Home ଜିଲ୍ଲା ପରିକ୍ରମା କୋଚିଳାନଦୀରେ ଦୁର୍ବଳ ବନ୍ଧ ,ଭୟର ବଳୟରେ ଧାମନଗରର ତିନି ପଂଚାୟତ, ଅସମ୍ପୂର୍ଣ୍ଣ କାମକୁ ନେଇ ଜନଅସନ୍ତୋଷ

କୋଚିଳାନଦୀରେ ଦୁର୍ବଳ ବନ୍ଧ ,ଭୟର ବଳୟରେ ଧାମନଗରର ତିନି ପଂଚାୟତ, ଅସମ୍ପୂର୍ଣ୍ଣ କାମକୁ ନେଇ ଜନଅସନ୍ତୋଷ

5

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ଏବଂ ଲଘୁଚାପ ଜନିତ ବର୍ଷାରେ ଧାମନଗର ବ୍ଲକ ଅଂଚଳ ବେହାଲ ହୋଇପଡ଼ିଥିବା ବେଳେ, ଏବେ କୋଚିଳା ନଦୀର ଦୁର୍ବଳ ବନ୍ଧ ସଇଲୋ ଗ୍ରାମବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି। ନଦୀବନ୍ଧ କୌଣସି ମୁହୂର୍ତରେ ଭାଙ୍ଗିଯିବା ଆଶଙ୍କାରେ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ସଇଲୋ ନିକଟ ଜଗନ୍ନାଥ ଧଳଙ୍କ ଘର ପାଖରେ ଥିବା କୋଚିଳା ନଦୀବନ୍ଧଟି ଗତ ଦୁଇ ବର୍ଷ ହେବ ବାରମ୍ବାର ଧସୁଛି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ଜିଲ୍ଲାପାଳ ଏବଂ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସ୍ଥାୟୀ ସମାଧାନ ନିମନ୍ତେ ୨ କୋଟି ଟଙ୍କା ମଞ୍ଜୁର ହେବା ସହ ଟେଣ୍ଡର ମଧ୍ୟ କରାଯାଇଥିଲା। ତେବେ, ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନିର୍ଦ୍ଧାରିତ ସମୟରେ କାମ କଲେ ନାହିଁ। ପ୍ରଥମ ବନ୍ୟା ଜଳ ଆସିବା ମାତ୍ରେ ନଦୀବନ୍ଧର ଅବସ୍ଥା ଅଧିକ ଖରାପ ହୋଇଛି। ଏହାର ପ୍ରଭାବରେ ଅର୍ଜୁନପୁର, ପଧାନୀ ଏବଂ ହସନାବାଦ ପଂଚାୟତର ବହୁ ଗ୍ରାମବାସୀ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି। ଏନେଇ ଧାମନଗର ଜଳସେଚନ ବିଭାଗର ଏସଡିଓ ଶମ୍ଭୁନାଥ ମଲିକ କହିଛନ୍ତି, “ଯେଉଁ ଠିକାଦାର କାମ କରିନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତମାନ ବନ୍ଧକୁ ଅସ୍ଥାୟୀ ଭାବେ ମରାମତି କରାଯାଇଛି। ସାଧାରଣ ଜନତା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ବନ୍ଧ ସୁରକ୍ଷିତ ଅଛି ଏବଂ ଖୁବଶୀଘ୍ର ଏହାର ସ୍ଥାୟୀ ମରାମତି କରାଯିବ।”ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦୂର ହୋଇନାହିଁ। ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥାୟୀ ସମାଧାନ ନକଲେ ଆଗାମୀ ଦିନରେ ବଡ଼ ଧରଣର ବିପଦ ଘଟିପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ତେବେ ନଦୀରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶ ରେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ, ଏସ ଡି ଓ ଶମ୍ଭୁନାଥ ମଲିକ, ଯନ୍ତ୍ରୀ ବିମଳ ବେହେରା ସଇଲ ଠାରେ ପହଂଚିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.