Home ଓଡ଼ିଶା ଜିଲ୍ଲା ସଭାପତି ଘୋଷଣା: ୨ଟି ସ୍ଥାନରେ ରହିଗଲା କେଁ .. ସବୁ ବୁଝିଗଲେ; ଅବୁଝା...

ଜିଲ୍ଲା ସଭାପତି ଘୋଷଣା: ୨ଟି ସ୍ଥାନରେ ରହିଗଲା କେଁ .. ସବୁ ବୁଝିଗଲେ; ଅବୁଝା ରହିଗଲେ ମୁଖିଆ!

384

ଭୁବନେଶ୍ୱର: ବିଜେପି ତା’ର ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି।ତେବେ ବାକି ରହିଯାଇଛି ଦୁଇଟି ସାଙ୍ଗଠନିକ ଜିଲ୍ଲା।ତାହା ହେଲା ଭୁବନେଶ୍ୱର ଏବଂ କଳାହାଣ୍ଡି।ଯେଣେତେଣେ ଉପାୟରେ ବୁଝାସୁଝା କରି ୩୪ଟି ସାଙ୍ଗଠନିକ ଜିଲ୍ଲା ପାଇଁ ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରି ପାରିଲା ବିଜେପି।ତଳ ସ୍ତରର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସିନା ବୁଝାଇ ପାରିଲା, ହେଲେ ବଡ଼ବଡ଼ ନେତାଙ୍କ ଅବୁଝା କାରଣରୁ ଭୁବନେଶ୍ୱର ଏବଂ କଳାହାଣ୍ଡି ପାଇଁ ସଭାପତି ଘୋଷଣା ହୋଇ ପାରିଲା ନାହିଁ।

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପାଇଁ ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଆଗ୍ରହୀ ଥିଲେ।ସେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ।ବିଜେପିର କ୍ୟାପିଟାଲ୍ ରାଜନୀତିରେ ହରେକୃଷ୍ଣ ଖୁଣ୍ଟିଆଙ୍କର ଖୁବ ପତିଆରା ଥିଲା।ଏମିତିରେ ଦେଖିବାକୁ ଗଲେ ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଗୁରୁତ୍ୱ ଭିନ୍ନ।ଭୁବନେଶ୍ୱର ରାଜ୍ୟ କ୍ୟାପିଟାଲ୍।ଏଠାରେ ବିଜେପି ରାଜ୍ୟ ମୁଖ୍ୟାଳୟ।ଯିଏ ବି କେନ୍ଦ୍ରୀୟ ନେତା ଆସିଲେ ଅଧିକାଂଶ ସମୟ ଭୁବନେଶ୍ୱର।ନ’ହେଲେ ଅନ୍ୟ କୌଣସି ସ୍ଥାନକୁ ଗଲେ ମଧ୍ୟ ଭାୟା ଭୁବନେଶ୍ୱର।ଦଳର ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହେବା ସହିତ ନେତାଙ୍କୁ ଏୟାରପୋର୍ଟରୁ ସ୍ୱାଗତ କରିବାଠାରୁ ଅନେକ କିଛି ରହିଛି ଭୁବନେଶ୍ୱରରେ।ତେଣୁ ରାଜ୍ୟ ନେତୃତ୍ୱ ନେବାକୁ ଆଶାୟୀଙ୍କ ନଜର ଭୁବନେଶ୍ୱର ଉପରେ।ଭୁବନେଶ୍ବରରେ ନିଜର ପ୍ରଭାବ, ପତିଆରା ରଖିବା ସେମାନଙ୍କ ଉଦ୍ଦେଶ୍ୟ।ତେଣୁ ଭୁବନେଶ୍ୱର ସଭାପତି ଭାବରେ ନିଜ ଅନୁଗତକୁ ବସାଇବାକୁ ସେମାନେ ଚେଷ୍ଟିତ।ଭୁବନେଶ୍ୱର ଜିଲ୍ଲା ସଭାପତି ଭାବରେ ବସି ହରେକୃଷ୍ଣ ଖୁଣ୍ଟିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଜେଣ୍ଡା ଅନୁଯାୟୀ କାମ କରୁଥିଲେ ବୋଲି କୁହାଯାଏ।ଧର୍ମେନ୍ଦ୍ରଙ୍କ ପାଖଲୋକ ହୋଇଥିବାରୁ ଦଳରେ ବଡ଼ବଡ଼ ନେତା/ନେତ୍ରୀ ମଧ୍ୟ ହରି ଖୁଣ୍ଟିଆଙ୍କୁ ଖାତିର କରୁଥିଲେ।ସେ ଯାହା ଚାହୁଁଥିଲେ, ତାହା କରୁଥିଲେ।ଯାହାକୁ ଚାହୁଁଥିଲେ ରାତି ପାଇଲା ବେଳକୁ ଜିଲ୍ଲା ପଦପଦବୀରୁ ହଟାଇ ଦେଉଥିଲେ।ପ୍ରତିବାଦ କିମ୍ବା ପ୍ରଶ୍ନ କରିବାକୁ କାହାର ସାହସ ନଥିଲା।ଏବେ କିନ୍ତୁ ସବୁ ଓଲଟି ଯାଇଛି।ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ହେବା ପରଠାରୁ ହରି ଖୁଣ୍ଟିଆଙ୍କ ଭେଳା ବୁଡ଼ି ଯାଇଛି।ପତିଆରା କ’ଣ, ହରି ଖୁଣ୍ଟିଆଙ୍କ କଥା ବି ରହୁନି।ଅପରାଜିତା ତାଙ୍କୁ ଆଦୌ ଗୁରୁତ୍ୱ ଦେଉନଥିବା ଏବଂ ଅଣଦେଖା କରୁଥିବା କଥା ଉଠୁଛି।ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଏହା ପରିଣାମ ବୋଲି କୁହାଯାଉଛି।ହରି ଖୁଣ୍ଟିଆଙ୍କୁ ପୁନର୍ବାର ସଭାପତି କରିବା ସପକ୍ଷରେ ଆଦୌ ନାହାଁନ୍ତି ମ୍ୟାଡମ୍ ଅପରାଜିତା।ସେ ଚାହୁଁଛନ୍ତି, ମୋ ସଂସଦୀୟ କ୍ଷେତ୍ର ମୁଁ ବୁଝିବି।କିନ୍ତୁ, ଧର୍ମେନ୍ଦ୍ରଙ୍କ ହରି ଖୁଣ୍ଟିଆ ଏବଂ ତାଙ୍କ ଗୋଷ୍ଠୀ ଛାଡ଼ିବାକୁ ନାରାଜ।ଏହିସବୁ କାରଣରୁ ଅପରାଜିତାଙ୍କ ଖାସ ଅନୁଗତ ଦେବାଶିଷ ନାୟକ ଏବଂ ହରି ଖୁଣ୍ଟିଆଙ୍କ ମଧ୍ୟରେ କିଛି ଦିନ ହେଲା ଚାଲିଛି ସିଧା ଲଢ଼େଇ।କଥା ଥାନା ଯାଏଁ ବି ଯାଇଛି।ହରି ଖୁଣ୍ଟିଆଙ୍କ ଉପରେ ଦେବାଶିଷ ଆକ୍ରମଣ କରିବା ଏବଂ ଏଥିରେ ପରୋକ୍ଷରେ ସାଂସଦଙ୍କ ନାମ ମଧ୍ୟ ଉଠାଇ ସାରିଛନ୍ତି ହରି ଖୁଣ୍ଟିଆ।ଆଉ ଏହି କାରଣ ଯୋଗୁଁ ଘୋଷଣା ହୋଇ ପାରିଲା ନାହିଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି।

କଳାହାଣ୍ଡି ସାଂସଦ ହେଲେ ଏବେକାର ରାଜ୍ୟ ସଭାପତି ବସନ୍ତ ପଣ୍ଡା।କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭବାନୀପାଟଣା ବିଧାନସଭା ଆସନରୁ ବିଧାୟକ ହେଲେ ପ୍ରଦୀପ୍ତ କୁମାର ନାୟକ।ସେ ଏବେ ବିରୋଧୀ ଦଳ ନେତା।ପୂର୍ବରୁ ସେ ଥିଲେ ଭବାନୀପାଟଣା ଜିଲ୍ଲା ସଭାପତି। ଡାଇରେକ୍ଟ୍ ବିରୋଧୀ ଦଳ ଉପନେତା। ବସନ୍ତ ପଣ୍ଡା ଅଛନ୍ତି ରାଜ୍ୟ ସଭାପତି।ଏବେ ସଭାପତି ବଦଳିବେ।ସେ ରିପିର୍ଟ୍ ହେବା କଥା ମଧ୍ୟ ଉଠୁଛି, କିନ୍ତୁ ଏବେ ଯାହା ଚାଲିଛି କିଛି କହି ହେଉନି।ତେଣୁ ନିଜ ଅଞ୍ଚଳରେ ନିଜ ପ୍ରଭାବ ରଖିବାକୁ କଳାହାଣ୍ଡି ଜିଲ୍ଲା ସଭାପତି ଆସନରେ ନିଜ ସମର୍ଥକଙ୍କୁ ବସାଇବାକୁ ବସନ୍ତ ଏବଂ ପ୍ରଦୀପ୍ତଙ୍କ ଭିତରେ ଲଢ଼େଇ ଚାଲିଛି ବୋଲି କୁହାଯାଉଛି।ଏବେକାର ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ଉପନେତା, ଦୁଇଦୁଇ ଜଣ ତୁଙ୍ଗ ନେତା ନିଜ ଜିଲ୍ଲାରେ ସହମତି ଆଣି ପାରିଲେ ନାହିଁ।ଗୋଟିଏ ନାମକୁ ନେଇ ଉଭୟଙ୍କ ମଧ୍ୟରେ ସହମତି ହୋଇପାରୁନି।ନିଜ ଜିଲ୍ଲାକୁ ସମ୍ଭାଳି ପାରୁ ନାହାଁନ୍ତି, ଆଉ ଚାଲିଛନ୍ତି ରାଜ୍ୟ ସମ୍ଭାଳିବାକୁ!ଏଣେ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କାରଣରୁ ଭୁବନେଶ୍ୱର ପାଇଁ ମଧ୍ୟ ସହମତି ହୋଇପାରୁନି ବୋଲି ଆଲୋଚନା ହେଉଛି।ଏହାକୁ ଦେଖି ଅନୁଭବ ହେଉଛି, ରାଜ୍ୟରେ ସିନା  ତଳ ସ୍ତରର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଏ’ ମୁଖିଆ ମାନେ ବୁଝାଇ ଦେଲେ, କିନ୍ତୁ ଏମାନେ ନିଜେ ଅବୁଝା ରହିଗଲେ!/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.