Home ଜିଲ୍ଲା ପରିକ୍ରମା ଗେଙ୍ଗୁଟି ନଦୀ ଆଡ଼ିରୁ ବେଆଇନ ମାଟି-ବାଲି ଉତୋଳନ,ବନ୍ୟା ବିପଦ ବଢ଼ାଉଛି ଖୋଲମଖୋଲା ଖନନ, ପ୍ରସାଶନ ନିରବ

ଗେଙ୍ଗୁଟି ନଦୀ ଆଡ଼ିରୁ ବେଆଇନ ମାଟି-ବାଲି ଉତୋଳନ,ବନ୍ୟା ବିପଦ ବଢ଼ାଉଛି ଖୋଲମଖୋଲା ଖନନ, ପ୍ରସାଶନ ନିରବ

3

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନ ଖଡିପଦା ପଂଚାୟତର ଗେଙ୍ଗୁଟି ନଦୀର କାଞ୍ଜିଆପାଳ ଏସକେପ ନିକଟ ଶୁକଦେବ ହୁସେନ ମୌଜାର ପ୍ଲଟ୍ ନଂ- ୫୬୮ରେ ଥିବା ସରକାରୀ ଅନାବାଦୀ ନଦୀ ଆଡ଼ି ଏବଂ ପାର୍ଶ୍ୱବର୍ତୀ ପ୍ଲଟ୍ ନଂ- ୫୬୫ର ରକ୍ଷିତ ଅନାବାଦୀ ଜମିରୁ ବେଆଇନ ଭାବେ ମାଟି ଓ ବାଲି ଉତୋଳନ ହେଉଥିବା ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଦିନ ଦିହିପହରେ ପକଲିନ୍ ମେସିନ୍ ଓ ଟ୍ରାକ୍ଟର ସାହାଯ୍ୟରେ ଖୋଲାଖୋଲି ଖନନ କରି ମାଫିଆମାନେ ବଡ଼ ବଡ଼ ପୋଖରୀ ସୃଷ୍ଟି କରିସାରିଥିବା ଅଭିଯୋଗ ହୋଇଛି। ଏ ନେଇ ସମାଜସେବୀ ତଥା ଖଡିପଦା ସରପଞ୍ଚଙ୍କ ପ୍ରତିନିଧି ଭଗବାନ ଦାସ ଧାମନଗର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ପ୍ରାୟ ୨ରୁ ୩ ଫୁଟ୍ ପର୍ଯ୍ୟନ୍ତ ମାଟି ତାଡ଼ିବା ପରେ ବାଲିର ସ୍ତର ବାହାରୁଛି। ଉକ୍ତ ମାଟି ଓ ବାଲିକୁ ନିକଟସ୍ଥ ଇଟାଭାଟିକୁ ବିକ୍ରି କରାଯାଉଥିବା ବେଳେ ବିଭିନ୍ନ ଗ୍ରାମକୁ ମଧ୍ୟ ସପ୍ଲାଇ କରାଯାଉଛି। ଏହାଛଡ଼ା ମାଟି ଓ ବାଲିକୁ ପ୍ରଥମେ ବିଭିନ୍ନ ବ୍ୟକ୍ତିଗତ ବାଡ଼ି ଓ ସରକାରୀ ଜମିରେ ଗଚ୍ଛିତ ରଖି ପରେ ଅଧିକ ଦାମରେ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ଖନନ ଯୋଗୁଁ ସେଠାରେ ବଡ଼ ବଡ଼ ପୋଖରୀ ସୃଷ୍ଟି ହେବା ସହ ଏସକେପ ପାଇଁ ବିପଦ ସୃଷ୍ଟି ହେଉଛି ଓ ଏଠାରେ ଏକ ନୂତନ ନଦୀ ସୃଷ୍ଚି ହେବାର ଆଶଙ୍କା ଦେଖାଦେଇଛି। ଏହି ଖନନ ସ୍ଥାନରେ ଯଦି ଭୁଲବଶତଃ କୌଣସି ଗୋରୁ, ଗାଈ କିମ୍ବା ମଣିଷ ସେଥିରେ ପଡ଼ିଯାଆନ୍ତି, ତେବେ ସେମାନଙ୍କ ବଂଚିବା ମୁସ୍କିଲ ହୋଇପଡ଼ିବ। ତେବେ ନଦୀ ଆଡ଼ିରୁ ଏଭଳି ବେପରୁଆ ମାଟି ଓ ବାଲି ଉତୋଳନ ଫଳରେ ଆଡ଼ି ଦୁର୍ବଳ ହେବା ସହ ବର୍ଷା ଓ ବନ୍ୟା ସମୟରେ ନଦୀର ପ୍ରବଳ ସ୍ରୋତରେ ଆଡ଼ି ଭାଙ୍ଗି ନିକଟସ୍ଥ ଚାଷଜମି, ଜନବସତି ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ବଢ଼ିଛି। ଏହା ସହ ନଦୀର ସ୍ୱାଭାବିକ ପ୍ରବାହ ଓ ପରିବେଶ ସନ୍ତୁଳନ ମଧ୍ୟ ବ୍ୟାହତ ହେବା ଜଣାପଡିଛି।ଏତେ ବଡ଼ ଧରଣର ବେଆଇନ ଖନନ କାର୍ଯ୍ୟ ଦୀର୍ଘଦିନ ଧରି ଚାଲୁଥିଲେ ମଧ୍ୟ ସମ୍ପୃକ୍ତ ବିଭାଗର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ଘଟଣାର ତଦନ୍ତ କରି ବେଆଇନ ଖନନ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଏନେଇ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରିନଥିଲେ। ଫଳରେ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।ଅନ୍ୟପକ୍ଷରେ ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ସୌମ୍ୟ ରଞ୍ଜନ ଦ୍ୱିବେଦୀଙ୍କୁ ପଚାରିବାରୁ ସେ କହିଥିଲେ, ଏନେଇ ଆମ ପାଖରେ ଅଭିଯୋଗ ପହଂଚିଛି। ନଦୀକୂଳ ଘଂଚ ଜଙ୍ଗଲିଆ ହୋଇଥିବାରୁ ସେଠାକୁ ଗାଡ଼ି ଯିବା ପାଇଁ ସୁବିଧାଜନକ ରାସ୍ତା ନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟକ୍ତିମାନେ ବେଆଇନ ମାଟି ଓ ବାଲି ଉତୋଳନ କରୁଛନ୍ତି। ତେବେ ଖୁବ୍ ଶୀଘ୍ର ସେଠାରେ ଚଢ଼ାଉ କରାଯାଇ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.