Home ଜିଲ୍ଲା ପରିକ୍ରମା ଅଧ୍ୟବସାୟ ହିଁ ସଫଳତାର ଚାବିକାଠି – ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାସ୍ତରୀୟ ମେଧାବି ଅଭିନନ୍ଦନ ସମାରୋହ

ଅଧ୍ୟବସାୟ ହିଁ ସଫଳତାର ଚାବିକାଠି – ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାସ୍ତରୀୟ ମେଧାବି ଅଭିନନ୍ଦନ ସମାରୋହ

33

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଇସ୍କୁଲ ପରୀକ୍ଷାରେ ଏ-୧ ଗ୍ରେଡ଼୍ ହାସଲ କରିଥିବା ଭଦ୍ରକ ଜିଲ୍ଲାର ସମସ୍ତ ସଫଳ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ମେଧାବି ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଶହୀଦ ସ୍ମୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥିରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଏସ୍‌.ପି.ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ମାୟାଧର ସାହୁ ଏବଂ ପ୍ରଣୟ କୁମାର ନାୟକ ଯୋଗ ଦେଇଥିଲେ । ନିଷ୍ଠାର ସହିତ ପରିଶ୍ରମ କଲେ ସଫଳତାକୁ ଛୁଇଁ ହୁଏ । ସଫଳତାକୁ ବଜାୟ ରଖିବାକୁ ହେଲେ ଅଧ୍ୟବସାୟକୁ ଜାରି ରଖିବାକୁ ପଡ଼ିବ । ଭବିଷ୍ୟତ କ୍ୟାରିଅର ଗଠନ ଦିଗରେ ପିଲାମାନେ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ ପାଇଁ ସାଧନାରୁ କେହି ବିରତ ନହେବାକୁ ଜିଲ୍ଲାପାଳ ବକ୍ତବ୍ୟ ପ୍ରସଙ୍ଗରେ ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମେଧାବୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ସଫଳ ଶିକ୍ଷା ବିନା ଜୀବନ ବି ସଫଳ ହୁଏ ନାହିଁ ବୋଲି ଏସ୍‌.ପି. ମଧ୍ୟ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ କି ସଦ୍ୟ ପ୍ରକାଶିତ ହାଇସ୍କୁଲ ପରୀକ୍ଷା ଫଳାଫଳରେ ଭଦ୍ରକ ଜିଲ୍ଲରେ ୧୭୦ଜଣ ଏ-ୱାନ୍ ଗ୍ରେଡ଼୍‌ରେ ସଫଳତା ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେହି ସମସ୍ତ ୧୭୦ ମେଧାବୀ ବିଦ୍ୟାର୍ଥୀଙ୍କୁ ଟ୍ରଫି, ମାନପତ୍ର ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ.ଅବଦୁଲ କାଲାମ୍‌ଙ୍କ ଜୀବନୀ କୃତିତ୍ୱ ସମ୍ବଳିତ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି ୧୭୦ଜଣଙ୍କ ମଧ୍ୟରେ ୬୩ଜଣ ପିଲା ଭଦ୍ରକ ବ୍ଲକ, ୨୮ଜଣ ବାସୁଦେବପୁର, ୨୧ଜଣ ଭଣ୍ଡାରିପୋଖରୀ, ୮ଜଣ ବନ୍ତ, ୧୫ଜଣ ଚାନ୍ଦବାଲି, ୧୨ଜଣ ଧାମନଗର, ୨୩ଜଣ ତିହିଡ଼ି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୮ଜଣ ପିଲା ଥିଲେ । ବିଦ୍ୟାର୍ଥମାନଙ୍କ ସହ ସେମାନଙ୍କ ଅଭିଭାବକ, ସଂପୃକ୍ତ ବିଦ୍ୟାଳୟମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.