Home ଜିଲ୍ଲା ପରିକ୍ରମା ଜାମିନ୍ ଖାରଜ ପରେ ବି ଅଭିଯୁକ୍ତ ଜେଲ୍‌ରୁ ଖଲାସ

ଜାମିନ୍ ଖାରଜ ପରେ ବି ଅଭିଯୁକ୍ତ ଜେଲ୍‌ରୁ ଖଲାସ

143

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମିନ୍ ଖାରଜ ହେବା ପରେ ବି ଜଣେ ଅଭିଯୁକ୍ତ ଜେଲ୍‌ରୁ ମୁକୁଳି ଘରେ ପହଞ୍ôଚବା ପରେ ଖବର ଜଣାପଡିବାରୁ ପୁଲିସ୍ ଅଭିଯୁକ୍ତକୁ ଘରୁ ଉଠାଇ ଆଣି ପୁଣି ଜେଲ୍ ପଠାଇବା ଭଳି ମଜାଦାର ଘଟଣା ଭଦ୍ରକରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ଚାପୁଣ୍ଡିଆ ଗ୍ରାମର ପୁରୁଷୋତ୍ତମ ନାୟକଙ୍କ ସହ ସେହି ଗ୍ରାମର ଦିଲ୍ଲୀପ ନାୟକ ଓ ଅନ୍ୟ କେତେକ ଲୋକମାନଙ୍କର ଦୀର୍ଘଦିନର ଶତ୍ରୁତା ରହିଥିଲା । ଘର ନିର୍ମାଣକୁ ନେଇ ଗତ ୧୪ ତାରିଖରେ ଉଭୟପକ୍ଷଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇ ସାବରଙ୍ଗ ଥାନାରେ କେଶ୍ ନଂ ୧୬୩/୨୧ ଓ ୧୬୪/୨୧ ରେ ଦୁଇଟି ମାମଲା ରୁଜୁ ହୋଇଥିଲା । ତେବେ ଦିଲ୍ଲୀପଙ୍କ ପତ୍ନୀ ଦୀପାଞ୍ଜଳିଙ୍କ ଅଭିଯୋଗ କ୍ରମେ ଆଇନ୍‌ଜୀବୀ ପ୍ରଦୀପ ନାୟକ ତାଙ୍କ ପିତା ପୁରୁଷୋତ୍ତମ ନାୟକ ଓ ଭାଇ ପ୍ରସନ୍ନ ନାୟକଙ୍କୁ ପୁଲିସ୍ ଗିରଫ କରି କୋର୍ଟ ପଠାଇଥିଲା । ସେମାନଙ୍କ ବିରୁଦ୍ଧରେ ୩୦୭ ଦଫା ଲାଗିଥିବାରୁ ଜାମିନ୍ ନାମଂଜୁର ହୋଇ ସେମାନେ ଜେଲ୍‌ରେ ଥିଲେ । ଏହି ଆଦେଶ ବିରୁଦ୍ଧରେ ଜିଲା ଜଜ୍ କୋର୍ଟରେ ବିଏଲ୍‌ଏପିଏଲ୍‌. ନଂ ୭୭୨/୨୧ ମୂଳେ ଆଇନ୍‌ଜୀବୀ ପ୍ରଦୀପ ନାୟକ ଓ ୭୭୩/୨୧ ମୂଳେ ତାଙ୍କ ପିତା ଓ ଭାଇ ଙ୍କ ଦାଖଲ ଦରଖାସ୍ତର ମାମଲାକୁ ଏକସାଥୀରେ ବିଚାର କରି ମାନ୍ୟବର ଜିଲାଜଜ୍ ଗତକାଲି ପୁରୁଷୋତ୍ତମ ଓ ପ୍ରଦୀପଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜାମିନ୍‌ରେ ଛାଡିବା ପାଇଁ ଆଦେଶ ଦେଇଥିଲେ ମଧ୍ୟ ପ୍ରସନ୍ନ ଜାମିନ୍‌କୁ ଖାରଜ କରିଦେଇଥିଲେ । ମାତ୍ର ପ୍ରଦୀପ ଓ ପୁରୁଷୋତ୍ତମକୁ ଏସ୍‌ଡିଜେଏମ୍ ଜାମିନ୍‌ରେ ଛାଡିବା ସହ ଭୁଲ୍ ବଶତଃ ପ୍ରସନ୍ନଙ୍କୁ ମଧ୍ୟ ଜେଲ୍‌ରୁ ମୁକୁଳିବା ପାଇଁ ଆଦେଶ ଦେଇଥିବାରୁ ସେ ଜେଲ୍‌ରୁ ମୁକୁଳି ଘରେ ରହିଥିଲେ । ଆଜି ଏମିତି ଭୁଲ୍ ନିର୍ଦ୍ଦେଶନାମା ବିଷୟରେ ଜଣାପଡିବା ପରେ ସାବରଙ୍ଗ ଥାନା ପୁଲିସ୍ ତୁରନ୍ତ ତାଙ୍କୁ ଘରୁ ଉଠାଇଆଣି ପୁଣି ଜେଲ୍‌କୁ ପଠାଇ ଦିଆଯାଇଛି । ଏଠାରେ ପ୍ରକାଶ ଥାଉକି ଆଇନ୍‌ଜୀବୀ ପ୍ରଦୀପ ନାୟକଙ୍କ ଗିରଫ ପ୍ରତିବାଦରେ ଭଦ୍ରକର ଆଇନ୍‌ଜୀବୀ ମାନେ କିଛିଦିନ ହେବ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାବ୍ୟାଚ୍ ପରିଧାନ କରି ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ନିଜର ଆପତ୍ତି ଜଣାଇ ସାବରଙ୍ଗ ଥାନାଧିକାରିଣୀଙ୍କ ଏକତରଫା ଗିରଫଦାରୀ ପାଇଁ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଆସୁଥିଲେ । ପ୍ରସନ୍ନଙ୍କ ଜାମିନ୍ ଖାରଜ ପରେ ବି ଜେଲ୍‌ରୁ ମୁକୁଳିବା ଓ ପରେ ଆଜି ଗିରଫ ହେବା ଖବର ଆଜି ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.