Home ଅପରାଧ ଦିନେ ଲୋକଙ୍କ ନଜରରେ ରିଅଲ୍ ଭିଲେନ୍ ହୋଇଯାଇଥିଲେ ମହାଭାରତ ସିରିଏଲର ଦୁର୍ଯ୍ୟୋଧନ .. ତେବେ କାହିଁକି?

ଦିନେ ଲୋକଙ୍କ ନଜରରେ ରିଅଲ୍ ଭିଲେନ୍ ହୋଇଯାଇଥିଲେ ମହାଭାରତ ସିରିଏଲର ଦୁର୍ଯ୍ୟୋଧନ .. ତେବେ କାହିଁକି?

438

ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇଅଛନ୍ତି। ଏ’ ଭିତରେ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷା ପାଇଁ ଫିଲ୍ମ ଏବଂ ସିରିଏଲ୍ ଗୁଡ଼ିକର ସୁଟିଂ ବନ୍ଦ୍ ହୋଇଯାଇଛି। ଲୋକଙ୍କ ମନୋରଞ୍ଜନ ଏବଂ ସମୟ ଅତିବାହିତ ପାଇଁ ଏବେ ଅନେକ ପୂରୁଣା ଧାରାବାହିକ ଗୁଡ଼ିକର ପୁନଃ ପ୍ରସାରଣ ହେଉଛି। ତନ୍ମଧ୍ୟରୁ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ମହାଭାରତ ଅନ୍ୟତମ। ମହାଭାରତରେ ପ୍ରମୁଖ ଚରିତ୍ର ମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ଚରିତ୍ର ଏକ ପ୍ରମୁଖ ଖଳନାୟକ ଚରିତ୍ର। ବି.ଆର ଚୋପ୍ରାଙ୍କର ମହାଭାରତ ଧାରାବାହିକରେ ଦୁର୍ଯ୍ୟୋଧନ ଚରିତ୍ରରେ ଅଭିନୟ କରିଥିଲେ ପୁନିତ୍ ଇଶରତ। ତେବେ ମହାଭାରତରେ ଦୁର୍ଯ୍ୟୋଧନ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ପୁନିତ୍ ଏକଦା ଲୋକଙ୍କ ନଜରରେ ରିଅଲ୍ ଭିଲେନ୍ ହୋଇଯାଇଥିଲେ।

କ’ଣ ଘଟିଥିଲା ଘଟଣା –
୧୯୮୨ ମସିହା କଥା। ଚଳଚିତ୍ର ‘କୁଲି’ର ସୁଟିଂ ଚାଲିଥିଲା। ଏଥିରେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ହିରୋ ଭୂମିକାରେ ଅଭିନୟ କରୁଥିଲା ବେଳେ ପୁନିତ୍ ଥିଲେ ଖଳନାୟକ। ତେବେ ଫିଲ୍ମ ସେଟରେ ଏପରି ଘଟଣା ଘଟିଥିଲା ​​ଯାହା ପୁନିତଙ୍କ ଜୀବନକୁ ବଦଳାଇ ଦେଇଥିଲା। ଅମିତାଭ ଏବଂ ପୁନିତଙ୍କ ମଧ୍ୟରେ ଏକ ଫାଇଟିଂ ସିନ୍ ସୁଟିଂ ଚାଲିଥିଲା। ସୁଟିଂ ସମୟରେ ପୁନିତ୍ ଅମିତାଭଙ୍କ ପେଟକୁ ଏକ ପଞ୍ଚ୍ ମାରିବା ସହ ତାଙ୍କୁ ଏକ ଟେବୁଲ୍ ଉପରେ ଉଠାଇ ପକାଇ ଦେବାର ଥିଲା। ତେବେ, ଏହି ସିନ୍ ସୁଟିଂ ସମୟରେ ଘଟିଥିଲା ଦୁର୍ଘଟଣା। ଅମିତାଭଙ୍କ ତଳି ପେଟରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ଘଟଣା ପରେ ଅମିତାଭଙ୍କୁ ତୁରନ୍ତ ଚିକିତ୍ସା କରାନଯାଇ ପ୍ରାୟ ୭୨ ଘଣ୍ଟା ବିଳମ୍ବ କରି ଦିଆଯାଇଥିଲା। ଫଳରେ ସମସ୍ୟା ବଢ଼ିଗଲା। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଅମିତାଭଙ୍କର ଜୀବନ ଓ ମୃତ୍ୟୁ ସହିତ ଲଢ଼େଇ ଆରମ୍ଭ ହୋଇଗଲା। ଆଘାତ ଏତେ ଗଭୀର ଥିଲା ତାହା ଏଥିରୁ ଜାଣିହେବ ଯେ ଏହା ଅମିତାଭ ବଚ୍ଚନଙ୍କ ଜୀବନ ଏବଂ ମୃତ୍ୟୁ ପ୍ରଶ୍ନରେ ପରିଣତ ହୋଇ ଯାଇଥିଲା। କିନ୍ତୁ, ବୋଧେ ପ୍ରଶଂସକ ମାନଙ୍କର ପ୍ରାର୍ଥନା ବଲିଉଡ୍ ସମ୍ରାଟ ଅମିତାଭ ବଚ୍ଚନଙ୍କୁ ବଞ୍ଚାଇ ଦେଇଥିଲା।

ପୁନିତ୍ ହୋଇଗଲେ ରିଅଲ୍ ଭିଲେନ୍ –
ତେବେ ସେତେବେଳେ ଅମିତାଭଙ୍କ ଲୋକପ୍ରିୟତା କାହିଁ କେତେ ଉପରେ ଥିଲା ଏବଂ ପୁନିତ୍ ସଂପୂର୍ଣ୍ଣ ନବାଗତ ଥିଲେ। ଅମିତାଭ ତ’ ବଞ୍ଚି ଯାଇଥିଲେ, କିନ୍ତୁ ଏହି ଘଟଣା ଅଭିନେତା ପୁନିତ ଇଶରଙ୍କୁ ଲୋକଙ୍କ ଦୃଷ୍ଟିରେ ରିଲ୍ ଲାଇଫରୁ ରିଅଲ୍ ଲାଇଫରେ ଭିଲେନ୍ କରିଦେଲା। ଗୋଟିଏ ପଟେ ଡାକ୍ତରଖାନାରେ ଅମିତାଭଙ୍କ ଜୀବନ ସହ ସଂଘର୍ଷ ଚାଲିଥିଲା, ଅନ୍ୟପଟେ ପୁନିତ୍ ଲୋକଙ୍କ ନଜରରେ ଭିଲେନ୍ ସାବ୍ୟସ୍ତ ହୋଇ ନିଜକୁ ନିଜେ ଦୋଷୀ ଅନୁଭବ କରି ଲଜ୍ଜାଜନକ ଅବସ୍ଥାରେ ତିଳତିଳ ହୋଇ ମରୁଥିଲେ। ସେତେବେଳେ ସେ ଅନୁଭବ କରୁଥିଲେ ଯେ ତାଙ୍କ ଯୋଗୁଁ ଅମିତାଭଙ୍କ ଜୀବନ ପ୍ରଭାବିତ ହୋଇଥିଲା। ଲୋକମାନେ ଖରାପ ଆଖିରେ ପୁନିତଙ୍କୁ ଦେଖିବା ଆରମ୍ଭ କରିଦେଲେ। ଅମିତାଭ ଏବଂ ତାଙ୍କ ପରିବାର ପୁନିତଙ୍କୁ ଏଥିପାଇଁ ଦୋଷୀ ଭାବୁନଥିଲେ। ନିଜେ ଅମିତାଭ ପୁନିତ୍ ନିଜକୁ ଦୋଷୀ ଅନୁଭବ ନକରିବାକୁ କହିଥିଲେ। ଏହା କେବଳ ଏକ ଦୁର୍ଘଟଣା ବୋଲି ଅମିତାଭ କହିଥିଲେ। କିନ୍ତୁ, ସେହି ଦୁର୍ଘଟଣା ପରେ ପୁନିତଙ୍କ ଖରାପ ଦିନ ଆରମ୍ଭ ହୋଇଥିଲା। ତାଙ୍କ କ୍ୟାରିୟର ଆରମ୍ଭ ପୂର୍ବରୁ ଏକ ପ୍ରକାର ସମାପ୍ତ ସ୍ଥିତିରେ ପହଞ୍ଚି ଯାଇଥିଲା। ଫିଲ୍ମଟି ବର୍ଷକ ପରେ ୧୯୮୩ ମସିହାରେ ରିଲିଜ୍ ହୋଇଥିଲା। ଏହାପରେ ମଧ୍ୟ ମଝିରେ ମଝିରେ କେତେଥର ଅମିତାଭଙ୍କ ପେଟରେ ସଂକ୍ରମଣ ସମସ୍ୟା ହୋଇ ତାଙ୍କୁ ଚିକିତ୍ସିତ ହେବାକୁ ପଡ଼ିଛି।

ପୁନିତଙ୍କୁ ଆଉ ମିଳିଲାନି ଫିଲ୍ମ ଅଫର୍ –
କିନ୍ତୁ, ଏହାପରେ ଅନେକ ଦିନ ଧରି ପୁନିତଙ୍କୁ ଆଉ କୌଣସି ଫିଲ୍ମ ଅଫର୍ ମିଳିଲା ନାହିଁ। ସେ ବେକାର ହୋଇଗଲେ। ଏପରିକି ପରିବାର ଚଳାଇବାକୁ ତାଙ୍କୁ ଅସୁବିଧା ହୋଇଗଲା। ଏପରି ଖରାପ ସମୟ ପ୍ରାୟ ଏହି କ୍ରମ ୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ବହୁ ଦିନ ପରେ ୧୯୮୮ ମସିହାରେ ବି.ଆର ଚୋପ୍ରାଙ୍କ ଟିଭି ସିରିଏଲ ‘ମହାଭାରତ’ରେ ପୁନିତଙ୍କୁ ଦୁର୍ଯ୍ୟୋଧନ ଭୂମିକା ମିଳିଲା। ସେଥିରେ ସେ ତାଙ୍କ ନିଖୁଣ ଅଭିନୟ ପାଇଁ ପ୍ରଶଂସିତ ହେଲେ। ଏହାପରେ ତାଙ୍କୁ ଧୀରେ ଧୀରେ ଫିଲ୍ମ ମିଳିଲା। କିନ୍ତୁ, ସେହି ଦୁର୍ଘଟଣା ପରେ ପୁନିତ୍ ଆଉ ଅମିତାଭ ବଚ୍ଚନଙ୍କ ସହ କାମ କରିନଥିଲେ। ପୁନିତ୍ ଇଶରତ ଅନେକ ହିନ୍ଦି ଫିଲ୍ମରେ ଅଭିନୟ କରିବା ସହ କେତୋଟି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। -ଦେବଦତ୍ତ ରଥ

ସାବଧାନ! ଭିଡିଓ କନଫରେନ୍ସିଂରେ ମାତି ଯାଇଛନ୍ତି କି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.