ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାତାର ପାଂଚ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ବୈତରଣୀ–ଗେଙ୍ଗୁଟି – କୋଚିଳା ନଦୀର ପ୍ରଳୟଙ୍କାରୀ ବନ୍ୟାଜଳ ଆଜି ଧାମନଗର ବ୍ଲକର ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। କାହାର ଘର ପାଣିରେ ବୁଡ଼ିଛି, କାହାର ଚୁଲି ଜଳୁନାହିଁ ତ ଆଉ କାହାର ଗୋ-ସମ୍ପଦ ଗଭୀର ବିପଦରେ ରହିଛି। ଅସହାୟ ଲୋକଙ୍କ ଆଖିର ଲୁହ ଓ ସାହାଯ୍ୟ ପାଇଁ ସେମାନଙ୍କ ଅପେକ୍ଷା ସମସ୍ତଙ୍କ ହୃଦୟକୁ ବ୍ୟଥିତ କରୁଛି। ବୈତରଣୀ ନଦୀର ଆଖୁଆପଦା ଠାରେ ବନ୍ୟା ଜଳ ୨୦.୪୫ ମିଟରରେ ପ୍ରବାହିତ ହେଉଛି। ଯଦିଓ ଜଳସ୍ତର ଧୀରେ ଧୀରେ କମିବାକୁ ଆରମ୍ଭ କଲାଣି, ତଥାପି ତଳିଆ ଅଂଚଳରୁ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ। ଧାମନଗର ବ୍ଲକର ୩୦ଟି ପଂଚାୟତ ମଧ୍ୟରୁ ପ୍ରାୟ ୨୭ଟି ପଂଚାୟତର ଚତୁର୍ଦ୍ଦିଗରେ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀ, କୋଚିଳା ଏବଂ ଗେଙ୍ଗୁଟି ନଦୀର ଅନେକ ସ୍ଥାନରେ ନଦୀବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। କାଞ୍ଜିଆପାଳ, ରତ୍ନାଫଳପୁର, ବନବାଗ, ଦଳାଙ୍ଗ, ମଲିକସହିତ ଆଦି ଅଂଚଳର ବାହ୍ୟ ଜଗତ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।ସେହିପରି ଭଦ୍ରକ-ଆଖଣ୍ଡଳମଣି, ଧୁଷୁରୀ-ନଦୀଗାଁ, ଧାମନଗର-ସେଣ୍ଡପୁର, ବେଦପୁର-ପଧାନୀ, ଧାମନଗର-ଫଳପୁର ଏବଂ ଅର୍ଜୁନପୁର-ବାଲିପାଟଣା ଆଦି ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନେକ ଗ୍ରାମରେ ବନ୍ୟାଜଳ ପସିଯିବାରୁ ବାଧ୍ୟ ହୋଇ ଲୋକମାନେ ନଦୀବନ୍ଧ ଏବଂ ସ୍କୁଲଘରେ ଆଶ୍ରୟ ନେଇଛନ୍ତି।ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ଓ ଉଦ୍ଧାର କରିବା ପାଇଁ ଏନ୍.ଡି.ଆରଏଫ୍. ଏବଂ ଓଡ଼୍ରାଫ୍ ଟିମ ଧାମନଗରରେ ପହଂଚିଛନ୍ତି। ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଡି.ଆଇ.ଜି. ପିନାକୀ ମିଶ୍ର, ଏ.ଏସ୍.ପି. ମନୋଜ ରାଉତ, ଜଳସେଚନ ବିଭାଗ ଏସ୍.ଡି.ଓ. ଶମ୍ଭୁନାଥ ମଲିକ ଏବଂ ଧାମନଗର ତହସିଲଦାର ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ଧାମନଗର, ଧୁଷୁରୀ ଓ କୋଠାର ଆଦି ଅଂଚଳ ବୁଲି ବନ୍ୟା ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି। କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ତିନିଘରିଆ, ଅର୍ଜୁନପୁର ଓ ରାମେଶ୍ୱରପୁରରେ ନଦୀବନ୍ଧ ସୁରକ୍ଷା ପାଇଁ ବାଲିବସ୍ତା ଦିଆଯାଇଛି। ପୂର୍ଣ୍ଣମୀ ଥିବାରୁ ବନ୍ୟାଜଳ ଆଗକୁ କମିବ ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଧାମନଗର ବିଜେଡିର ପ୍ରତିନିଧି ଦଳ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ପୀଡ଼ିତ ପରିବାରମାନଙ୍କ ଦୁଃଖ-ଦୁର୍ଦ୍ଦଶାକୁ ନିକଟରୁ ଅନୁଭବ କରିଛନ୍ତି। ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି ଯେ ଏହି ବିପଦ ଘଡ଼ିରେ ସେମାନେ ଏକା ନୁହଁନ୍ତି। ଧାମନଗର ବି.ଡି.ଓ.ଙ୍କ ସହ ଆଲୋଚନା କରି ବନ୍ୟା ପୀଡ଼ିତ ଙ୍କ ପାଇଁ ତୁରନ୍ତ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପଲିଥିନ୍, ଗୋ-ଖାଦ୍ୟ ଯୋଗାଣ ସହ ଜଳବନ୍ଦୀ ଲୋକଙ୍କ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ତ୍ୱରାନ୍ୱିତ କରିବା ପାଇଁ ଦୃଢ଼ ଦାବି ଜଣାଯାଇଛି। ବିଜେଡି ନିର୍ବାଚନ ମଣ୍ଡଳୀ ନେତା ସଞ୍ଜୟ ଦାସ,ପୂର୍ବତନ ପଂଚାୟତ ସେମିତି ଅଧକ୍ଷ ଅଶୋକ ନାୟକ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ମଲିକ ପ୍ରମୁଖ ଗ୍ରସ୍ତ କରି କହିଥିଲେ।ତେବେ ବନ୍ୟା ସମୟରେ ଭୟଭୀତ ନ ହେବାକୁ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ସମସ୍ତଙ୍କୁ ନିବେଦନ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ଧାମନଗରରେ ବୈତରଣୀ ଓ ଗେଙ୍ଗୁଟି ବନ୍ୟାର ପ୍ରଳୟଙ୍କାରୀ ରୂପ: ୨୭ଟି ପଂଚାୟତ ଜଳବନ୍ଦୀ, ବାହ୍ୟ ଜଗତରୁ...








