Home ଓଡ଼ିଶା ଜିଲ୍ଲାବାସୀଙ୍କ ସହଯୋଗରୁ ସଫଳ ଦୁଇଦିନିଆ ସଟ୍ ଡାଉନ ରଜ ମାହଲରେ ବି ସମସ୍ତେ ମାନିଲେ ସରକାରଙ୍କ...

ଜିଲ୍ଲାବାସୀଙ୍କ ସହଯୋଗରୁ ସଫଳ ଦୁଇଦିନିଆ ସଟ୍ ଡାଉନ ରଜ ମାହଲରେ ବି ସମସ୍ତେ ମାନିଲେ ସରକାରଙ୍କ ନିର୍ଦ୍ଦେଶ

78

ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) – ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ପରେ ଗତ ୧ ତାରିଖରୁ ଅନ୍‌ଲକ୍‌-୧ ଆରମ୍ଭ ହୋଇଥିଲେ ବି ଓଡ଼ିଶାର ୧୧ ଗୋଟି କରୋନା ସଂକ୍ରମିତ ପ୍ରବଣ ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାରରେ ସଟ୍ ଡାଉନ୍ ଲାଗୁ ହୋଇଛି। ଏହି କ୍ରମରେ ବାଲେଶ୍ୱର ଜିଲ୍ଲାରେ ଦ୍ୱିତୀୟ ସପ୍ତାହର ଦୁଇଦିନିଆ ସଟ୍ ଡାଉନ୍ ପାଳନ ବେଶ୍ ସଫଳ ହୋଇଥିବା ଲକ୍ଷ୍ୟ କାଯାଇଛି। ଓଡ଼ିଶାର ପ୍ରମୁଖ ଗଣପର୍ବ ରଜ ସତ୍ତ୍ୱେ ଲୋକେ ସରକାରଙ୍କ ନିର୍ଦ୍ଦେଶକୁ ମାନି ପରିବାର ସହ ଘରେ ରହୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଘରେ ରହି ଲୋକେ ରଜପର୍ବକୁ ପାଳନ କରୁଥିବା ବେଳେ ଅତି ଜରୁରୀକାଳୀନ କାର୍ଯ୍ୟରେ କାଁ ଭାଁ ଘରୁ ବାହାରୁଛନ୍ତି। ତାହା ପୁଣି ପ୍ରଶାସନ ଓ ପୁଲିସର ଅନୁମତି ନେଇ ସେମାନେ ବାହାରକୁ କାର୍ଯ୍ୟରେ ଆସୁଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଔଷଧ ଦୋକାନ ସମେତ ଘରୋଇ ହସପିଟାଲ, କ୍ଲିନିକ୍ ପ୍ରଭୃତି ଖୋଲା ରହିଥିବା ଦେଖିବାକୁ ମିଳିଛି। ସହର ରାସ୍ତା ସମ୍ପୂର୍ଣ୍ଣ ଶୂନଶାନ୍ ଲାଗୁଥିବା ବେଳେ ଛକମାନଙ୍କରେ ପୁଲିସ କର୍ମଚାରୀମାନେ ଛିଡ଼ା ହୋଇ ରହିଥିବା ଲକ୍ଷ୍ୟ କରାଯାଇଛି। ରାସ୍ତାରେ ବିନା କାରଣରେ ଯାଉଥିବା ଲୋକଙ୍କୁ ଅଟକାଇ ପୁଲିସ ପଚରାଉଚୁରା କରିବା ସହ ବିନା କାରଣରେ ରାସ୍ତାରେ ବୁଲୁଥିବା ଅମାନିଆ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରୁଛି। ପୁଲିସ ପକ୍ଷରୁ ସହର ସମେତ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ ସହ ଯାଞ୍ଚ ଜାରି ରହିଛି। ସେହିଭଳି ପ୍ରତ୍ୟେକ ଛକରେ ପୁଲିସ କର୍ମଚାରୀ ଓ ଅର୍ଦ୍ଧସାମରିକ ବଳ ଡ୍ୟୁଟି କରୁଛି। ଅନ୍ୟପକ୍ଷରେ ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତିରା ମାରିବା ସହ ସଟ୍ ଡାଉନ୍ ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖୁଛି। ସେହିଭଳି ପଦସ୍ଥ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଗାଡ଼ିରେ ସହରରେ ବୁଲିବା ସହ ସଟ୍ ଡାଉନ୍ କାର୍ଯ୍ୟକାରିତା ଉପରେ ନଜର ରଖୁଛନ୍ତି। ମୋଟ ଉପରେ କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସପ୍ତାହରେ ଦୁଇଦିନ ଲାଗୁ ହୋଇଥିବା ସଟ୍ ଡାଉନ୍‌କୁ ବାଲେଶ୍ୱର ଲୋକେ ବେଶ୍ ଗୁରୁତ୍ୱର ସହ ପାଳନ କରୁଥିବା ଦ୍ୱିତୀୟ ସପ୍ତାହରେ ପ୍ରମାଣିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.