Home ଜିଲ୍ଲା ପରିକ୍ରମା ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଧାମନଗର ଥାନାରେ ଏତଲା

ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଧାମନଗର ଥାନାରେ ଏତଲା

0

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗରରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ନିର୍ମିତ ଧାମନଗରର ଇେଂଟଗ୍ରେଟେଡ୍ ଇନଫ୍ରାଷ୍ଟ୍ରକଚର କଂପ୍ଲେକ୍ସ (ଆଇଆଇସି) ପରିସରରେ ଥିବା ବୃଦ୍ଧାଶ୍ରମରେ ନିଯୁକ୍ତି ଦେବା ନାଁରେ ୫୦ରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କଠାରୁ ପ୍ରାୟ ୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହା ଏକ ସରକାରୀ କଂପ୍ଲେକ୍ସ ହୋଇଥିବାବେଳେ ବୃଦ୍ଧାଶ୍ରମ ଚଳାଇବା ଲାଗି ଏକ ବେସରକାରୀ ସଂଗଠନକୁ ଦାୟିତ୍ୱ ଦିଆଯାଇଛି। “ଆଶୀର୍ବାଦ’ ନାମକ ଏହି ବେସରକାରୀ ସଂଗଠନ ଏହାକୁ ପରିଚାଳନା କରୁଛି। ତେଣୁ ଏହି ସଂସ୍ଥାର ସମ୍ପାଦିକା ତଥା ପରିଚାଳକ ମଞ୍ଜୁଲତା ସ୍ୱାଇଁ ଯୁବକଯୁବତୀଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ଲାଗି ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ମଞ୍ଜୁଲତାଙ୍କର କିଛି ପ୍ରଭାବଶାଳୀ ବଡ଼ବଡ଼ ନେତା ଓ ମନ୍ତ୍ରୀଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ଅଭିଯୋଗ ଅନୁସାରେ, ମଞ୍ଜୁଲତା ସେମାନଙ୍କଠାରୁ ବିଭିନ୍ନ କିସ୍ତିରେ ମୋଟା ଅଙ୍କର ଟଙ୍କା ସଂଗ୍ରହ କରିଥିଲେ। ତେବେ ବୃଦ୍ଧାଶ୍ରମ ଚାଲିବାର କିଛି ମାସ ବିତିଯିବା ପରେ ମଧ୍ୟ ନିଯୁକ୍ତି ନ ମିଳିବାରୁ ଯୁବକଯୁବତୀମାନେ ମଞ୍ଜୁଲତାଙ୍କୁ ପଚାରିଥିଲେ। କିନ୍ତୁ ସେ କେବଳ ସମୟ ଗଡ଼ାଇ ଚାଲିଥିଲେ ଏବଂ ବିଭିନ୍ନ ଆଳ ଦେଖାଇ କଥାକୁ ଏଡ଼ାଇ ଯାଉଥିଲେ। ପରବର୍ତୀ ସମୟରେ ଚାକିରି ଓ ନିଯୁକ୍ତି ସଂପର୍କରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବାରୁ ଟଙ୍କା ଦେଇଥିବା ଲୋକେ ତାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ। ମାତ୍ର ମଞ୍ଜୁଲତା ଆଉ ଧରାଛୁଆଁ ଦେଇନଥିଲେ। ଧାମନଗର ବ୍ଲକ ନିକଟରେ ଥିବା ତାଙ୍କ କାର୍ଯ୍‌ଯାଳୟରେ ପହଞ୍ଚି ଲୋକେ ଟଙ୍କା ମାଗିବାରୁ ସେ ଓଲଟା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ସବୁଆଡୁ ନିରାଶ ହେବା ପରେ ଠକାମୀର ଶିକାର ହୋଇଥିବା ଲୋକମାନେ ଗତ ସେପ୍େଟମ୍ବର ମାସରେ ଧାମନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ହେଲେ ଥାନା ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍‌ଯାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ଶେଷରେ କୌଣସି ପନ୍ଥା ନ ପାଇ ଆଜି ପୁନର୍ବାର ପୀଡ଼ିତମାନେ ଧାମନଗର ଥାନାକୁ ଆସି ନ୍ୟାୟ ଭିକ୍ଷା କରିଛନ୍ତି। ଚାକିରି ଆଶାରେ ଗରିବ ମହିଳା, ପୁରୁଷ ଏବଂ ଭିନ୍ନକ୍ଷମମାନେ ନିଜ ଜମିବାଡ଼ି ଓ ସୁନାଗହଣା ବନ୍ଧା ରଖି କିମ୍ବା ବିକ୍ରି କରି ଏବଂ କିଛି ଲୋକ ଧାରକରଜ ଆଣି ଟଙ୍କା ଦେଇଥିବା କାନ୍ଦି କାନ୍ଦି କହିଛନ୍ତି। କେବଳ ଚାକିରି ନାଁରେ ଟଙ୍କା ଠକିବା ନୁହେଁ, ବୃଦ୍ଧାଶ୍ରମରେ ଦୀର୍ଘଦିନ ଧରି ବୃଦ୍ଧବୃଦ୍ଧାଙ୍କ ସେବା ଓ ଯତ୍ନ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ଦୀର୍ଘଦିନ ହେବ ଦରମା ଦିଆଯାଇ ନଥିବା ଅଭିଯୋଗର ସ୍ୱର ଶୁଣିବାକୁ ମିଳିଛି। ପୀଡ଼ିତମାନେ ସେମାନଙ୍କ କଷ୍ଟଅର୍ଜିତ ଟଙ୍କା ଫେରସ୍ତ ପାଇବା ସହ ଅଭିଯୁକ୍ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ଶୀଘ୍ର ନ୍ୟାୟ ନ ମିଳେ, ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଚାକିରି ଆଶାରେ ସର୍ବସ୍ୱାନ୍ତ ହୋଇଥିବା ଏହି ଗରିବ ଲୋକଙ୍କୁ କେବେ ନ୍ୟାୟ ମିଳିବ ଏବଂ କେବେ ସେମାନଙ୍କ ଟଙ୍କା ଫେରିବ, ତାହା ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ଆଶୀର୍ବାଦ ବୃଦ୍ଧାଶ୍ରମର ସମ୍ପାଦିକା ମଞ୍ଜୁଲତା ସ୍ୱାଇଁଙ୍କୁ ପଚାରିବାରୁ ସେ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ସରକାର ତାଙ୍କୁ ସଠିକ୍ ଭାବେ ଅର୍ଥ ଦେଉ ନଥିବାରୁ ସେ ନିଜ ହାତରୁ ଖର୍ଚ୍ଚ କରି ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟ ଦେଇ ରଖିଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.