Home ଜିଲ୍ଲା ପରିକ୍ରମା ଗଡ଼ିଆରେ ପଡ଼ି ମହିଳାଙ୍କ ମୃତ୍ୟୁ

ଗଡ଼ିଆରେ ପଡ଼ି ମହିଳାଙ୍କ ମୃତ୍ୟୁ

0

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ୍ ଅଧୀନ କଟସାହି ପଂଚାୟତ ସିମୁଳିଆ ଗାଁରେ ଏକ ପାଣିଭର୍ତି ଗଡ଼ିଆରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକା ହେଲେ ଗୋବିନ୍ଦପୁର ପଂଚାୟତ ଅଂଚଳର ରଘୁମଣି ନାଥଙ୍କ ପତ୍ନୀ ରେବତୀ ନାଥ। ସୂଚନା ଅନୁସାରେ, ରଘୁମଣି ନାଥ ପ୍ରାୟ ୬ ଦିନ ପୂର୍ବରୁ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ରେବତୀ ପୂର୍ବରୁ ମାନସିକ ଭାବେ ଅସୁସ୍ଥ ଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମାନସିକ ଭାରସାମ୍ୟ ହରାଇ ରାସ୍ତାରେ ଏଣେତେଣେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗତ ଦୁଇଦିନ ଧରି ରେବତୀ କଟସାହି ପଂଚାୟତ ଅଂଚଳରେ ବୁଲୁଥିଲେ। ଗତକାଲି ରାତିରେ ସେ ଏକ ପାଣିଭର୍ତି ଗାଡ଼ିଆରେ ପଡ଼ିଯାଇଥିବା ଜଣାପଡ଼ିଥିଲା। ଆଜି ସକାଳେ ଖବର ପାଇ ଧୂଷୁରୀ ଥାନା ଅଧିକାରୀ ସୁଦର୍ଶନ ବାଗେଙ୍କ ସହ ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ, ନଟବର ରାଉଳ, ଖପରାପଦାର ପୂର୍ବତନ ସରପଂଚ ଗୟାଧର ନାୟକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚିଥିଲେ। ପରେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ଧୂଷୁରୀ ଥାନା ପୁଲିସ କେସ୍ ନମ୍ବର ୨୪/୨୬ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ରେବତୀଙ୍କର ଜଣେ ପୁଅ ଥିବାବେଳେ ସେ ମଧ୍ୟ ମାନସିକ ଭାବେ ଅସୁସ୍ଥ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ମାଆଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ତାଙ୍କ ପୁଅଙ୍କୁ ସରକାରୀ ସହାୟତା ଓ ଥଇଥାନ ବ୍ୟବସ୍ଥା ଯୋଗାଇଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.