Home ଓଡ଼ିଶା ଖଣି ନିଲାମ ଦ୍ୱାରା ନୂଆ ଲିଜ୍‌ଧାରୀ ସମସ୍ତ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଯୁକ୍ତି ବାଧ୍ୟତାମୂଳକ ହେବାକୁ ବିଜ୍ଞପ୍ତି...

ଖଣି ନିଲାମ ଦ୍ୱାରା ନୂଆ ଲିଜ୍‌ଧାରୀ ସମସ୍ତ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଯୁକ୍ତି ବାଧ୍ୟତାମୂଳକ ହେବାକୁ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଲେ ଏଆଇଟିୟୁସି ନେତୃତ୍ୱରେ ଖଣି ଶ୍ରମିକ

234

କେନ୍ଦୁଝର, ୨୧ ଜାନୁୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଚାଲୁଥିବା ୨୦ଟି ଖଣି ନିଲାମି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯାହାକି ମାର୍ଚ୍ଚ ୩୧ ତାରିଖ ୨୦୨୦ରେ ବନ୍ଦ ହୋଇଯିବ। ବନ୍ଦ ହେବାକୁ ଥିବା ବଡ ବଡ ଖଣି ଯଥା – ରୁଙ୍ଗଟା ମାଇନ୍ସ, ଏସେଲ ମାଇନିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ, ସିରାଜୁଦ୍ଦିନ ଏଣ୍ଡ କୋ ଓ କେଜେଏସ୍ ଆଲୁୱାଲିଆ ଆଦି ଖଣି ଗୁଡିକରେ ହଜାର ହଜାର ସଂଖ୍ୟାରେ ଶ୍ରମିକ କାର୍ଯ୍ୟରତ ଅଛନ୍ତି। ସରକାରଙ୍କ ଟେଣ୍ଡର ଅନୁସାରେ କାର୍ଯ୍ୟରତ ସମସ୍ତ ଶ୍ରମିକମାନଙ୍କୁ ନୂତନ ଲିଜଧାରୀ ବାଧ୍ୟତାମୂଳକ ନିଯୁକ୍ତି ଦେବା ପାଇଁ କୌଣସି ସର୍ତ ରଖାଯାଇନାହିଁ। ଯେଉଁଥିପାଇଁ ହଜାର ହଜାର ସ୍ଥାନୀୟ ଆଦିବାସୀ ଶ୍ରମିକମାନଙ୍କ ମଧ୍ୟରେ ବେରୋଜଗାର ଭୟର ବାତାବରଣ ସୃଷ୍ଟି ହୋଇଛି। ପୂନର୍ବାର ଖଣି ଖୋଲିବା ପାଇଁ ଯେଉଁ ସମୟ ଲାଗିବ (ହାରାହାରି ୧ବର୍ଷ) ସେହି ସମୟରେ ଦରମା ନୂତନ ଲିଜଧାରୀ ଦେବା ପାଇଁ ବାଧ୍ୟ କରାଯାଉ। ନିଲାମ ହେଉଥିବା ସମସ୍ତ ଖଣିଗୁଡିକ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ପାହାଡିଆ ଅଞ୍ଚଳ ତଥା ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହି ଖଣି ଗୁଡିକରେ ଅଧିକାଂଶ ସ୍ଥାନୀୟ ଆଦିବାସୀମାନଙ୍କର ଆର୍ଥିକ ଅବସ୍ଥା ନିର୍ଭର କରେ। ପ୍ରାୟ ସମସ୍ତ ଖଣିରେ ସ୍ଥାନୀୟ ଆଦିବାସୀ ଓ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କର ପୈତୃକ ସଂପତି ଦଖଲରେ ରହିଥିବାବେଳେ ଆଉ କିଛି ଜମି ଖଣି କମ୍ପାନୀମାନଙ୍କୁ ବିକ୍ରି କରାଯାଇଛି। ସମସ୍ତ ଗ୍ରାମବାସୀ ଖଣିରେ କାର୍ଯ୍ୟ କରି କିମ୍ବ ପରିବହନ କ୍ଷେତ୍ରରେ ନିଯୁକ୍ତି ପାଇ ପରିବାର ଭରଣପୋଷଣ କରନ୍ତି। ଖଣିଜ ପଦାର୍ଥ ପରିବହନରେ ମଧ୍ୟ ଦୁଇଟି ଜିଲ୍ଲାରେ ୫୦ହଜାରରୁ ଉର୍ଦ୍ଧ୍ୱ ଟ୍ରକ ମାଲିକ ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରୁଛନ୍ତି। ପ୍ରତ୍ୟେକ ଟ୍ରକରେ ଜଣେ ଲେଖାଏଁ ଡ୍ରାଇଭର ଓ ଜଣେ ଜଣେ ହେଲପର ନିଯୁକ୍ତି ପାଇଥାନ୍ତି। ଏମାନେ ମଧ୍ୟ ନିଜ ପରିବାର ଭରଣପୋଷଣକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ଖଣି ଖୋଲିବା ପାଇଁ ଏକବର୍ଷ ସମୟ ଲାଗିଲେ ସମସ୍ତ ଗାଡିକୁ ଫାଇନାନ୍ସର କମ୍ପାନୀ ଟାଣି ନେଇଯିବାର ଭୟ ସୃଷ୍ଟି ହୋଇଛି। ସେହିପରି ଓଡିଶା ଖଣି ନିଗମ (ଓଏମ୍‌ସି) ଏବଂ ଓଏମ୍‌ଡିସି ଭଳି ସରକାରୀ ଖଣି କମ୍ପାନୀମାନେ ସେମାନଙ୍କର ଖଣିକୁ ଦୀର୍ଘ ବର୍ଷ ଧରି ବନ୍ଦ କରି ରଖିଛନ୍ତି। ଏହି ଖଣିରେ କାର୍ଯ୍ୟ କରୁଥିବା ହଜାର ହଜାର ଲୋକ ପୁନଃ ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ ଅନେକ ଭୋକ ଉପବାସରେ ମୃତ୍ୟୁବରଣ କରି ସାରିଲେଣି।

କେନ୍ଦୁଝର ଜିଲ୍ଲାର ବସନ୍ତପୁର, କାଳିମାଟି, ବଳଦା, ପଳଶା, ଜଲହରି, ଭଦ୍ରାସାହି, ରୋଇଡା, ବଡବିଲ ଓ ଯୋଡା ଆଦି ଅଞ୍ଚଳର ହଜାର ହଜାର ଶ୍ରମିକ ଏହି ସରକାରୀ ଖଣିରେ କାର୍ଯ୍ୟ କରୁଥିଲେ। ସୁନ୍ଦରଗଡ ଜିଲ୍ଲାର କୋଇଡା, କାଶିରା ପଞ୍ଝାୟତ ଲୋକମାନେ ଓଏମ୍‌ସି ଖଣିରେ କାର୍ଯ୍ୟ କରୁଥିଲେ। ସେହିପରି ଅନେକ ଘରୋଇ ଖଣି ଯଥା ସାରଦା ଖଣ ି(ଜିନ୍ଦଲ), ମେସ୍କୋ, ଡ଼ଃ ଏସ୍ ପ୍ରଧାନ (ଝରଣ), ଭଞ୍ଜ ମିନେରାଲ୍ସ(ଝରଣ), ଏମ୍‌ଏସ୍ ଦେବ(ଝରଣ), ଏସ୍‌ପି ପାଢୀ (ବାଂଶପାଣି ଓ ଗୁରୁବେଡା), ଡିଆର୍ ପଟ୍ଟନାୟକ (ଜୋରିବାହାଲ), ଏଚ୍‌ଜି ପାଣ୍ଡ୍ୟା(ଜଜାଙ୍ଗ), ଗନ୍ଧମାର୍ଦ୍ଦନ ସ୍ପଞ୍ଜ (ପୁତୁଲପାଣି) ଆଦି ଅନେକ ବର୍ଷ ହେଲା ବନ୍ଦ ଯୋଗୁଁ ହଜାର ହଜାର ଲୋକ ପୁନଃ ନିଯୁକ୍ତିକୁ ଅପେକ୍ଷା କରିଛନ୍ତି। ଅନେକ ଖଣିରେ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ପାଇନାହାନ୍ତି ଓ ମେସ୍କୋ ଖଣିର ଶ୍ରମିକମାନେ ବକେୟା ଦରମା ପାଇଁ ଏକ ମାସ ହେବ ଅଫିସ ଆଗରେ ଧାରଣାରେ ବସିଛନ୍ତି। ତେଣୁ ବନ୍ଦ ଥିବା ସରକାରୀ ଖଣିଗୁଡିକ ଯଥା ଓଏମ୍‌ସିର ଦୁବୁନା-ସାକ୍ରାଡିହି ଲୌହ ଓ ମାଙ୍ଗାନିଜ ଖଣି ବଳଦା-ପଳସା-ଗୁରୁଡା ଲୌହ ଓ ମାଙ୍ଗାନିଜ ଖଣି, ଖଣ୍ଡବନ୍ଧ ଲୌହ ଖଣି, ବଳଦା-ପଳସା-ଜଜାଙ୍ଗ ଲୌହ ଖଣି, ଉଚ୍ଚବାଲି(ମହାପର୍ବତ) ଲୌହ ଖଣି, ବାଂଶପାଣି ଲୌହ ଖଣି, ତିରିଙ୍ଗ ପାହାଡ ଲୌହ ଖଣି, ସେରେଣ୍ଡା-ଭଦ୍ରାସାହି ଲୌହ ଓ ମାଙ୍ଗାନିଜ ଖଣି, ବରଦା-କାଶିଆ ଲୌହ ଖଣି, କୋଇଡା-କାଶିରା ଲୌହ ଖଣି ତୁରନ୍ତ ଚାଲୁ କରିବା ପାଇଁ ଦାବି କରାଯାଉଛି। ସେହିପରି ଓଏମ୍‌ଡିସି କମ୍ପାନୀର ରୋଇଡା ଖଣି ଓ ଠାକୁରାଣୀ-ବେଲକୁଣ୍ଡି ଖଣିକୁ ତୁରନ୍ତ ଚାଲୁ କରିବା ପାଇଁ ୟୁନିୟନ ତରଫରୁ ଦାବି କରାଯାଉଛି। ଏ ସମସ୍ତ ଖଣି ପରିବେଶ ମଞ୍ଜୁରୀ ନଥିବାରୁ ୬ ବର୍ଷ ଧରି ବନ୍ଦ ରହିଛି ଏବଂ ସରକାରୀ ଖଣିକୁ ନିଜେ ସରକାର ମଞ୍ଜୁରୀ ପ୍ରଦାନ ନକରିବା ଦୁର୍ଭାଗ୍ୟଜନକ ଘଟଣା। ତେଣୁ ୨୦୨୦ ମାର୍ଚ୍ଚ ପରଠାରୁ ସମସ୍ତ ଖଣି ବନ୍ଦ ହେଲେ ଶ୍ରମିକମାନଙ୍କ ଆର୍ଥିକ ସ୍ଥିତି ତଥା ଦୁଇଟି ଜିଲ୍ଲାର ଅର୍ଥନୈତିକ ଅବସ୍ଥା ଉପରେ ପ୍ରଚଣ୍ଡ ଆଘାତ ଲାଗିବ। ଏହାର ପ୍ରତିବାଦରେ ତଥା ସମସ୍ତ କାର୍ଯ୍ୟରତ ଶ୍ରମିକମାନଙ୍କୁ ନୂତନ ଲିଜଧାରୀମାନେ ନିଯୁକ୍ତି ଦେବା ବାଧ୍ୟତାମୂଳକ କରିବା, ସରକାରୀ ଖଣି ଯଥା ଓଏମ୍‌ସି ଏବଂ ଓଏମ୍‌ଡିସି ଖଣିଗୁଡିକ ତୁରନ୍ତ ଚାଲୁ କରିବା ଦାବିରେ ୨୦୨୦ ମସିହା ଜାନୁୟାରୀ ୨୦ ତାରିଖରେ ହଜାର ହଜାର ଖଣି ଶ୍ରମିକ ଏଆଇଟିୟୁସି ନେତୃତ୍ୱରେ ଭୁବନେଶ୍ୱର ସଚିବାଳୟ ଘେରାଉ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହି ଘେରାଉରେ କେନ୍ଦୁଝର ମାଇନ୍ସ ଏଣ୍ଡ ଫରେଷ୍ଟ ୱାର୍କର୍ସ ୟୁନିୟନର ସଭାପତି ରାମକୃଷ୍ଣ ପଣ୍ଡା, ସାଧାରଣ ସମ୍ପାଦକ ମହେଶ୍ୱର ରାଉତ, କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ମହାନ୍ତ, ସମ୍ପାଦକ କପିଳ ପ୍ରସାଦ ମହାନ୍ତିଙ୍କ ସମେତ ବିଭିନ୍ନ ଖଣିର ଶ୍ରମିକ ପ୍ରତିନିଧିମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.