Home ଜିଲ୍ଲା ପରିକ୍ରମା ଜାତୀୟ ରାଜପଥ ନିର୍ମାଣର ଅଗ୍ରଗତିକୁ ନେଇ ସାଂସଦଙ୍କ କ୍ଷେତ୍ର ପରିଦର୍ଶନ, ବିଷ୍ଣୁପୁର, ଚରମ୍ପା କଲେଜ ଛକ...

ଜାତୀୟ ରାଜପଥ ନିର୍ମାଣର ଅଗ୍ରଗତିକୁ ନେଇ ସାଂସଦଙ୍କ କ୍ଷେତ୍ର ପରିଦର୍ଶନ, ବିଷ୍ଣୁପୁର, ଚରମ୍ପା କଲେଜ ଛକ ଓ ତ୍ରିଶଳପୁର ଠାରେ ନିର୍ମାଣ ହେବ ନୂଆ ପୋଲ

33

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନସାଧାରଣ, ଛାତ୍ରଛାତ୍ରୀଙ୍କ ଗମନାଗମନର ନିରାପତ୍ତାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ୧୬ନଂ ଚଣ୍ଡିଖୋଲ ଠାରୁ ଭଦ୍ରକ ମଧ୍ୟରେ ଆଉ ୩ଟି ପୋଲ ନିର୍ମାଣ ହେବ । ଜନସାଧାରଣଙ୍କ ଦାବି ଅନୁଯାୟୀ ପ୍ରସ୍ତାବିତ ଏହି ୩ଟି ନୂଆ ବୋଲ ନିର୍ମାଣ ସ୍ଥାନକୁ ସାଂସଦ ମଂଜୁଲତା ମଣ୍ଡଳ ପରିଦର୍ଶନ କରିଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ସେ ସ୍ଥାନୀୟ ଜନସାଧାରଣଙ୍କ ଦାବିର ଯଥାର୍ଥତା ଥିବାର ଉପଲବ୍ôଧ କରିଥିଲେ । ଏହି ବିପଦ ସଂକୁଳ ସ୍ଥାନଗୁଡିକରେ ପୋଲ ନିର୍ମାଣ ପାଇଁ ତୁରନ୍ତ ନକ୍ସା ଅଟକଳ ପ୍ରସ୍ତୁତ କରି ଜାତୀୟ ରାଜପଥ ମୁଖ୍ୟାଳୟର ଅନୁମୋଦନ ଲାଭ ପରେ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପସ୍ଥିତ ସ୍ଥାନୀୟ ଲୋକଙ୍କୁ ଶ୍ରୀମତୀ ମଣ୍ଡଳ ପ୍ରତିଶ୍ରୁତି ଦେଇଥିଲେ । ଜାତୀୟ ରାଜପଥର ବିପଦ ସଂକୁଳ ସ୍ଥାନଗୁଡିକ ହେଲା ଭଦ୍ରକ ବ୍ଲକ୍‌ର ତ୍ରିଶଳପୁର ଛକ, ଚରମ୍ପା କଲେଜ ଛକ ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ବିଷ୍ଣୁପୁର ଛକ । ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଭଦ୍ରକ ମଧ୍ୟରେ ୬ ଥାକିଆ ରାସ୍ତା ନିର୍ମାଣର ଅଗ୍ରଗତି ବାବଦରେ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଥିଲେ । ସାଂସଦଙ୍କ ସହ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ତଥା ଅନ୍ୟ ପଦାଧିକାରୀ, ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଭଦ୍ରକ ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ଦାବୀ ଅନୁଯାୟୀ ୧୬ ଟି ପ୍ରସ୍ତାବିତ ପୋଲ ନିର୍ମାଣର ସଂପ୍ରସାରଣ ଓ ନୂତନ ନିର୍ମାଣ ପାଇଁ ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକଣୀଙ୍କୁ ପତ୍ର ଲେଖିବା, ସଂସଦୀୟ ଅଧିବେଶନରେ ବ୍ୟକ୍ତିଗତ ସାକ୍ଷାତ୍ କରିବା ସହିତ ସଂସଦର ଶୂନ୍ୟ କାଳରେ ଉକ୍ତ ପ୍ରସଙ୍ଗରେ ଦାବି ରଖିଥିଲେ ।

ତଦନୁସାରେ ପତ୍ର ସଂଖ୍ୟା ଓଆର୦୦୧୫୯୭, ତା ୧୮.୦୮.୨୧ ରିଖ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି ଭଦ୍ରକ ସାଂସଦଙ୍କ ସମସ୍ତ ଦାବି ଓ ଅନୁରୋଧ ଗ୍ରହଣ କରିଛନ୍ତି ବୋଲି ଜଣାଇଛନ୍ତି । ତନ୍ମଧ୍ୟରୁ ଛତାବର, ଭଣ୍ଡାରିପୋଖରୀ ବଜାର, ମାଲଦା ଛକ, ଧାମନଗର ଛକ, ବାରିକପୁର ଛକ, ନଳାଙ୍ଗ ଛକ, ସାମରାଇପୁର, ଆରଡି ଛକ, ନୂଆ ବସ୍‌ଷ୍ଟାଣ୍ଡ, ଡାହାଣୀଗଡିଆ, ଚରମ୍ପା, ରାଣୀତାଲ (୩ଟି), ମାର୍କୋଣା, ସୋର (୩ଟି), ବିଦୁ, ବାହାନଗା ଠାରେ ବିଭାଗୀୟ ଜାତୀୟ ରାଜପଥ ପ୍ରାଧିକରଣ ଅନୁମୋଦନ ଲାଭ କରି କାର୍ଯ୍ୟ ଚାଲୁଛି । ଏତଦ୍‌ବ୍ୟତୀତ ଆଉ ୫ଟି ପ୍ରସ୍ତାବିତ ପୋଲ ଯଶୋଟିକିରି ହାଇସ୍କୁଲ ଛକ, ଛତାବର ୱାଟର ଚେନାଲ, ମାର୍କୋଣା, ବିଦୁ ଓ ଜାତୀୟ ରାଜପଥର ବୈଷୟିକ ଜ୍ଞାନ କୌଶଳ ବିଭାଗରୁ ସୁପାରିଶ ହୋଇ ଅନୁମୋଦନ ଅପେକ୍ଷାରେ ରହିଛି । ତନ୍ମଧ୍ୟରୁ ଜନସାଧାରଣଙ୍କ ଦାବି ଅନୁସାରେ ଜାତୀୟ ରାଜପଥର ୧୬ନଂ ଭଦ୍ରକ ବ୍ଲକ୍ ତ୍ରିଶଳପୁର ଛକ, ଚରମ୍ପା କଲେଜ ଛକ ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ବିଷ୍ଣୁପୁର ଛକଠାରେ ନୂତନ ପୋଲ ନିର୍ମାଣ ନିମନ୍ତେ କ୍ଷେତ୍ର ପରିଦର୍ଶନ କରିଥିଲେ । ଗତ ସଂସଦୀୟ ଅଧିବେଶନରେ ଭଦ୍ରକ ସାଂସଦଙ୍କ ଏକ ଅଣତାରକା ପ୍ରଶ୍ନ ଚଣ୍ଡିଖୋଲ ଠାରୁ ଭଦ୍ରକ ୬ ଥାକିଆ ରାସ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଲିଖିତ ଉତ୍ତର ରଖିଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ମଳୟ ଜେନା, ଭଦ୍ରକ ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ରଘୁନାଥ ପଣ୍ଡା, ଅମୂଳ୍ୟ ନାୟକ, ଶିଶିର ମିଶ୍ର, ବ୍ରଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.