Home ଜିଲ୍ଲା ପରିକ୍ରମା କୋଭିଡ୍ ପରିଚାଳନାରେ ଜଟିଳ ପରିସ୍ଥିତି, ୩୦ ଲକ୍ଷ ଲୋକଙ୍କୁ ୧୨ ଭେଣ୍ଟିଲେଟର

କୋଭିଡ୍ ପରିଚାଳନାରେ ଜଟିଳ ପରିସ୍ଥିତି, ୩୦ ଲକ୍ଷ ଲୋକଙ୍କୁ ୧୨ ଭେଣ୍ଟିଲେଟର

53

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବଢି ଚାଲିଥିବା କରୋନା ସଂକ୍ରମଣଙ୍କୁ ନେଇ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପାରେ । ଗୋଟିଏ ପଟରେ କୋଭିଡ୍ ସଂକ୍ରମିତଙ୍କ ଲାଗି ଶଯ୍ୟାର ଅଭାବ ଅନ୍ୟପଟରେ ଗୁରୁତର ଅସୁସ୍ଥଙ୍କ ସକାଶେ ଦରକାର ପଡୁଥିବା ଅକ୍ସିଜେନ ଏବଂ ଭେଣ୍ଟିଲେଟର ସୁବିଧା ବର୍ତ୍ତମାନ ସ୍ଥିତିରେ ଯଦିବା ଜିଲାରେ ଅନୁରୂପ ସଂକଟ ଦେଖାଦେଇନାହିଁ, ତେବେ ଆଗକୁ ଏନେଇ ଜଟିଳ ପରିସ୍ଥିତି ଦେଖାନଦେବ, ତାହାହ କହିହେଉନାହିଁ । କରୋନା ମହାମାରୀକୁ ନେଇ ଏବେ ଦେଶବ୍ୟାପୀ ବିଛଣା, ଅକ୍ସିଜେନ ଏବଂ ଭେଣ୍ଟିଲେଟର ଅଭାବ ପରିଲକ୍ଷିତ ହୋଇଛି । ଡାକ୍ତରଖାନାରେ ବେଡ୍ ଅଭାବରୁ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇପାରୁନଥିବାବେଳେ ଆମ୍ବୁଲାନ୍ସରେ ପଡି ପଡି ରୋଗୀଙ୍କ ଜୀବନ ଯାଉଛି । ଏପରି ସ୍ଥିତିରେ ସରକାରଙ୍କୁ ଆଗୁଆ ହସ୍‌ପିଟାଲରେ ବିଛଣା, ଭେଣ୍ଟିଲେଟର ଏବଂ ଅକ୍ସିଜେନ ମହଜୁଦ କରି ରଖିବାର ଆବଶ୍ୟକତା ରହିଛି । ହେଲେ ଭଦ୍ରକ ଜିଲାୋର ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ପାଖରେ ନା ଅଛି ପର୍ଯ୍ୟାପ୍ତ ବେଡ୍ ନା ଭେଣ୍ଟିଲେଟର ନା ଅକ୍ସିଜେନ । ସୀମିତ ସମ୍ବଳକୁ ନେଇ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ କୋଭିଡ୍ ମୁକାବିଲା ପାଇଁ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ସହିତ ପାଖଆଖ ୪ଟି ଜିଲାର ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାି ଦେଉଥିବା ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଏବେ ମାତ୍ର ୧୮୭ ଟି ଅକ୍ସିଜେନ୍ ସିଲିଣ୍ଡର ରହିଛି । ସେଥିରୁ ୫ ଲିଟର କ୍ଷମତା ବିଶିଷ୍ଟ ୧୭୮ ସିଲିଣ୍ଡର ରହିଥିବାବେଳେ ଅବଶିଷ୍ଟ ୯ଟି ସିଲିଣ୍ଡର ୨୦ ଲିଟର ବିଶିଷ୍ଟ ଅଟେ । ସେହିଭଳି ଗୁରୁତର କରୋନା ରୋଗୀଙ୍କ ଲାଗି ଆବଶ୍ୟକ ପଡୁଥିବା ଭେଣ୍ଟିଲେଟର ସଂଖ୍ୟା ମାତ୍ର ୧୨ ରେ ସୀମିତ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ଗୋଟିଏ ହେଲେ ମଧ୍ୟ ଭେଣ୍ଟିଲେଟର ସେବାରେ ଉପଲବ୍ଧ ହୋଇପାରିନଥିବା ଜଣାପଡିଛି ।

ଅନୁରୂପ ଭାବେ ଜିଲାରେ ଏବେ କରୋନା ଦୈନିକ ସଂକ୍ରମଣ ୫୦ ଉପରେ ରହିଥିବାବେଳେ ଜିଲା ହେଡ୍‌କ୍ୱାର୍ଟର ହସ୍‌ପିଟାଲରେ ପ୍ରସ୍ତୁତ କୋଭିଡ୍ ହସ୍‌ପିଟାଲରେ କ୍ୟାବିନ ସହିତ ମାତ୍ର ୩୮ ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଯାହାର ୭୦ ପ୍ରତିଶତ ଏବେ ପୁରା ରହିଛି । ଅନ୍ୟପକ୍ଷରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ଜିଲା ସ୍ୱାସ୍ଥ୍ୟ ପ୍ରଶାସନର ଏହି ପ୍ରସ୍ତୁତି ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଛନ୍ତି ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ସରକାରଙ୍କୁ ଅଧିକ ୨ ଶହ ସିଲିଣ୍ଡର ଅକ୍ସିଜେନ ଯୋଗାଇ ଦେବାକୁ ଚିଠି ଲେଖିଥିବା ବେଳେ ଆମକୁ ଅଧିକ ଶହେ ସିଲିଣ୍ଡର ଯୋଗାଇ ଦିଆଯାଇଛି । ସେହିଭଳି ଆମ ପାଖରେ ଏବେ ୧୨ ଟି ଭେଣ୍ଟିଲେଟର ରହିଥିବାବେଳେ ସେଥିରୁ ୪ ଟି କାର୍ଯ୍ୟକ୍ଷମ କରାଇବାରେ ସଫଳ ହୋଇଛୁ । ଅବଶିଷ୍ଟ ୮ଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଭେଣ୍ଟିଲେଟର ଚଳାଇବାକୁ ଆନୁସଙ୍ଗିକ ଟେକ୍ନସିଆନ ଏବଂ ଯନ୍ତ୍ରପାତି ନଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ୱାର୍ଡରେ ତାହା କାର୍ଯ୍ୟକ୍ଷମ ହୋଇପାରିନଥିବା ଜଣାପଡିଛି । ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ୍ ଆଇସୋଲେସନ ୱାର୍ଡକୁ ଏବେ ୩୮ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍‌ପିଟାଲକୁ ରୂପାନ୍ତରିତ କରାଯାଇଥିଲେ ମଧ୍ୟ ଗୁରୁତର ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଏଠାରେ ଅନୁରୂପ ସମ୍ବଳ ଓ ସାମର୍ଥ୍ୟ ନଥିବା କୁହାଯାଉଛି । ସେହିଭଳି ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଦ୍ରକ ଓଲଙ୍ଗ ଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ପୁଣି ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯାଇଥିବାବେଳେ ଭଣ୍ଡାରିପୋଖରୀ, ଧାମନଗର ଏବଂ ତିହିଡି ଥାରେ ଅନୁରୂପ ଭାବେ ୩ଟି କେନ୍ଦ୍ରକୁ ପ୍ରସ୍ତୁତ ରଖାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.