Home ଜିଲ୍ଲା ପରିକ୍ରମା ଧରମ ଭଉଣୀ ସହ ପରକ୍ରିୟା ପ୍ରୀତି ମହଙ୍ଗା ପଡିଲା ସୋମନାଥଙ୍କୁ, ହତ୍ୟା ଅଭିଯୋଗ ନେଇ ପତ୍ନୀ...

ଧରମ ଭଉଣୀ ସହ ପରକ୍ରିୟା ପ୍ରୀତି ମହଙ୍ଗା ପଡିଲା ସୋମନାଥଙ୍କୁ, ହତ୍ୟା ଅଭିଯୋଗ ନେଇ ପତ୍ନୀ ଥାନାର ଦ୍ୱାରସ୍ଥ

181

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ମଙ୍ଗୁଳିଆସାହି ନିବାସୀ ରଞ୍ଜୁଲତା ପେଡା ନାମକ ଜଣେ ବିବାହିତା ମହିଳାଙ୍କ ସ୍ୱାମୀଙ୍କୁ ଉକ୍ତ ଥାନା ଅଧୀନସ୍ଥ ହରିପୁରବିନ୍ଧା ଗ୍ରାମର କେଶବ ଚନ୍ଦ୍ର ସାହୁଙ୍କ ପତ୍ନୀ ପ୍ରୀତିଲତା ଧରମଭାଇ ଆଳରେ ପରକ୍ରିୟା ପ୍ରୀତି ସ୍ଥାପନ କରି ପର ମୁହୂର୍ତ୍ତରେ ବିଷ ଦେଇ ହତ୍ୟା କରିଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ରଂଜୁଲତା । ଏ ସଂପର୍କରେ ସେ ଧାମନଗର ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ରଂଜୁଲତା ସୋମନାଥଙ୍କ ସହ ସାମାଜିକ ପ୍ରଥା ଅନୁଯାୟୀ ବୈଦିକ ରୀତିରେ ୨୩ ବର୍ଷ ପୂର୍ବେ ବିବାହ କରି ରହିଆସୁଥିଲେ । ଇତିମଧ୍ୟରେ ତାଙ୍କର ଦିବ୍ୟଦର୍ଶନ (୨୨) ଓ ଦୀପଲେଖା (୧୭) ନାମକ ଦୁଇ ପୁଅ-ଝିଅ ରହିଛନ୍ତି । କିନ୍ତୁ ପ୍ରାୟ ୭ ବର୍ଷ ପୂର୍ବେ ତାଙ୍କ ଗ୍ରାମ ନିକଟ ହରିପୁରବିନ୍ଧା ନିବାସୀ କେଶବ ଚନ୍ଦ୍ର ସାହୁଙ୍କ ପତ୍ନୀ ପ୍ରୀତିଲତା ତାଙ୍କ ସ୍ୱାମୀଙ୍କୁ ଧରମଭାଇ କରି ପର ମୁହୂର୍ତ୍ତରେ ଶାରୀରିକ ସଂପର୍କ ରଖିଥିଲେ । ଏ ବିଷୟରେ ସେ ପ୍ରତିବାଦ କରିବାରୁ ସ୍ୱାମୀ ସୋମନାଥ ଓ ପ୍ରୀତିଲତା ତାଙ୍କ ପ୍ରତି ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ । ପତ୍ନୀ ରଂଜୁଲତା ନିଜ ସ୍ୱାମୀଙ୍କୁ ପ୍ରୀତିଲତା ଘରକୁ ଯିବାକୁ ମନା କରିବାରୁ ସେ ପ୍ରାୟ ୬ ବର୍ଷ ଧରି ନିଜ ପରିବାର ସହ କୌଣସି ସଂପର୍କ ନରଖି ନିଜ ଉପାର୍ଜିତ ସମସ୍ତ ଅର୍ଥ ପ୍ରୀତିଲତା ସାହୁଙ୍କ ଘରେ ଦେଇ ରାତ୍ରିଯାପନ କରିଆସୁଥିଲେ । ଫଳରେ ସେ ପରଘରେ କାମ କରି ନିଜ ଦୁଇ ପିଲାଙ୍କୁ ପ୍ରତିପୋଷଣ କରିଆସୁଥିବାବେଳେ ଗତକାଲି ତାଙ୍କ ସ୍ୱାମୀ ପ୍ରତିଦିନ ଭଳି ପ୍ରୀତିଲତା ଘରକୁ ଯାଇଥିଲେ । କିନ୍ତୁ ଦିନ ପ୍ରାୟ ୧.୪୫ ସମୟରେ ସେ ଗ୍ରାମବାସୀଙ୍କ ନିକଟରୁ ତାଙ୍କ ସ୍ୱାମୀ ସୋମନାଥ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବାର ଖବର ପାଇଥିଲେ । ଏ ସଂପର୍କରେ ସେ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର କୌଣସି ଶ୍ରତୁତା ନଥିବାବେଳେ ପ୍ରୀତିଲତା ନିଜର ସ୍ୱାର୍ଥ ହାସଲ ପାଇଁ ସ୍ୱାମୀ କେଶବ ଏବଂ କେଶବଙ୍କ ଶ୍ୱଶୁରଘର କେନ୍ଦୁଆପଦାର ସଂପର୍କୀୟଙ୍କ ସହ ମିଶି ତାଙ୍କୁ ବିଷ ପିଆଇ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି । ଏବଂ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ଅଂଚଳରେ ବେଶ୍ ଉତ୍ତେଜନା ସୃଷ୍ଟି କରିଥିବାବେଳେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ପୁଲିସ୍ ଶବ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.