ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ–ଆରଡ଼ି ମୁଖ୍ୟ ସଡ଼କର ଆରଡ଼ି ଛକ ନିକଟରେ ଡ୍ରେନ୍ ସଫେଇ କାମ ପରେ ଡ୍ରେନ୍ ଉପରେ ଥିବା କଙ୍କ୍ରିଟ୍ ସ୍ଲାବ ଗୁଡ଼ିକୁ ପୁନଃ ସ୍ଥାପନ ନକରି ରାସ୍ତାକଡ଼ରେ ରଖି ଦିଆଯାଇଥିବାରୁ ସମଗ୍ର ଅଂଚଳରେ ଗୁରୁତର ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତାର ଏକ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିବାରୁ ଆରଡ଼ି ଛକରୁ ସାତଭଉଣୀ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଦୂର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧାଡ଼ି ଲାଗି ରହୁଛି। ଫଳରେ ହଜାର ହଜାର ଯାତ୍ରୀ, ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ନିତ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଡ୍ରେନ୍ ସଫେଇ କାମ ସରିଥିଲେ ମଧ୍ୟ ଡ୍ରେନ୍ ସ୍ଲାବ ଗୁଡ଼ିକୁ ପୂର୍ବବତ୍ ସ୍ଥାନରେ ଲଗାଯାଇନାହିଁ। ବରଂ ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ଅବ୍ୟବସ୍ଥିତ ଭାବେ ରଖାଯାଇଥିବାରୁ ରାସ୍ତା ସଂକୁଚିତ ହୋଇପଡ଼ିଛି। ବିଶେଷକରି ଭଦ୍ରକ–ଆରଡ଼ି ରାସ୍ତା ଏକ ବ୍ୟସ୍ତବହୁଳ ସଡ଼କ ହୋଇଥିବାରୁ ପ୍ରତିଦିନ ଶତାଧିକ ବସ୍, ଟ୍ରକ୍, ସ୍କୁଲ୍ ବସ୍, ଛୋଟ ବଡ଼ ଯାନବାହନ ଏବଂ ଦୁଇଚକିଆ ଗାଡ଼ି ଏହି ପଥ ଦେଇ ଯାତାୟାତ କରୁଛି। କିନ୍ତୁ ରାସ୍ତାର ଏକ ପାର୍ଶ୍ୱ ବନ୍ଦ ହୋଇଯାଇଥିବାରୁ ଗାଡ଼ି ଚଳାଚଳ ଅତ୍ୟନ୍ତ ଧୀର ହୋଇପଡ଼ିଛି ଏବଂ ଘଂଟା ଘଂଟା ଧରି ଟ୍ରାଫିକ୍ ଜାମ୍ ଲାଗି ରହୁଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଜରୁରୀକାଳୀନ ସେବା ମଧ୍ୟ ଏହି ଜାମ୍ର ପ୍ରଭାବରୁ ବାଦ ପଡ଼ିନାହିଁ। ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଗାଡ଼ି ମଧ୍ୟ ଟ୍ରାଫିକ୍ ଜାମ୍ରେ ଦୀର୍ଘ ସମୟ ଧରି ଫସି ରହୁଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସ୍କୁଲ୍ ଛାତ୍ରଛାତ୍ରୀ, ଚାକିରିଆ ଲୋକ, ବ୍ୟବସାୟୀ ଏବଂ ସାଧାରଣ ଯାତ୍ରୀମାନେ ପ୍ରତିଦିନ ଘଂଟା ଘଂଟା ଧରି ରାସ୍ତାରେ ଅଟକି ରହୁଥିବାରୁ ଅସନ୍ତୋଷ ବଢ଼ିଚାଲିଛି। ଏହି ଡ୍ରେନ୍ ସଫେଇ କାମ କେଉଁ ସଂସ୍ଥା କିମ୍ବା ଠିକାଦାରଙ୍କୁ ଦିଆଯାଇଥିଲା ଏବଂ କାମ ଶେଷ ହେବା ପରେ ଡ୍ରେନ୍ ସ୍ଲାବ୍ ଗୁଡ଼ିକୁ କାହିଁକି ଠିକ୍ ଭାବେ ପୁନଃ ସ୍ଥାପନ କରାଗଲା ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଠିଛି। ସଂପୃକ୍ତ ଠିକାଦାରଙ୍କ ମନମୁଖୀ କାର୍ଯ୍ୟଶୈଳୀ ଏବଂ କାମରେ ଅବହେଳା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଦାବି କରିଛନ୍ତି। ରାସ୍ତା ଉପରେ ପଡ଼ିରହିଥିବା ଡ୍ରେନ୍ ସ୍ଲାବ ଗୁଡ଼ିକୁ ଅବିଳମ୍ବ ଉଠାଇ ପୂର୍ବବତ୍ ସ୍ଥାନରେ ଲଗାଇବା, ଯାତାୟାତକୁ ସ୍ୱାଭାବିକ କରିବା ସହ ଦାୟିତ୍ୱରେ ଅବହେଳା କରିଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଉଚିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ନଚେତ୍ ପ୍ରତିଦିନ ଏହି ସ୍ଥାନରେ ଟ୍ରାଫିକ୍ ଜାମ୍ ଲାଗି ରହିବା ସହ ଜରୁରୀ ସେବା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି। ଏବେ ସାଧାରଣ ଲୋକଙ୍କ ଦୃଷ୍ଟି ପ୍ରଶାସନ ଉପରେ ରହିଛି। କେବେ ସମସ୍ୟାର ସମାଧାନ ହେବ ଏବଂ ଆରଡ଼ି ଛକରୁ ସାତଭଉଣୀ ପର୍ଯ୍ୟନ୍ତ ଯାତାୟାତ ପୁଣି ସ୍ୱାଭାବିକ ହେବ, ତାହାକୁ ନେଇ ଅଂଚଳବାସୀ ଅପେକ୍ଷା କରିଛନ୍ତି।
Home ଜିଲ୍ଲା ପରିକ୍ରମା ଡ୍ରେନ୍ ସଫେଇ ପରେ ରାସ୍ତାକଡ଼ରେ ପଡ଼ିରହିଛି ଡ୍ରେନ୍ ସ୍ଲାବ, ଆରଡ଼ିଛକରୁ ସାତଭଉଣୀ ପର୍ଯ୍ୟନ୍ତ ୩ କି.ମି....








