Home ଜିଲ୍ଲା ପରିକ୍ରମା ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

29

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଜଗତ କଲ୍ୟାଣକାରୀ ମା’ ଭଦ୍ରକାଳୀ ସପ୍ତମାତୃମା ବେଶର ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ଭକ୍ତମାନେ ମା’ଙ୍କର ଜଗଦ୍ଧାତ୍ରୀ ବେଶକୁ ଦର୍ଶନ କରିବା ସହ ଧୂପ, ଦୀପ ଦେଇ ଆଶିଷ ଭିକ୍ଷା କରିଛନ୍ତି। ମା’ଙ୍କ ବିନା ସୃଷ୍ଟିର କଳ୍ପନା ଅସମ୍ଭବ। ଜଗତର ପ୍ରତ୍ୟେକ ଜୀବଠାରୁ ଆରମ୍ଭ କରି ବୃକ୍ଷଲତା ସଜୀବ, ନିର୍ଜିବ ସବୁଠି ତାଙ୍କର ସତ୍ତା ଅନୁଭୁତି ହୁଏ। ସେ ଏ ବିଶାଳ ଜଗତକୁ ଧାରଣ କରିଛନ୍ତି। ତାଙ୍କ ଇଚ୍ଛା ବିନା ଗଛର ପତ୍ରଟଏ ମଧ୍ୟ ହଲି ନଥାଏ। ଆଜି ମା’ ଜଗଦ୍ଧାତ୍ରୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବା ସହିତ ସ୍ୱର୍ଣ୍ଣ ଓ ରୋପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି। ମା’ଙ୍କର ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା, ବ୍ୟାଘ୍ର ବାହାନରେ ମା’ ବିରାଜମାନ କରି ଶଙ୍ଖ, ଚକ୍ର, ଗଦା ଓ ଖଡ୍ଗ ଧାରଣ କରିଛନ୍ତି। ସେ ସର୍ବ ଶକ୍ତିମୟୀ ସେ ନିରାକାର, ସେ ଜଳ, ସ୍ଥଳ, ପୃଥିବୀ, ଆକାଶ ସର୍ବତ୍ର ବିଦ୍ୟମାନ ବୋଲି ବାର୍ତ୍ତା ଦେଇଛନ୍ତି। ଜଗଦ୍ଧାତ୍ରୀ ବେଶର ଦର୍ଶନ କଲେ ଉକ୍ତ ଶକ୍ତି ପ୍ରାପ୍ତ ହେବା ସହ ତାର ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ। ପିଠରେ ବେଦବିତ୍ତ ବ୍ରାହ୍ମଣ ମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞର ଆହୁତି ଚାଲୁ ରହିଛି। ଶତ ଚଣ୍ଡିପାଠ, ଗୀତା ପାଠ, ବେଦପାଠ ନାମ ସଂକୀର୍ତ୍ତନ ଓ ଭଜନରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆସନ୍ତାକାଲି ମା’ ମହାସରସ୍ୱତୀ ବେଶରେ ପୂଜା ପାଇବାକୁ ଥିବା ବେଳେ ରବିବାର ମା’ଙ୍କର ମହାଲକ୍ଷ୍ମୀ ବେଶ ସହ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତୀ ହେବ। ବହୁ ଶ୍ରଦ୍ଧାଳୁ ମାନଙ୍କ ଦାନରେ ପୂର୍ଣ୍ଣାହୁତୀ ଅବସରରେ ମନ୍ଦିର ପ୍ରଶାସନ ତରଫରୁ ପହୁଡ଼ ଭୋଗ ଓ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.