Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ : ଶିକ୍ଷାନୁଷ୍ଠାନରେ ଅନୁଦାନ ଆତ୍ମସାତ, ହେଉନାହିଁ ଅଡିଟ, ପ୍ରଧାନଶିକ୍ଷକ, ସିଆରସିସି ,ବିଆରସିସି ଏବଂ...

ଚାନ୍ଦବାଲି ବ୍ଲକ : ଶିକ୍ଷାନୁଷ୍ଠାନରେ ଅନୁଦାନ ଆତ୍ମସାତ, ହେଉନାହିଁ ଅଡିଟ, ପ୍ରଧାନଶିକ୍ଷକ, ସିଆରସିସି ,ବିଆରସିସି ଏବଂ ବିଇଓଙ୍କ ମନମାନୀରେ ଚାଲିଛି ସମଗ୍ର ଶିକ୍ଷା ଅଭିଯାନ

1

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ପ୍ରାଥମିକ ନୋଡାଲ ବିଦ୍ୟାଳୟ ସଂଖ୍ୟା ୨୯୬ ଥିବା ବେଳେ ସରକାର ଏହି ସଂଖ୍ୟା ୩୨୧ କରିବାକୁ ଯୋଜନା ରଖିଛନ୍ତି। ଏହି ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ। ସରକାର ଖୋଲି ଚାଲିଛନ୍ତି ବିଦ୍ୟାଳୟ ମାତ୍ର ଏହି ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ର ମାନ ଦିନକୁ ଦିନ ହ୍ରାସ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନେ ବେସରକାରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି। ଚାନ୍ଦବାଲି ବ୍ଲକରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଉନ୍ନତି କରଣ ଏବଂ ଅନ୍ୟାନ୍ୟ ବାବଦରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ଏହି ଅର୍ଥ ର ସୁବିନିଯୋଗ ହେଉଛି କି ନାହିଁ ତାହାର ଅଡିଟ ଆଜି ପର୍ଯ୍ୟନ୍ତ ହେଉନାହିଁ। ୨୦୦୧-୦୨ ମସିହାରେ ସରକାର ସମସ୍ତ ବିଦ୍ୟାଳୟକୁ ସର୍ବଶିକ୍ଷା ଅଭିଯାନରେ ସାମିଲ କଲେ। ଏହି ଅଭିଯାନରେ ବିଦ୍ୟାଳୟ ଉନ୍ନତିକରଣ ଯଥା ନୂତନ ଶ୍ରେଣୀ ଗୃହ ନିର୍ମାଣ, ପାଠାଗାର, ଖେଳ ପଡିଆ, ପାଇଖାନା,ପାନୀୟ ଜଳ, ବିଦ୍ୟୁତ ସଂଯୋଗୀ କରଣ ଚେୟାର ବେଂଚ ନିର୍ମାଣ,କମ୍ପ୍ୟୁଟର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ଏହାର ବିନିଯୋଗ ପ୍ରମାଣ ପତ୍ର ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାର ନିୟମ ଅଛି। ମାତ୍ର ସବୁ ପ୍ରଧାନ ଶିକ୍ଷକ ଏହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ ଅଥବା ବିଡିଓ ମାନଙ୍କୁ ଏହାର ସୁବିନିଯୋଗ ପ୍ରମାଣ ପତ୍ର ଦେଉ ନାହାନ୍ତି। ସର୍ବଶିକ୍ଷା ଅଭିଯାନ ୨୧ ବର୍ଷ ଚାଲିବା ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହାକୁ ସମଗ୍ର ଶିକ୍ଷା ଅଭିଯାନ ନାମରେ ନାମିତ କରାଗଲା। ଏହି ଅଭିଯାନରେ ସର୍ବଶିକ୍ଷା ଅଭିଯାନରେ ଆସୁଥିବା ଅନୁଦାନ ଠାରୁ ବହୁ ଗୁଣରେ ଅର୍ଥ ମଧ୍ୟ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ହାତ ଦେଇ ଖର୍ଚ କରାଗଲା ମାତ୍ର ଏହି ସମସ୍ତ ଖର୍ଚର ସୁବିନିଯୋଗ ପ୍ରମାଣ ପତ୍ର ମଦ୍ୟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଉନାହିଁ। ଏତଦ ବ୍ୟତୀତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ, ଖେଳକୁଦ, କଂଟିଜେନସି(ଆକସ୍ମିକତା) ବାବଦରେ କୋଟି କୋଟି ଟଙ୍କା ଆସୁଥିବା ବେଳେ ଏହାର ମଧ୍ୟ ସୁବିନିଯୋଗ ହେଉ ନାହିଁକି ସଠିକ ପ୍ରମାଣପତ୍ର ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଉନାହିଁ। ଏଥିସହ ବ୍ଲକରେ ଥିବା ବିଇଓ,ବିଆରସିସି, ସିଆରସିସି ଙ୍କ ହାତ ଦେଇ ବହୁ ଅନୁଦାନ ଆସୁଥିବା ବେଳେ ଏହି ସମସ୍ତ ଖର୍ଚ ର ସୁବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଉ ନାହିଁ। ବିଦ୍ୟାଳୟରେ କୋଟି କୋଟି ଟଙ୍କା ଖର୍ଚ ହେଉଥିବା ବେଳେ କୌଣସି ଏକ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ, ବିଞାନଗାର ଥିବା ସତ୍ୱେ କୌଣସି ଉପକରଣ ନଥିବା , ପାଠାଗାରରେ ବହିର ଅଭାବ ପରିଲକ୍ଷିତ, ଛାତ୍ରଛାତ୍ରୀ ମାନଙ୍କୁ ପରିଦର୍ଶନ କରିବା ଆଳରେ ବହୁ ଟଙ୍କା ହେରଫେର, ମୋସ୍କୁଲ ଯୋଜନାକୁ ସୁପରିଚାଳନା କରିବା ଓ ମାର୍ଗ ଦର୍ଶନରେ କୌଣସି ଜିଲ୍ଲା ଶିକ୍ଷାଧିକାରୀ ଧ୍ୟାନ ଦେଉ ନାହାନ୍ତି ଫଳେô ସଂପୃକ୍ତ ପ୍ରଧାନ ଶିକ୍ଷକ ନିଜ ମନମାନୀରେ ଖର୍ଚ କରି ନିଜର ଇଛା ମୁତାବକ ଖର୍ଚ ଚିଠା ଆଗତ କରୁଛନ୍ତି। ଶିକ୍ଷା ଏବଂ ବିଦ୍ୟାଳୟ ପରିଚାଳନା କରିବା ପାଇଁ ଥିବା ସ୍ୱତନ୍ତ୍ର ନିୟମକୁ ଜଳାଞ୍ଜଳି ଦେଉଥିବା ନେଇ ଅଭିଯୋଗ ହେଉ ଥିଲେ ମଧ୍ୟ ତାହାକୁ କୌଣସି ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଗୁରୁତ୍ୱ ଦେଉ ନାହାନ୍ତି ଫଳରେ ଆଜି ଭଳି ଦିନରେ ସର୍ବ ଶିକ୍ଷା ଅଭିଯାନ ହେଉ ଅଥବା ସମଗ୍ର ଶିକ୍ଷା ଅଭିଯାନ ସଂପୂର୍ଣ ଭୁଷୁଡି ପଡିଛି। ଆଜି ଭଳି ଦିନରେ ଦୀର୍ଘ ୨୫ବର୍ଷ ଧରି କୌଣସି ଅଡିଟ ହୋଇ ନଥିବା ବେଳେ ଏହି ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷାନୁଷ୍ଠାନ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କ ସମସ୍ତ ବିଲ ଅଡିଟ ପରିସର ଭୁକ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । ଏହି ଅଡିଟ କରାଗଲେ କୋଟି କୋଟି ଟଙ୍କା ବାଟମାରଣ ହୋଇଥିବା ତଥ୍ୟ ଲୋକ ଲୋଚନକୁ ଆସି ପାରିବ ବୋଲି ଶିକ୍ଷକ ନେତା ତଥା ଶିକ୍ଷାବିତ ପ୍ରଫୁଲ ଦାସ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେଲେ ବହୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜିବୀ ମାନେ ଦାବୀ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.