Home କେନ୍ଦୁଝର ଚୋର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଅଟକ ରଖି ପୁଲିସ ଜିମା ଦେଲେ ଗ୍ରାମବାସୀ

ଚୋର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଅଟକ ରଖି ପୁଲିସ ଜିମା ଦେଲେ ଗ୍ରାମବାସୀ

25

 

ହାଟଡିହି- ୯/୧ (ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ମଝିଗାଁ ଗ୍ରାମରେ ଦୁଇଜଣ ଯୁବକଙ୍କୁ ଚୋର ସନ୍ଦେହରେ ଧରି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଖବରରୁ ଜଣାଯାଇଛି ଯେ ଆଜି ସକାଳେ ମଝିଗାଁ ଗ୍ରାମ ନିକଟ ବୈତରଣୀ ନଦୀବନ୍ଧ ଉପରେ ଦୁଇଜଣ ଯୁବକ ଏକ ବାଇକରେ ଯାଉଥିବା ସମୟରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ସାଇଟ ମାରିଥିଲେ । ଏହାକୁନେଇ ସେମାନଙ୍କ ମଧ୍ୟରେ କଥାକଟାକଟି ହେବାରୁ ବାଇକ ଆରୋହୀ ଯୁବକ ଦୁଇଜଣ ଉକ୍ତ ବ୍ୟକ୍ତିଙ୍କୁ ମାରପିଟ କରିବା ସହ ତାକୁ ନଦୀବନ୍ଧ ତଳକୁ ଠେଲି ଦେଇଥିଲେ । ସେ ନଦୀବନ୍ଧରେ ପଡିଯାଇ ଖଣ୍ଡିଆ ଖାବରା ହୋଇପଡିଥିଲା । ଏହାଦେଖି ସ୍ଥାନୀୟ କିଛି ବ୍ୟକ୍ତି ଦଉଡିଆସି କାହିଁକି ମାରିଲ ବୋଲି ପଚାରିବାରୁ ଉକ୍ତ ଯୁବକ ଦୁଇଜଣ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ଗ୍ରାମବାସୀମାନେ ଘେରିଯାଇ ତାଙ୍କ ବ୍ୟାଗ ଦେଖିବାରୁ ସେଥିରେ ଭୁଜାଲି, ଲଙ୍କାଗୁଣ୍ଡ, ଗଞ୍ଜେଇ ସହିତ ଅନ୍ୟାନ୍ୟ ଚୋରୀ କରିବା ଉପକରଣ ଥିବା ଦେଖିଥିଲେ । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । ଉକ୍ତ ଯୁବକ ଦୁଇଜଣଙ୍କୁ ଗ୍ରାମବାସୀମାନେ ପଚାରିବାରୁ ସେମାନେ ବିଭିନ୍ନ ସ୍ଥାନରୁ ଚୋରୀ କରିଥିବା ସ୍ୱୀକାର ମଧ୍ୟ କରିଥିଲେ । ଏନେଇ ଗ୍ରାମବାସୀମାନେ ସେମାନଙ୍କୁ ବାନ୍ଧି ପକାଇ ପୁଲିସକୁ ଖବର ଦେଇଥିଲେ । ପୁର୍ବରୁ ଅଧିକାଶଂ ସମୟରେ ଏହି ସବୁ ଅଞ୍ଚଳରେ ଥିବା ଅନେକ ଦେବାଦେବୀ ମନ୍ଦିର ଓ ଦୋକାନରୁ ନିୟମିତ ଚୋରୀ ହେଉଥିବାବେଳେ ପୁଲିସ ଚୋରଙ୍କୁ ଠାବ କରିବାରେ ସଫଳ ହୋଇପାରି ନଥିଲା । ଏହି ଯୁବକ ଦ୍ୱୟଙ୍କ ସହ ଆଗିରିଆ ଗ୍ରାମର କିଛି ବ୍ୟକ୍ତି ଓ ଆଉ କିଛି ସ୍ଥାନୀୟ ଲୋକ ତାଙ୍କ ସହିତ ସଂପୃକ୍ତ ଅଛନ୍ତି ବୋଲି କହିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ଉକ୍ତ ବ୍ୟକ୍ତି ମାନଙ୍କୁ ଥାନାକୁ ନେଇ ପଚରା ଉଚରା କରୁ ବୋଲି ଦାବିରେ ଚୋରଙ୍କୁ ଆଣିବାକୁ ଯାଇଥିବା ପୁଲିସଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିଲେ । ଖବରପାଇ ଥାନା ଅଧିକାରୀ ମଦନ ମୋହନ ନାୟକ, ଏସ.ଆଇ ନରେଶ ଦାସ, ଏସ.ଆଇ ସୁପ୍ରଭା ବେହେରା, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ଅଟକ ଦୁଇଜଣଙ୍କୁ ଥାନାକୁ ନେଇ ଆସିଥିଲେ । ସେମାନେ ବ୍ୟବହାର କରିଥିବା ବାଇକଟି ମଧ୍ୟ ଏକ ଚୋରା ବାଇକ ବୋଲି ଜଣାଯାଇଛି । ପୁଲିସ ବାଇକଟିକୁ ମଧ୍ୟ ଜବଦ କରିଛି । ଅଟକ ଯୁବକଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲା ନାଆମି ଗ୍ରାମର ପିତବାସ ଜେନା ହୋଇଥିବାବେଳେ ଆଉ ଜଣେ ଆଇତିପୁର ଗ୍ରାମର ବାପି ଜେନା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.