Home ଜିଲ୍ଲା ପରିକ୍ରମା ଧାମନଗର ଉପନିର୍ବାଚନ – ଭଦ୍ରକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ, ଆଦର୍ଶ ଆଚରଣବିଧି ଉଲଙ୍ଘନ...

ଧାମନଗର ଉପନିର୍ବାଚନ – ଭଦ୍ରକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ, ଆଦର୍ଶ ଆଚରଣବିଧି ଉଲଙ୍ଘନ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

20

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏବଂ ବିଶେଷ କରି ରାଜନୈତିକ ଦଳଦ୍ୱାରା ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲଘଂନ ନେଇ ଆସିଥିବା ଅଭିଯୋଗର ତର୍ଜମା ଓ ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଭଦ୍ରକ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଏସ୍‌.ପି., ଭଦ୍ରକ, ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଉପନିର୍ବାଚନ କାର୍ଯ୍ୟ ପରିଚାଳନା ପ୍ରସ୍ତୁତି, ଆଇନ୍ ଶୃଙ୍ଖଳା, ବିଭିନ୍ନ ଦିଗରେ ଧରପଗଡ଼, ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଆଦି ବିଷୟରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଦ୍ୱାରା ଦୃଶ୍ୟ ଫଳକ ଜରିଆରେ ଉପସ୍ଥାପନ ଆଧାରରେ ସି.ଇ.ଓ ପ୍ରତିଟି ଦିଗରେ ସମୀକ୍ଷା କରିଥିଲେ। ସଂପୃକ୍ତ ଦାୟୀତ୍ୱରେ ଥିବା ଉଚ୍ଚପଦସ୍ଥ ଅଧିକାରୀ ତଥା ଜିଲ୍ଲାସ୍ତରୀୟ ନୋଡ଼ାଲ ଅଧିକାରୀ ମାନଙ୍କୁ ପଚାରି ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବୁଝିଥିଲେ ଏବଂ ଆବଶ୍ୟକ ସ୍ଥଳେ ସଠିକ୍ ପଦକ୍ଷେପ ନେବାପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଭୋଟରକୁ ଲାଞ୍ଚଦେବା, ଭୋଟ ପାଇଁ ଧମକ ଦେବା, ଟଙ୍କା ବାଣ୍ଟିବା ପ୍ରଲୋଭନ ଦେଖାଇବା ଭଳି ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଜନିତ ଅପରାଧର ସତ୍ୟତା ଥିଲେ ସେଥିପାଇଁ ଉଦ୍ଦିଷ୍ଟ ବିଭିନ୍ନ ଧାରା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଆଦର୍ଶ ଆଚରଣ ବିଧି ଅବମାନନା ନେଇ ସଚେତନ ନାଗରିକମାନେ ନିର୍ବାଚନ ଆୟୋଗଦ୍ୱାରା ପ୍ରଚଳିତ ସି-ଭିଜିଲ ନାମକ ମୋବାଇଲ ଆପ୍ ଦ୍ୱାରା ସଂପୃକ୍ତ ଭିଡ଼ିଓ ଚିତ୍ର ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କୁ ପ୍ରେରଣ କରି ପାରିବା ଓ ଅଭିଯୋଗ ମୂଳେ ୧୦୦ ମିନିଟ୍ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ବୈଠକରେ ସି.ଇ.ଓ. ପ୍ରକାଶ କରିଥିଲେ। ମତଦାନ କେନ୍ଦ୍ର ପରିଚାଳନା ପାଇଁ ପୋଲିଂ ଦଳକୁ ତାଲିମ ପ୍ରଦାନ, ପୋଲିଂ ମେଟେରିଆଲ୍‌, ନଭେମ୍ବର ୧ରେ ବୁଥ୍‌କୁ ପୋଲିଂ ଦଳ ପ୍ରେରଣ କରାଯିବା ବ୍ୟବସ୍ଥା, ମଡେଲ ବୁଥ, ପିଙ୍କ୍ ବୁଥ୍‌, ଉତ୍ତେଜନା ପ୍ରବଣ ବୁଥ, ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରଙ୍କ ମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ସୁବିଧା, ଡାକ ଭୋଟ୍‌, ମତଦାନ ପାଇଁ ବାହନ ପାସ୍ ପ୍ରଦାନ ପାଇଁ ସଠିକ୍ ଚିହ୍ନଟ୍‌, ଅବକାରୀ ଓ ପୋଲିସ ବିଭାଗ ଦ୍ୱାରା ରୁଜୁ ହୋଇଥିବା ମକଦ୍ଦମା, ଧରପଗଡ଼, ଜବତ ପରିମାଣ, ଆଇନ୍ ଶୃଙ୍ଖଳା ରକ୍ଷାପାଇଁ ପୋଲିସ୍ ମୂତୟନ ବ୍ୟବସ୍ଥା, ମିଟିଂ, ପ୍ରଚାର, ପାଇଁ ରାଜନୈତିକ ଦଳ ମାନଙ୍କୁ ସ୍ଥାନ ଓ ଯାନବାହାନ ନେଇ ଅନୁମତି ପ୍ରଦାନ ଫ୍ଲାଇଂ ସ୍କ୍ୱାର୍ଡ଼ ଓ ଷ୍ଟାଟିଟିକ୍ ସର୍ଭେଲାନସ୍ ସ୍କ୍ୱାର୍ଡ଼ର କାର୍ଯ୍ୟଧାରା ଓ ସେମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆଦି ସମ୍ବନ୍ଧରେ ସି.ଇ.ଓ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ସମସ୍ତ ବି.ଡ଼ି.ଓ, ତହସିଲଦାର ସଂପୃକ୍ତ ନୋଡ଼ାଲ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସି.ଇ.ଓ. ଗଣତି କେନ୍ଦ୍ର ଡିସପରସାଲ୍ ସେଣ୍ଟର ପାଇଁ ଚାଲିଥିବା ପ୍ରସ୍ତୁତି କ୍ଷେତ୍ର ପରିଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.