Home ଜିଲ୍ଲା ପରିକ୍ରମା ଦୋବଲରେ ଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର; ଆନ୍ଦୋଳନ ଚେତାବନୀ

ଦୋବଲରେ ଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର; ଆନ୍ଦୋଳନ ଚେତାବନୀ

4

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତଫାପୁର ପଂଚାୟତର (ଦୋବଲ) ଅଂଚଳରେ ପ୍ରସ୍ତାବିତ ନୂତନ ଦେଶୀ ମଦ ଦୋକାନ ଖୋଲାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଦ ଦୋକାନ ଖୋଲିବା ନିଷ୍ପତି ପ୍ରତ୍ୟାହାର କରିବା ଦାବିରେ ଗ୍ରାମବାସୀମାନେ ସମୋବାର ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଚଳିତ ବର୍ଷ ନୂତନ ଦେଶୀ ମଦ ଦୋକାନ ପାଇଁ ହୋଇଥିବା ଲଟେରୀ ପ୍ରକ୍ରିୟାରେ ରାଜେଶ କୁମାର ଘୋଷ ଚୟନ ହୋଇଥିବା ବେଳେ, ଜୁଲାଇ ପ୍ରଥମ ସପ୍ତାହରେ ତାଙ୍କୁ ଦୋକାନ ଖୋଲିବା ପାଇଁ ସରକାରୀ ଅନୁମତି ମିଳିଛି। ତେବେ ପ୍ରସ୍ତାବିତ ସ୍ଥାନରେ ଦୋକାନ ଖୋଲାଗଲେ ଅଂଚଳର ସାମାଜିକ ପରିବେଶ ବିଗିଡ଼ିବା ସହ ଚୋରି, ଲୁଟ, ମହିଳାଙ୍କ ପ୍ରତି ଅସଦାଚରଣ ଓ ଅନ୍ୟାନ୍ୟ ଅପରାଧ ବୃଦ୍ଧି ପାଇବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପଂଚାୟତର ଅଧିକାଂଶ ଲୋକ ଏହି ନିଷ୍ପତିକୁ ବିରୋଧ କରୁଥିବାରୁ କୌଣସି ପରିସ୍ଥିତିରେ ଦେଶୀ ମଦ ଦୋକାନ ଖୋଲିବାକୁ ଦିଆଯିବ ନାହିଁ। ପ୍ରଶାସନ ଜନମତକୁ ସମ୍ମାନ ଦେଇ ଅନୁମତି ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ଦାବିକୁ ଅଣଦେଖା କରି ଯଦି ଦୋକାନ ଖୋଲିବାକୁ ପଦକ୍ଷେପ ନିଆଯାଏ, ତେବେ ଗ୍ରାମବାସୀ ରାସ୍ତାରୋକ ସମେତ ଗଣଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.