Home ଓଡ଼ିଶା ଦୁର୍ନୀତିଖୋରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦୁର୍ନୀତିଖୋରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

159

ନୟାଗଡ଼, ୨୫ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କୃଷି ଓ କୃଷକଙ୍କ ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବାବେଳେ ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ହେଲେ ଚାଷୀମାନେ ପକୃତ ସୁବିଧା ନପାଇ ‌ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଚାଷୀମାନଙ୍କ ପାଇଁ ଯେତେ ପ୍ରକାର ସୁବିଧା ସୁଯୋଗ ଦେଉଛନ୍ତି ତାହା ତଳ ସ୍ତରରେ ବାଟ ମାରଣା ହେଉଥିବା ନେଇ ଅଭିଯୋଗ ପରେ କୃଷିମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ନଜରକୁ ଆସିଛି। ଯାହାକି ଚାଷୀଙ୍କ ପେଟକୁ ନାତ ମାରୁଥିବା କଳାବଜାରୀ ବା ଚାଷୀଙ୍କ ସୁବିଧା ସୁଯୋଗ ହଡ଼ପ କରୁଥିବା ସରକାରୀ ଓ ବେସରକାରୀ ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା ପଦକ୍ଷେପ ନେବାପାଇଁ ତତ୍ପର ହୋଇ ଉଠିଛନ୍ତି କୃଷିମନ୍ତ୍ରୀ ଡଃ ସାହୁ। ଏହାକୁ ସେ ଗୁରୁତ୍ୱର ସହ ନେବା ସହ ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ପ୍ରଥମ ପଦକ୍ଷେପ ସ୍ୱରୁପ ଜିଲାପାଳ ଡଃପୋମା ଟୁଡୁ ଆକ୍ସନ ମୁଡ୍‌ରେ ରହିଥିବା ଦେଖାଦେଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ପାଇ ମୁଖ୍ୟ କୃଷି ଅଧିକାରୀ ଆୟୁର୍ଦେହୀ ମିଶ୍ରଙ୍କ ନେତୃତ୍ୱରେ ଇଟାମାଟି ସାର ଗୋଦାକ ଉପରେ ପ୍ରଥମ ଚଢାଉ ହୋଇଛି। ଇଟାମାଟି ସାର ବ୍ୟବସାୟୀ ହୋଲସେଲର ତଥା ରିଟେଲର ଉମେଶ ସାହୁ ସରକାରୀ ଦର ଠାରୁ ଚଢା ଦରରେ ସାର ବିକ୍ରି ହେଉଥିବା ଜାଣି ତାଙ୍କ ଦୋକାନକୁ ସିଲ୍ କରାଯାଇଛି। ୟୁରୀୟା ସାର ବସ୍ତା ପିଛା ସରକାରୀ ଦର ୨୬୬ ଟଙ୍କା ୫୦ ପଇସା ଥିଲାବେଳେ ସେ ୩୩୦ ଟଙ୍କା ବିକ୍ରି କରୁଥିଲେ। ସେ ସାର ବିକ୍ରିର କୌଣସି ଷ୍ଟକ ରେଜିଷ୍ଟର ପରିଚାଳନା କରୁନଥିବା ଦେଖିବାକୁ ପାଇଥିଲେ। ବହୁ ଅନିୟମିତତା ହେଉଥିବା ଚଢାଉ ଟିମ୍ ହୃଦବୋଧ କରିଥିବାବେଳେ ଏସମ୍ପର୍କିତ କାଗଜପତ୍ର ଜିଲାପାଳଙ୍କ ନିକଟକୁ ପଠାଯାଇଛି। ଏହି ଚଢାଉ ଟିମ୍‌ରେ ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ନୟାଗଡ଼ ତହସିଲଦାର ମଧ୍ୟ ସାମିଲ ଥିଲେ। ତେବେ ଖାଲି ଇଟାମାଟିରେ ନୁହେଁ ଜିଲାର ବିଭିନ୍ନ ସ୍ଥାନରେ ସାର କଳାବଜାରୀ ହେଉଥିବା ସହ ଚାଷୀଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରକାର ଯୋଜନା ଦଲାଲମାନଙ୍କ ଦ୍ୱାରା ହଡ଼ପ କରାଯାଉତିବା ଚାଷୀ ମହଲରୁ ଗୁରୁତର ଅଭିଯୋଗ ହେଉଛି। ଚାଷୀମାନେ ଯେପରି ସେମାନଙ୍କ ସୁବିଧା ସୁଯୋଗରୁ ବଂଚିତ ହେବେନି ସେଥିପ୍ରତି ଦୃଷ୍ଟି ଦେବା ସହ କଳାବଜାରୀ, ଦୁର୍ନୀତିଖୋରଙ୍କ ଉପରେ କଡ଼ ପଦକ୍ଷେପ ନେବାକୁ କୃଷିମନ୍ତ୍ରୀ ଡଃ ସାହୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଜିଲାକୁ ୫, ୭୬୫ ମେଟ୍ରିକ ଟନ୍ ସାର ଆବଶ୍ୟକ ଥିବାବେଳେ ୩, ୩୩୪ ମେଟ୍ରିକ ଟନ ସାର ଆସିଛି। ଏହି ସାର ବିକ୍ରି କରିବାକୁ ୨୨ଜଣ ହୋଲସେଲର ନିଯୁକ୍ତି ହୋଇଥିବାବେଳେ ସେମାନଙ୍କ ଠାରୁ ୪୩୫ଜଣ ରିଟେଲର ସାର ନେଇ ବିକ୍ରି କରିବାକୁ ରହିଛନ୍ତି। କରୋନା ସମୟରେ ଚାଷୀମାନଙ୍କ ରୋଜଗାର କିଛି ନଥିବାବେଳେ ଚଢା ଦରରେ ସାର କିଣିବା ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଛି। ୟୁୂରିୟା ସାର ସରକାରୀ ଦର ୨୬୬ଟଙ୍କା ୫୦ପଇସା ଥିବାବେଳେ ଏହା ୫ଶହ ଟଙ୍କା ପର୍ଯ୍ୟନ୍ତ ବି ବିକ୍ରି ହେଉଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.