Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ, ଜମାକାରୀଙ୍କୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ ନେଇ ଜିଲାପାଳଙ୍କ ଗୁରୁତ୍ୱ

ଜିଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ, ଜମାକାରୀଙ୍କୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ ନେଇ ଜିଲାପାଳଙ୍କ ଗୁରୁତ୍ୱ

19

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ବିଭିନ୍ନ ଚିଟଫଣ୍ଡର ଶୀକାର ହୋଇଥିବା ଜମାକାରୀଙ୍କୁ ଶୀଘ୍ର ଅର୍ଥ ଫେରସ୍ତ ପାଇଁ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ରେଭିନ୍ୟୁ ବୈଠକରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବିଭିନ୍ନ ତହସିଲ ଅଂଚଳରେ ଚିଟଫଣ୍ଡରେ ଅର୍ଥ ହରାଇଥିବା ଜମାକାରୀମାନଙ୍କୁ ଜମା ଅର୍ଥ ଫେରସ୍ତ କ୍ଷେତ୍ରରେ ତହସିଲଦାରମାନେ ବିଳମ୍ବ କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅଗ୍ରାଧିକାର ଭିତ୍ତିରେ ଏହି ଦାୟିତ୍ୱ ସଂପାଦନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ସଂପୃକ୍ତ ଅଧିକାରୀ ଜଣକ ୭ଟି ତହସିଲକୁ ଯାଇ ଏହି କାର୍ଯ୍ୟକୁ ତଦାରଖ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଶେଷକରି ଆର.ଆଇ. ଲେବୁଲରେ ପେଣ୍ଡିଂ ରହିଥିବା ଜମାଅର୍ଥ ଫେରସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶଯୋଗ୍ୟ ଜିଲାର ୭ଟି ତହସିଲରେ ୩ ଲକ୍ଷ ୭ ହଜାରରୁ ଉର୍ଦ୍ଧ୍ୱ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ଚିହ୍ନଟ କରାଯାଇଛି ।

ସେହିପରି ଜିଲାର ବିଭିନ୍ନ ତହସିଲ ଅଂଚଳରେ ଥିବା ପଡା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା, (ବାଉଣ୍ଡାରୀ ଚେଞ୍ଜ ପ୍ରୋସେସିଂ, ବିସିପି) କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ପଂଚାୟତ ଓ ବ୍ଲକ୍ ଓ ଜିଲାକୁ ମୋ ବସ୍ ସେବା ଯୋଗାଇଦେବା ନିର୍ଦ୍ଦେଶକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରକାଶଯୋଗ୍ୟ ବଡ ବ୍ଲକ୍‌ରେ ୪ଟି ଓ ଛୋଟ ବ୍ଲକ୍‌ରେ ୨ ଟି ବସ୍ ଚଳାଇବାର ବ୍ୟବସ୍ଥା ରହିଛି । ଏଥିସକାଶେ ସଂପୃକ୍ତ ଅଂଚଳ ମାନଙ୍କରେ କେଉଁଠାରେ ବସ୍ ରହିବ, ସେ ନେଇ ରୁଟ୍ ଚାର୍ଟ ସହ ବସ୍ ଡିପୋ ନିର୍ଦ୍ଧାରଣ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଜିଲା ଅବକାରୀ ବିଭାଗର କାର୍ଯ୍ୟଧାରାକୁ ନେଇ ଜିଲାପାଳ ଶ୍ରୀ ବୋନ୍ଦର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗ୍ରାମାଞ୍ଚଳରେ ବେଆଇନ୍ ମଦ କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗର ବିଫଳତାକୁ ନେଇ ବୈଠକରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟକୁ ଜୋରଦାର କରିବା ପାଇଁ ଜିଲା ଅବକାରୀ ବିଭାଗ ମୁଖ୍ୟଙ୍କୁ କଡା ତାଗିଦ କରିଥିଲେ । ଏହାବ୍ୟତୀତ ରାଜସ୍ୱ ବିଭାଗର ଅନ୍ୟାନ୍ୟ କାର୍ଯ୍ୟଧାରାକୁ ସମୀକ୍ଷା କରିଥିଲେ । ଅନୁଷ୍ଠିତ ବୈଠକରେ ଦୁଇଜଣ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡୁ, ଉପଜିଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲାପାଳ ଲକ୍ଷ୍ମୀଧର ସାହୁଙ୍କ ସମେତ ରେଭିନ୍ୟୁ ଅଫିସର ମନୋରମା ଜାଲି, ଜିଲା ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ୭ଟି ତହସିଲର ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.