Home ଜିଲ୍ଲା ପରିକ୍ରମା ଜଳ ସେଚନ ବିଭାଗର ଅଦୁରଦର୍ଶିତା ଧାନ ଅମଳ ବେଳେ କେନାଲ ଜଳଯୋଗାଣ , ପାଣିରେ ବୁଡିଲା...

ଜଳ ସେଚନ ବିଭାଗର ଅଦୁରଦର୍ଶିତା ଧାନ ଅମଳ ବେଳେ କେନାଲ ଜଳଯୋଗାଣ , ପାଣିରେ ବୁଡିଲା ପାଚିଲା ଧାନ

100

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ ଅମଳବେଳେ ପାଚିଲା ଧାନ କିଆରୀ ପାଣିରେ ଭାଷୁଛି । କଟାଯାଇନଥିବା ଧାନ ଉପରେ ପାଣି ବୁଡିି ରହିଥିବା ବେଳେ କଟାହୋଇ ଅମଳ ଅପେକ୍ଷାରେ ଥିବା ଧାନ ପାଣିରେ ଭାଷୁଛି । ଯାହାକୁ ନେଇ କେନାଲ ପାଖିଆ ଜମିର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିନା ବର୍ଷାରେ ଜଳ ସେଚନ ବିଭାଗ ଦାୟିତ୍ୱ ହିନତା ଯୋଗୁ ଏହି ପରିସ୍ଥିତି ଉପୁଜିଛି । ସାଳନ୍ଦୀ କେନାଲ ଅବବାହିକାରେ ଅବସ୍ଥିତ ତିହିଡି ବ୍ଲକ କୁବେରା ପଂଚାୟତ ରେ ଦେଖିବାକୁ ମିଛି ଏହି ଘଟଣା । ଅସମୟରେ କେନାଲ ଜଳ ଯୋଗାଣ ଯୋଗୁ ଅମଳ ହେବାକୁ ଯାଉଥିବା ପାଚିଲା ଧାନ କିଆରୀ ଏବେ କେନାଲ ପାଣିରେ ଉବୁଟୁବୁ ହେଉଛିି । ଫଳରେ ଏହି ପଂଚାୟତର କଷଟି ଏବଂ ଦେଉଳା ପ୍ରଭୁତି ରାଜସ୍ୱ ଗ୍ରାମର ଶହ ଶହ ହେକ୍ଟର ଜମିରେ ଧାନ ଫସଲ ଉଜୁଡିଯିବା ପରିସ୍ଥିତି ଉପୁଜିଛି । ଚଳିତବର୍ଷ ଅସମୟ ବନ୍ୟା ସାଙ୍ଗକୁ କରୋନା ସଙ୍କଟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ପଛୁଆ ବେଉଷଣ କରି କୌଣସିମତେ ଚାଷ ସମ୍ଭାଳି ନେବାର ପ୍ରୟାସ କରିଥିଲା ଚାଷୀ । ପ୍ରତିକୁଳ ପାଣିପାଗ ସତ୍ୱେ ଚଳିତଥର ଭଲ ଧାନ ଅମଳ ହେବ ବୋଲି ଚାଷୀ ଆଶା ବାନ୍ଧିଥିଲେ । ହେଲେ ଅସମୟ କେନାଲ ପାଣି ପାଚିଲା ଧାନ କ୍ଷେତରେ ପସିଯିବା ଯୋଗୁ ପରିବାର ପ୍ରତିପୋଷଣ ଚିନ୍ତାରେ ଅଥୟ ହୋଇ ପଡିଛନ୍ତି ଶହ ଶହ ଚାଷୀ । ଏଥିନେଇ ସାଳନ୍ଦୀ କେନାଲ ଡିଭିଜନ ଏବଂ ଜିଲ୍ଳା ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏ ଏହାର କୌଣସି ପ୍ରତିକାର କରାଯାଇନଥିବା କଥା କହନ୍ତି ଚାଷୀ ମହେଶ୍ୱର ପରିଡା ଏବଂ ଶୁଶାନ୍ତ ନାୟକ । ଅନ୍ୟପକ୍ଷରେ ଜିଲ୍ଳାରେ ଖରିଫ ଜଳ ଯୋଗାଣ ଅକ୍ଟୋବର ପହିଲାରେ ସରିଯାଉଥିଲେ ମଧ୍ୟ ତଳ ଅଂଚଳର କିଛି ଚାଷୀଙ୍କ ଅନୁରୋଧ ରକ୍ଷା କରି କେନାଲ ଜଳ ଯୋଗାଣ କୁ ଚଳିତମାସ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ୭ ତାରିଖ ଦିନ ତଳ ମୁଣ୍ଡରେ ଜନୈକ ବ୍ୟକ୍ତି ଚେନପୁଲି ଲଗାଇ ଜଳ ଭଣ୍ଡାରର ୨ ଗୋଟି ଗେଟକୁ ଟେକି ଦେବା ଯୋଗୁ କେନାଲରେ ଜଳ ପ୍ରବାହିତ ହୋଇ ଚାଷଜମିକୁ କ୍ଷତିଗ୍ରସ୍ତ କରିଥିବା କଥା କହିଛନ୍ତି ସାଳନ୍ଦୀ ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆର୍ତତ୍ରାଣ ସାହୁ । ଏହି ଘଟଣା ପରେ ସଂକ୍ତୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଜଳ ଭଣ୍ଡାରରେ ୨୪ ଘଂଟିଆ ପହରା ବ୍ୟବସ୍ଥା କରାଯାଇଥିବା କଥା କହିଛନ୍ତି ନିର୍ବାହୀ ଯନ୍ତ୍ରୀ । ତେବେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଏବାବଦରେ ଯାହା କିଛି ସଫେଇି ଦିଅନ୍ତୁନା କାହିିଁକି କ୍ଷେତ୍ରୀୟ ଅନୁଧ୍ୟାନ ନକରି ଧାନ ଅମଳବେଳେ ମନଇଛା କେନାଲରେ ଜଳ ଛାଡିବା ଘଟଣା ବିଭାଗିୟ ଅପାରଗତାକୁ ପଦାରେ ପକାଇ ଦେଇଛି । ଫଳରେ ଚାଷୀଙ୍କ ସକାସେ ବରଦାନ ସାବ୍ୟସ୍ତ ହେଉଥିବା ଭଦ୍ରକ ଜିଲ୍ଲାର ସାଳନ୍ଦୀ କେନାଲ ଜଳ ଯୋଗାଣ ଏବେ ଅଭିଷାପରେ ପରିଣତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.