Home ଜିଲ୍ଲା ପରିକ୍ରମା ଧାମନଗରରେ ଧାନକିଣା ନୂଆ ନିୟମରେ ଚାଷୀଙ୍କୁ ଝଟ୍‌କା,ଏଗ୍ରିଷ୍ଟାକ୍‌ରେ ମାତ୍ର ୧୦ ହଜାର; ନିଜ ନାମରେ ଜମି...

ଧାମନଗରରେ ଧାନକିଣା ନୂଆ ନିୟମରେ ଚାଷୀଙ୍କୁ ଝଟ୍‌କା,ଏଗ୍ରିଷ୍ଟାକ୍‌ରେ ମାତ୍ର ୧୦ ହଜାର; ନିଜ ନାମରେ ଜମି ନଥିଲେ ଟୋକନ ଅନିଶ୍ଚିତ, ପୂର୍ବପୁରୁଷଙ୍କ ଜମିରେ ଚାଷ କରୁଥିବା ଚାଷୀ ଚିନ୍ତାରେ; ୮୦% ପ୍ରଭାବିତ ହେବା ଆଶଙ୍କା

22

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷ କଲେ ଧାନ ବିକ୍ରି କରିବେ, ଏହା ଚାଷୀଙ୍କ ସ୍ୱାଭାବିକ ଅଧିକାର। ହେଲେ ଜମି ରେକର୍ଡ ଓ ଡିଜିଟାଲ ପଞ୍ଜୀକରଣର କଡ଼ା ନିୟମ ଏବେ ଧାମନଗରର ଚାଷୀଙ୍କ ପାଇଁ ସେହି ଅଧିକାର ଉପରେ ପ୍ରଶ୍ନଚିହ୍ନ ଠିଆ କରିଛି। ୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ଲାଗୁ ନୂଆ ବ୍ୟବସ୍ଥାରେ ଏଗ୍ରିଷ୍ଟାକ୍ ଫାର୍ମର୍ ଆଇଡି ଓ ଜମି ରେକର୍ଡକୁ ଗୁରୁତ୍ୱ ଦିଆଯାଇଥିବାରୁ ବ୍ଲକର ବହୁ ପ୍ରକୃତ ଚାଷୀ ଧାନ ବିକ୍ରିରୁ ବାଦ୍ ପଡ଼ିବା ଆଶଙ୍କା ଦେଖାଦେଇଛି।ଧାମନଗର ବ୍ଲକରେ ଏଯାବତ୍ ପାଖାପାଖି ୧୦ ହଜାର ଚାଷୀ ଏଗ୍ରିଷ୍ଟାକ୍‌ରେ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏହି ପଞ୍ଜୀକରଣ ମୁଖ୍ୟତଃ ନିଜ ନାମରେ ଜମି ରେକର୍ଡ ଥିବା ଚାଷୀଙ୍କ ପାଇଁ ଉପଲବ୍ଧ ହେଉଥିବାରୁ ପୂର୍ବପୁରୁଷଙ୍କ ନାମରେ ଜମି ଥିବା ହଜାର ହଜାର ଚାଷୀ ଏବେ ଅନିଶ୍ଚିତତାରେ। ଧାମନଗରର ଗ୍ରାମାଂଚଳରେ ଏପର୍ଯ୍ୟନ୍ତ ବହୁ ଚାଷୀ ବାପା କିମ୍ବା ଜେଜେବାପାଙ୍କ ନାମରେ ଥିବା ଜମିରେ ଚାଷ କରୁଛନ୍ତି। ଜମିର ଉତରାଧିକାରୀ ରେକର୍ଡ ସଂଶୋଧନ ହୋଇନଥିଲେ ଏଗ୍ରିଷ୍ଟାକ୍ ପଞ୍ଜୀକରଣରୁ ଆରମ୍ଭ କରି ଟୋକନ୍ ପାଇବା ପର୍ଯ୍ୟନ୍ତ ସମସ୍ୟା ହେବା ଆଶଙ୍କା ରହିଛି। ଅର୍ଥାତ୍ ଚାଷୀ ଚାଷ କରିବେ, ଧାନ ଉତ୍ପାଦନ କରିବେ; କିନ୍ତୁ ବିକ୍ରି କରିବା ସମୟରେ କାଗଜପତ୍ର ତାଙ୍କ ପାଇଁ ପ୍ରତିବନ୍ଧକ ହୋଇପାରେ। ଅଗଷ୍ଟ ୬ରୁ ୩୧ ମଧ୍ୟରେ ପ୍ୟାକ୍ସ କିମ୍ବା ସମବାୟ ସମିତିରେ ଚାଷୀଙ୍କ ନୂଆ ପଞ୍ଜୀକରଣ କରାଯିବ। ପୁରୁଣା ପଞ୍ଜୀକରଣର ନବୀକରଣ ବ୍ୟବସ୍ଥା ନଥିବା ବେଳେ ଆଧାର ସଂଯୁକ୍ତ ମୋବାଇଲ, ବ୍ୟାଙ୍କ ଖାତା ଓ ଇ-କେୱାଇସି ଯାଂଚକୁ ଅନିବାର୍ଯ୍ୟ କରାଯାଇଛି। ଜମି ମାଲିକଙ୍କ ସମ୍ମତିପତ୍ର ସହ ଉଭୟଙ୍କୁ ସମିତିରେ ଉପସ୍ଥିତ ରହି ଲାଇଭ୍ ଇ-କେୱାଇସି କରିବାକୁ ପଡ଼ିବ। ଆଇରିସ୍ ସ୍କାନ୍ ମାଧ୍ୟମରେ ଯାଂଚ ବ୍ୟବସ୍ଥା ରହିଛି। ଜମି ମାଲିକ ଦୂରରେ ରହୁଥିବା କ୍ଷେତ୍ରରେ ଏହା ଭାଗଚାଷୀଙ୍କ ପାଇଁ ବଡ଼ ଅସୁବିଧା ହୋଇପାରେ। ଧାମନଗରର ୧୨ଟି ସେବା ସମବାୟ ସମିତି/ପାକ୍ସ-ଲାମପାକ୍ସ ଉପରେ ଚାଷୀ ପଞ୍ଜୀକରଣ ଓ ଧାନ ସଂଗ୍ରହର ଦାୟିତ୍ୱ ରହିଛି। ଏଥର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହ ରୁ ବାଦ ଦିଆଯାଇ କେବଳ ସମବାୟ ସମିତି ଓ ପାଣି ପଂଚାୟତ ମାଧ୍ୟମରେ ଧାନ ସଂଗ୍ରହ କରାଯିବା ବ୍ୟବସ୍ଥା ହୋଇଛି। ଧାମନଗରରେ ନୂଆ ନିୟମ ଯୋଗୁଁ ପ୍ରାୟ ୮୦ ପ୍ରତିଶତ ଚାଷୀ ପ୍ରଭାବିତ ହୋଇପାରନ୍ତି ବୋଲି ସ୍ଥାନୀୟ ସ୍ତରରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ସଂଖ୍ୟାର ସରକାରୀ ପୁଷ୍ଟି ହୋଇନାହିଁ।ଜମି ରେକର୍ଡ ସଂଶୋଧନ, ଏଗ୍ରିଷ୍ଟାକ ପଞ୍ଜୀକରଣ ଓ ଟୋକନ ପ୍ରକ୍ରିୟାରେ ଯେଉଁ ଚାଷୀମାନେ ଅଟକିଯାଉଛନ୍ତି, ସେମାନଙ୍କ ପାଇଁ ପ୍ରଶାସନ ତୁରନ୍ତ ସରଳ ବ୍ୟବସ୍ଥା କରିବାକୁ ଦାବି ହେଉଛି। ନଚେତ ନୂଆ ଧାନ ସଂଗ୍ରହ ନୀତି ଧାମନଗରର ପ୍ରକୃତ ଚାଷୀଙ୍କ ପାଇଁ ସୁବିଧା ନୁହେଁ, ବରଂ ନୂଆ ସମସ୍ୟାର କାରଣ ହୋଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.