ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ଶୁକ୍ରବାର ରାତିରେ ଅଜଣା ଗାଡ଼ି ଧକ୍କାରେ ଏକ ଫିସିଂ କ୍ୟାଟର ମୃତ୍ୟୁ ହୋଇଛି । ଏହି ମୃତ ଫିସିଂ କ୍ୟାଟକୁ ବନବିଭାଗ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ଜଣାଯାଇଛି।ଶନିବାର ସକାଳେ ରାସ୍ତାରେ ପଡିଥିବା ଫିସିଂ କ୍ୟାଟର ମୃତଦେହ ଦେଖି ସ୍ଥାନୀୟ ଲୋକେ ବାଘ ବୋଲି ଭାବିଥିଲେ । ବାଘ ମରିଥିବା ଖବର ମଧ୍ୟ ଆଖପାଖ ଅଂଚଳରେ ପ୍ରଚାରିତ ହୋଇ ଯାଇଥିଲା । ଯାହାଫଳରେ ମୃତ ଫିସିଂ କ୍ୟାଟକୁ ଦେଖିବା ପାଇଁ ଘଟଣାସ୍ଥଳରେ ବହୁ ଦେଖଣାହାରୀଙ୍କର ସମାଗମ ହୋଇଥିଲା । ଖବର ପାଇ ଚାନ୍ଦବାଲି ଡିଏଫଓ ଅରୁଣ କୁମାର ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଅମରେନ୍ଦ୍ର ନାୟକ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଥିଲେ । ପରେ ସେ ମୃତଦେହକୁ ତିହିଡି଼ସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥଲେ । ଫରେଷ୍ଟରଙ୍କ ସହିତ ଫରେଷ୍ଟ ଗାର୍ଡ଼ ବୁଲବୁଲ ମଲ୍ଲିକ, ସୁରକ୍ଷା କର୍ମଚାରୀ ଯଶୋବନ୍ତ ଜେନା ଓ ଜଗନ୍ନାଥ ନାୟକ ଉପସ୍ଥିତ ଥିଲେ । ବନ ବିଭାଗ ପକ୍ଷରୁ ଏହି ଘଟଣାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ଜଣାଯାଇଛି।








