Home ଜିଲ୍ଲା ପରିକ୍ରମା ଡା ଅନିଲ ବେହେରାଙ୍କୁ ସାଳନ୍ଦୀ ନଗର ପରିଷଦର ଶ୍ରଦ୍ଧାଞ୍ଜଳି

ଡା ଅନିଲ ବେହେରାଙ୍କୁ ସାଳନ୍ଦୀ ନଗର ପରିଷଦର ଶ୍ରଦ୍ଧାଞ୍ଜଳି

23

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡାଃ ଅନିଲ ବେହେରା କେବଳ ଜଣେ ସ୍ୱନାମଧନ୍ୟ ଚିକିତ୍ସକ ନ ଥିଲେ, ସେ ଥିଲେ ସମଗ୍ର ଭଦ୍ରକ ଏବଂ ବିଶେଷକରି ସାଳନ୍ଦୀ ନଗରର ସ୍ୱତନ୍ତ୍ର ପରିଚୟ । ତାଙ୍କ ଚିକିତ୍ସାରେ କେତେ ରୋଗୀ ଜୀବନ ପାଇଛନ୍ତି, ଦୀର୍ଘ ଏତେ ବର୍ଷ ମଧ୍ୟରେ ତାହାର ସଠିକ ଆକଳନ ସମ୍ଭବ ନୁହେଁ । ରୋଗୀ ସେବା ସହିତ ନିଜ ଅଞ୍ଚଳର ବିକାଶ ନିମନ୍ତେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ସେ ସାଳନ୍ଦୀ ନଗର ନାଗରିକ ପରିଷଦ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ । ସେହି ଦୃଷ୍ଟିରୁ ସେ ହେଉଛନ୍ତି, ସାଳନ୍ଦୀ ନଗର ନାଗରିକ ପରିଷଦର ପ୍ରତିଷ୍ଠାତା । ବ୍ୟସ୍ତବହୁଳ ଜୀବନ ଭିତରେ ସେ ଅନୁଷ୍ଠାନର କୌଣସି ପଦବୀ ମଣ୍ଡନ କରି ନଥିଲେ । କିନ୍ତୁ ସେ ଥିଲେ ଅନୁଷ୍ଠାନର ସକ୍ରିୟ ଉପଦେଷ୍ଟା । ଏଥି ସହିତ ସେ ଥିଲେ ଭଦ୍ରକ ଆର୍ଟ କଲେଜର ପ୍ରତିଷ୍ଠାତା ସଂପାଦକ ଏବଂ ବିଭିନ୍ନ ସଂଗଠନର ପ୍ରାଣ ପ୍ରତିଷ୍ଠାତା । ଡାକ୍ତରୀ ବୃତ୍ତିରେ ତାଙ୍କର ଆଦର୍ଶ ଥିଲେ ଡାକ୍ତର ବିଧାନ ଚନ୍ଦ୍ର ରାୟ, ଯାହାଙ୍କ ଜନ୍ମ ଦିବସ ଡାକ୍ତର ଦିବସ ଭାବେ ପାଳନ କରାଯାଏ । ଡଃ ବିଧାନ ଚନ୍ଦ୍ର ରାୟ ରୋଗୀକୁ ଦେଖି ରୋଗକୁ ଆଘ୍ରାଣ କରିପାରୁଥିଲେ । ସେହି ମର୍ମରେ ଡା ବେହେରା ମଧ୍ୟ ରୋଗୀକୁ ଦେଖିବା ମାତ୍ରେ ରୋଗର ସୂଚନା ଜାଣିପାରୁଥିଲେ । ତାଙ୍କ ବୃତ୍ତି ସହିତ ସାଳନ୍ଦୀ ନଗର ଅଞ୍ଚଳର ବିକାଶ ନିମନ୍ତେ ସେ ସର୍ବଦା ଚିନ୍ତାଶୀଳ ଥିଲେ । ଅନୁଷ୍ଠାନର ସଭାପତି ଡା ରବି ପ୍ରାଣିଗ୍ରାହୀଙ୍କ ପରିଚାଳନାରେ ଆୟୋଜିତ ଡାଃ ଅନିଲ କୁମାର ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ଏହି ମତ ବ୍ୟକ୍ତ କରିଛନ୍ତି । ଏହି ସଭାରେ ଇଂ ଅଭୟ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ଅଭୟ ସୂତାର, ଅଭିମନ୍ୟୁ ସାହୁ, ଶ୍ରୀହର୍ଷ ସ୍ୱାଇଁ, ଗଦାଧର ବଳ, ବସନ୍ତ କୁମାର ପାଣିଗ୍ରାହୀ, ରବି ନାରାୟଣ ପଣ୍ଡା , ଗୋପିନାଥ ରାୟ ପ୍ରମୁଖ ଡାଃ ବେହେରାଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରି ତାଙ୍କୁ ଯୁଗଜନ୍ମା ଚିକିତ୍ସକ ଭାବେ ଚିତ୍ରଣ କରିବା ସହିତ ତାଙ୍କ ଅବର୍ତ୍ତମାନରେ ସାଳନ୍ଦୀ ନଗର ଜଣେ ସୁଯୋଗ୍ୟ ସନ୍ତାନ ହରାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବ୍ରଜ କିଶୋର ନାୟକ,ଗୋକୁଳାନନ୍ଦ ରାଉତ, ଦୋଳଗୋବିନ୍ଦ ନାୟକ, ନିରଞ୍ଜନ ମହାନ୍ତି,ଅନନ୍ତ ପ୍ରସାଦ ପଣ୍ଡା,ନୃସିଂହ ମିଶ୍ର, ପବିତ୍ର ରଂଜନ ଦାସ,ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.