Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର, ୪ଟି ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର,ବିପଦପୂର୍ଣ୍ଣ...

ଚାନ୍ଦବାଲିରେ ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର, ୪ଟି ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର,ବିପଦପୂର୍ଣ୍ଣ ଭାବେ ୪ଫୁଟ ବନ୍ୟାଜଳରେ ପଶି ପୀଠକୁ ଆସିଲେ କାଉଡ଼ିଆ

1

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଂଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁ ଲୋକଙ୍କ ପାଇଁ ଦୁଃଖ ସାଜିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଗତ ୩ଦିନ ହେଲା ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏପରିକି ସୁନ୍ଦରପୁର ପଂଚାୟତର ଖଟୁଆପାଟଣା, ପାରଡିଆ, ଦୋହରାପାଟଣା , ଚମ୍ପାସାହି ଆଦି ଗାଁ ଦାଣ୍ଡ ଓ ଘରେ ପାଣି ପଶିବାରୁ ଲୋକମାନେ ଦୟନୀୟ ଭାବେ ରାସ୍ତା ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ସେହିପରି ଓଳଗ ପଂଚାୟତର ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, କୁଳେଇପଦା ସହ ଆରଡି ଓ ନାନ୍ଦପୁର ପଂଚାୟତର ମୁଁଆ, ସନ୍ତରା, ବାତୋଳ, ସିଙ୍ଗିପୁର, ସାନପଙ୍କି, ଶୀତଳପୁର, ପାଲଟପୁର, କୋଇଲିଖା, ଭୁଇଁପୁର, ବାଙ୍କମୁଆ, ପହଣା ଆଦି ୨୪ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଫଳରେ ଏହି ଗାଁ କୁ ଯିବାକୁ ହେଲେ ଡଙ୍ଗା ସାହାଭରଷା ସାଜିଛି। ଏପରିକି ଦୀର୍ଘ ୩ଦିନ ହେବ ବନ୍ୟା ଘେରରେ ହଜାରହଜାର ବିପନ୍ନ ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦେବା ତ ଦୂରର କଥା ପିଇବା ପାଣି ମୁନ୍ଦାଏ ମିଳିନଥିବା କହିଛନ୍ତି ବିପନ୍ନମାନେ। ଏପରିକି ବହୁ ସ୍ଥାନରେ ନଳକୂପ ଓ ପାଣି ଟ୍ୟାପ ବୁଡି ରହିଥିବାରୁ ଲୋକମାନେ ବନ୍ୟାପାଣି ପିଉଛନ୍ତି। ଅନ୍ୟପଟେ ବୋଡକ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ କୂଳ ଲଘିଂବାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥ ଉପରେ ୪/୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯାଇଛି। ସେହିପରି ଆଖଣ୍ଡଳମଣି-ଚାନ୍ଦ୍ୱାଲି ରାସ୍ତାର ମୁଁଆ ଘୋଷରାରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅତି ବିପଦ ଜନକ ଭାବେ ଆଗନ୍ତୁକ ଶହଶହ କାଉଡ଼ିଆ ବନ୍ୟା ପାଣିରେ ପଶି ପୀଠକୁ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କାଉଡ଼ିଆ ଭକ୍ତ। ତାହାସହ ଆରଡି- ଧାନଖଣିଆ ରାସ୍ତାର ସତସଙ୍ଗ ଘୋଷରାରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୧୦ ଗାଁ ସହ ୨ଟି ବ୍ଲକର ଲୋକମାନେ ଅତି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ଏହି ନଦୀ ଦ୍ୱୟରେ ଦୁଇ ଦୁଇ ଥର ବନ୍ୟା ଆସିବା ଫଳରେ ୪ଟି ପଂଚାୟତର ଶତାଧିକ ଚାଷୀଙ୍କର ଉଜୁଡିଯାଇଛି କ୍ଷେତରେ ରୁଆ ବେଉଷଣ ଧାନତଳି। ସେହିପରି ଦୀର୍ଘ ୧୫ଦିନ ହେବ କ୍ଷେତରେ ବନ୍ୟାପାଣି ୪/୫ଫୁଟ ଉଚ୍ଚରେ ବନ୍ୟାଜଳ ଲହଡ଼ି ମାରୁଥିବାରୁ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ଶହଶହ ବାସୁଆବଳଦଙ୍କ ସହ ଗୃହପାଳିତ ପଶୁ ଖାଦ୍ୟ ବିନା ଭୋକ ଉପାସରେ ରହିଛନ୍ତି। ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.