ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଧାମନଗର ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତର ଉତେଇପୁର ଗ୍ରାମର ମନୋରଞ୍ଜନ ପତି (୩୦) ନାମକ ଜଣେ ଯୁବକକୁ ପୁଲିସ ଧଳା ଜହର (ବ୍ରାଉନସୁଗାର) ବେପାର ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ମନୋରଞ୍ଜନ ଦୁର୍ଯ୍ୟଧନ ପତିଙ୍କ ପୁଅ ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଧାମନଗର ଥାନା ଏସଆଇ ମହେଶ୍ୱର ପ୍ରଧାନ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ମନୋରଞ୍ଜନ ବୈତରଣୀ ପୋଲ ନିକଟରେ ବ୍ରାଉନସୁଗାର ଆଣୁଥିବା ନେଇ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ପୁଲିସ ତୁରନ୍ତ ସେଠାରେ ଚଢ଼ଉ କରି ମନୋରଞ୍ଜନକୁ କାବୁ କରିଥିଲା।ପରବର୍ତୀ ସମୟରେ ଧାମନଗର ଅତିରିକ୍ତ ତହସିଲଦାର ପଲ୍ଲୀ ଭାରତ ମହାଳିକ ଙ୍କ ଉପସ୍ଥିତିରେ ତା’ ନିକଟରୁ ୧୦ ଗ୍ରାମ ଓଜନର ଧଳା ଜହର, ବେପାର ବାବଦ ୧୨ ହଜାର ଟଙ୍କା ଏବଂ ଏକ ମୋବାଇଲ୍ ଫୋନ ଜବତ କରାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ଥାନାର ଏସ ଆଇ ନାରାୟଣ ନାୟକଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମନୋରଞ୍ଜନ ଦୀର୍ଘ ଦିନ ହେବ ଏହି ଅବୈଧ କାରବାରରେ ସମ୍ପୃକ୍ତ ଥିବା ସହ ନିଜେ ମଧ୍ୟ ନିଶାସକ୍ତ ବୋଲି ଜଣାପଡ଼ିଛି। ଅଂଚଳରେ ନିଶା କାରବାର ବୃଦ୍ଧି ପାଉଥିବାରୁ ପୁଲିସ ର ଏପରି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି। ଧାମନଗର ରେ ଯେଉ ବେଆଇନି ନିଶା କାରବାର ହେଉଛି ତାହା କୁ ରୋକିବା ପାଇଁ ସ୍ୱତନ୍ତ୍ର ଟିମି କରା ଯାଇଛି ବେପାରୀ ଙ୍କୁ ଧରା ଯାଉଛି ବୋଲି ଥାନା ଅଧିକାରୀ ଶୁଭ୍ରଜିତ ଦାସ କହିଛନ୍ତି।








