Home ଜିଲ୍ଲା ପରିକ୍ରମା ଧାମନଗର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା, ମାତୃଶକ୍ତି ଓ ଯୁବଶକ୍ତି ବିଜେପିକୁ...

ଧାମନଗର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା, ମାତୃଶକ୍ତି ଓ ଯୁବଶକ୍ତି ବିଜେପିକୁ ବିଜୟୀ କରିବ- ଧର୍ମେନ୍ଦ୍ର ପ୍ରଧାନ

61

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ଆମ ଦଳ ବିଜେପିକୁ ବିଜୟୀ କରିବ। ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ ବିଜୟ ହେବ ବୋଲି ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧମାନଗର ନିର୍ବାଚନ ମଣ୍ଡଳୀର ଦୋବଲ ବଜାରରୁ ପ୍ରଥମେ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ, ଅସୁରାଳି ଓ ସହୀଦ ନଗରର ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ସୁରଜଙ୍କୁ ଭୋଟ୍ ଦେବା ପାଇଁ ନାଗରିକଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସ୍ୱାଭିମାନୀ ଧାମନଗର ଜନତାଙ୍କ ବିଜେପି ପ୍ରତି ଆସ୍ଥା ଅବର୍ଣ୍ଣନୀୟ। ଧାମନଗରର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢିଛି। ଆଜିର ପଦଯାତ୍ରାରେ ଦିବଂଗତ ବିଷ୍ଣୁ ସେଠୀ, ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଓ ବରିଷ୍ଠ ନେତା ମନମୋହନ ସାମଲଙ୍କ ପ୍ରତି ଥିବା ଶ୍ରଦ୍ଧା ପ୍ରତିଫଳିତ ହୋଇଛି। ବିଶେଷ ଭାବରେ ମାଆ ମାନେ ରାସ୍ତାକୁ ଆସି ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବାବେଳେ ଯୁବଶକ୍ତି ସହଯୋଗୀ ହୋଇଛନ୍ତି। ସ୍ୱର୍ଗତଃ ବିଷ୍ଣୁ ଭାଇ ଏ ଅଂଚଳର ଦରଦୀ, ପରିଶ୍ରମୀ ଓ ପାରଦର୍ଶୀ ନେତା ଥିଲେ। ତାଙ୍କର ଲୋକପ୍ରିୟତା ଓ ବିଜେପି ପ୍ରତି ଥିବା ଧାମନଗରବାସୀଙ୍କ ବିଶ୍ୱାସ ଆଗରେ ଶାସକ ଦଳର ଅପପ୍ରଚାର କାମ ଦେବ ନାହିଁ। ଧାମନଗରର ଜନତା ପୁନର୍ବାର ଭାରତୀୟ ଜନତା ପାର୍ଟିକୁ ଜିତାଇବେ ଓ ମୋଦି ସରକାରଙ୍କ ବିକାଶରେ ଭାଗିଦାରୀ ହେବେ।

ରାଜ୍ୟରେ ଦୀର୍ଘ ୨୨ ବର୍ଷ ଶାସନରେ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ଲୋକମାନଙ୍କ ପାଇଁ ଅନେକ ମୌଳିକ ସୁବିଧା ନାହିଁ। ଧାମନଗରର ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ଶାସକ ଦଳ ପ୍ରତି ଆଉ ଜନ ସମର୍ଥନ ନାହିଁ। ଏଥିପାଇଁ ବିଭିନ୍ନ ଅପପ୍ରଚାର କରାଯାଇ ନିର୍ବାଚନକୁ ପ୍ରଭାବିତ କରିବାର ଅପଚେଷ୍ଟା କରାଯାଉଛି। ପ୍ରଜାତନ୍ତ୍ରରେ ଅହଙ୍କାର କରିବା ଠିକ୍ ନୁହେଁ। ଦୁର୍ଯ୍ୟୋଧନ ଓ ରାବଣର ଅହଙ୍କାରକୁ ବାନର ସେନା ପରାଜିତ କରିଥିଲେ। ମାଆ ଓ ଯୁବ ଭୋଟରମାନେ ବିଜେପିକୁ ଭୋଟ୍ ଦେଇ ଶାସକ ଦଳର ଅହଙ୍କାର ଭାଙ୍ଗିବେ। ଜନଆସ୍ଥା ଦ୍ୱାରା ଏଡି ଉପନିର୍ବାଚନରେ ବିଜେପିର ବଡ ବିଜୟୀ ହେବ। ଅତୀତରେ ସ୍ୱାଧୀନତା ସଂଗ୍ରାମର ପବିତ୍ର କ୍ଷେତ୍ର ଧାମନଗର ପୁନର୍ବାର ଏକବିଂଶ ଶତାବ୍ଦୀରେ ନୂଆ ଇତିହାସ ରଚିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପ୍ରଧାନ ଧାମନଗର ଏନଏସି ସ୍ଥିତ ମହତାବ ସେବା ସଦନ ପରିସରରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ଏବଂ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‘ସାଗର ଭୂୟାଁ ଶିଶୁ ଉଦ୍ୟାନ’ ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାଗର ଭୂୟାଁଙ୍କ ପବିତ୍ର ସ୍ମୃତି ପୀଠ ଓ ଶହୀଦ ନଗରସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଧାମନଗର ଯିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଚଣ୍ଡିଖୋଳ, ଧର୍ମଶାଳା, କୁଆଖିଆ, ପାଣିକୋଇଲି, ଧାମନଗର ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତିହିଡି ବ୍ଲକ୍‌ର ପାଳିଆ ବଜାର, ଗୁଆମାଳ ଓ ବୋଡକ ଠାରେ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.