Home ଜିଲ୍ଲା ପରିକ୍ରମା ଧାନ କିଣାବିକାରେ ୩ ରାଇସ୍ ମିଲ୍ ୮ କୋଟିରୁ ଉର୍ଦ୍ଧ୍ୱ ଅର୍ଥ ତୋଷରପାତ, ମିଲ୍ ମାଲିକମାନଙ୍କ...

ଧାନ କିଣାବିକାରେ ୩ ରାଇସ୍ ମିଲ୍ ୮ କୋଟିରୁ ଉର୍ଦ୍ଧ୍ୱ ଅର୍ଥ ତୋଷରପାତ, ମିଲ୍ ମାଲିକମାନଙ୍କ ବିରୁଦ୍ଧରେ ସାର୍ଟିଫିକେଟ୍ କେଶ୍ ରୁଜୁ

35

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ କିଣାବିକାରେ ଜିଲାର ୩ ମିଲ୍ ମାଲିକ ୮ କୋଟି ୬୦ ଲକ୍ଷ ଟଙ୍କା ତୋଷାରପାତ କରି ୭ ବର୍ଷରୁ ୧୦ ବର୍ଷ ଧରି ଚୁପ୍ ହୋଇ ବସିରହିଛନ୍ତି । ସରକାରଙ୍କ ଏହି ବିପୁଳ ଅର୍ଥ ହଡପ କରିବା ଘଟଣାରେ ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଏ କର୍ପୋରେସନର ସ୍ପେଶାଲ ଅଡିଟ୍ (ଖରିଫ ମାର୍କେଟିଂ ସିଜିନ ୨୦୧୫-୧୬) ଏହାର ଖୋଳତାଡ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ପେଶାଲ ଅଡିଟ୍‌ର ଏହି ଅର୍ଥ ଆଦାୟ ଉପରେ ଗୁରୁତ୍ୱ ଦେବା ପରେ ପ୍ରଶାସନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା । ସଂପୃକ୍ତ ୩ ମାଲିକଙ୍କ ଉପରେ ଅର୍ଥ ଆଦାୟ ନେଇ ନୋଟିସ୍ ଜାରି କରାଯାଇଥିଲା । ତେବେ କିଛି ଅର୍ଥ ଆଦାୟ ହୋଇଥିବାବେଳେ ଆହୁରି ୮ କୋଟି ୬୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବକେୟା ପଡି ରହିଥିଲା । ପ୍ରଶାସନର ବାରମ୍ବାର ନୋଟିସ୍ ସତ୍ୱେ ମିଲରମାନେ ଅର୍ଥ ଜମା ଦେବା କ୍ଷେତ୍ରରେ ନିରବତା ଅବଲମ୍ବନ କରିଥିଲେ । ପରବର୍ତ୍ତୀ ସମୟରେ ଯୋଗାଣ ବିଭାଗ ପକ୍ଷରୁ ସରକାରୀ ଅର୍ଥ ତୋଷାରପାତକୁ ନେଇ ୩ଟି ସାର୍ଟିଫିକେଟ୍ କେଶ୍ ରୁଜୁ ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲାପାଳ ଏହି ପ୍ରସ୍ତାବକୁ ଗ୍ରହଣ କରି ସଂପୃକ୍ତ ୩ ମିଲ୍ ମାଲିକଙ୍କ ବିରୁଦ୍ଧରେ ୩ଟି ସାର୍ଟିଫିକେଟ୍ କେଶ୍ (୧/୨୩, ୨/୨୩ ଓ ୩/୨୩) ରୁଜୁ କରାଯାଇଥିଲା ।

ଏହି ମିଲ୍ ଗୁଡିକ ହେଲା ମ୍ୟାନେଜିଂ ଡାଇରେକ୍ଟର ଏମ/ଏସ ମଙ୍ଗଳମ୍ ଆଗ୍ରୋଟେକ୍‌, ଅସୁରା, ରାହାଞ୍ଜ, ଦ୍ୱିତୀୟ ହେଲା ମ୍ୟାନେଜିଂ ପାର୍ଟନର ଏମ/ଏସ. ଚନ୍ଦ୍ରପ୍ରଭା ରାଇସ୍ ମିଲ୍‌, ଅରଞ୍ଜି, ବରପଦା ଓ ତୃତୀୟଟା ହେଲା ସୀତାଂଶୁ ଶେଖର ମହାନ୍ତି, ଏମ/ଏସ. ଭାରତୀ ରାଇସ୍ ମିଲ୍‌, କୋଟସିରା, ଭଣ୍ଡାରିପୋଖରୀ । ଏହାର ଶୁଣାଣି ପାଇଁ ଆଜି ତା ୨୬.୦୫.୨୩ ରିଖକୁ ଧାର୍ଯ୍ୟ କରାଯାଇଥିଲା । ସଂପୃକ୍ତ ମିଲ୍ ମାଲିକମାନେ ଆଜି ଜିଲାପାଳଙ୍କ କୋର୍ଟରେ ହାଜର ହୋଇନଥିଲେ । ଏ ନେଇ ଜିଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ପୁଣି ୨ ତାରିଖକୁ ଶେଷ ତାରିଖ ଦର୍ଶାଇ କୋର୍ଟରେ ହାଜର ହେବା ପାଇଁ ଆଉ ଥରେ ସୁଯୋଗ ଦେଇଛନ୍ତି । ଯଦି ଏହି ଶେଷ ତାରିଖରେ ଅର୍ଥ ଖିଲାପ କରି ମିଲରମାନେ କୋର୍ଟରେ ହାଜର ନହୁଅନ୍ତି, ତେବେ ସଂପୃକ୍ତ ମିଲ୍ ମାଲିକମାନଙ୍କର ଚଳନ୍ତି ଅଚଳନ୍ତି ସଂପତ୍ତି ବାଜ୍ୟାପ୍ତି କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ମଙ୍ଗଳମ୍ ଆଗ୍ରୋଟେକ୍ ୨୦୧୨-୧୩ ରେ ଧାନ କିଣାବିକା କ୍ଷେତ୍ରରେ ଅନିୟମିତତାର ଅଭିଯୋଗ ପାଇ ଭିଜିଲାନ୍ସ ଚଢାଉ ହୋଇଥିଲା । ୧୦ କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ପଦାରେ ପଡିଥିଲା । ପରେ ଅର୍ଥ ଆଦାୟ ପାଇଁ ପ୍ରଶାସନ ପକ୍ଷରୁ ଚାପ ସୃଷ୍ଟି ହୋଇଥିଲା । ସଂପୃକ୍ତ ମିଲ୍ ମାଲିକ ଏହି ଅର୍ଥ ପ୍ରଦାନ କରିବା ପରେ ଏବେ ୮୮ ଲକ୍ଷ ଟଙ୍କା ୧୩ ହଜାର ୮୨୯ ଟଙ୍କା ବକେୟା ପଡିରହିଛି । ସେହିପରି ୨୦୧୪ ଖରିଫ ସିଜିନ୍‌ରେ ଚନ୍ଦ୍ରପ୍ରଭା ରାଇସ୍ ମିଲ୍ ପିଡିଏସ୍ ଧାନ ହେରଫେର ଘଟଣା ସଂପର୍କରେ ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା । ଏବଂ ତଦନ୍ତରେ ୩ କୋଟି ୬୬ ଲକ୍ଷ ୫୭ ହଜାର ୪୮୬ ଟଙ୍କା ଅର୍ଥ ହେରଫେର କରାଯାଇଥିବାର ଜଣାପଡିଥିଲା । ଅପରପକ୍ଷରେ ଭାରତୀ ରାଇସ୍ ମିଲ୍ ଉପରେ ପ୍ରଶାସନିକ ତଦନ୍ତ ସମୟରେ ୩ କୋଟି ୨୩ ଲକ୍ଷ ୧୩ ହଜାର ୬୭୧ ଟଙ୍କାର ଧାନ କିଣାବିକା ହିସାବ ମିଳିନଥିଲା । ତେବେ ମଙ୍ଗଳମ ଆଗ୍ରୋଟେକ୍‌ର ଉପରୋକ୍ତ ଅର୍ଥ ବକେୟା ରହିଥିବାବେଳେ ଅନ୍ୟ ଦୁଇଟି ମିଲ୍ କୌଣସି ଅର୍ଥ ପୈଠ କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.