକ ଯାତ୍ରୀବାହୀ ବସ୍ ଚଢ଼ିଯିବାରୁ ଜଣେ ସାମ୍ବାଦିକାଙ୍କ ସମେତ ମୋଟ ଦୁଇ ଜଣଙ୍କର ପ୍ରାଣହାନୀ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାର ସ୍ମୃତି ମନରୁ ଲିଭିନଥିବା ବେଳେ ଧାମନଗରର ଏହି ଶିକ୍ଷାନୁଷ୍ଠାନ ଏବଂ ଜନବହୁଳ ଅଂଚଳରେ ସେଭଳି କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏବଂ ପୂର୍ତ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ବେଆଇନ ବାଲି ଗଦାକୁ ଉଚ୍ଛେଦ କରାଯିବା ସହିତ ରାସ୍ତା ଉପରେ ବାଲି ଅନଲୋଡ୍ କରୁଥିବା ଅସାଧୁ ବେପାରୀମାନଙ୍କ ବିରୋଧରେ କଠିନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏ ଦିଗରେ ଧାମନଗର ତହସିଲଦାର ଜ୍ଞାନ ରଞ୍ଜନ ସାହୁ ଙ୍କ ସହ ଯୋଗାଯୋଗ କରିବାରୁ ଦିଗରେ ପଦକ୍ଷେପ ନେବାକୁ କହିଥିଲେ।
Home ଜିଲ୍ଲା ପରିକ୍ରମା ଧାମନଗର-ଦୋବଲ ପୂର୍ତ ବିଭାଗ ରାସ୍ତା ପାଲଟିଛି ବାଲି ଷ୍ଟକୟାର୍ଡ,ପ୍ରଶାସନିକ ନୀରବତା ଯୋଗୁଁ ବଢୁଛି ଦୁର୍ଘଟଣା ଆଶଙ୍କା








