Home ଜିଲ୍ଲା ପରିକ୍ରମା କାଳୀପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ : ବାଣ ବିକ୍ରିୟ ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ

କାଳୀପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ : ବାଣ ବିକ୍ରିୟ ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ

58

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ନଭେମ୍ବର ୪ ତାରିଖରେ ପାଳିତ ହେବାକୁ ଥିବା କାଳୀପୂଜା ପାଇଁ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁ ସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । କୋଭିଡ଼ କଟକଣା ପାଳନ ପୂର୍ବକ କାଳୀପୂଜା ପାଳନ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗ ଦର୍ଶିକାକୁ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ଉପସ୍ଥାପନ କରିଥିଲେ । ସେହି ଆଧାରରେ ଆଲୋଚନା କରାଯାଇ କାଳୀ ପୂଜା ପର୍ବ ପାଳନ ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିଲା । କୌଣସି ପୂଜା ମଣ୍ଡପରେ ଜନ ସମାବେଶ ହେବ ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ । ମେଢ଼ର ତିନିପାଖ ଆବଦ୍ଧ ରହିବ । ଉତ୍ସୁକତାର ସହିତ ବଡ଼ ଧରଣର କି ଯାକଜକମରେ ପୂଜା କରାଯାଇପାରିବ ନାହିଁ । ଡ଼ାକବାଜି ଯନ୍ତ୍ର ବାଜିବ ନାହିଁ, କି ଯାତ୍ରା କି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ । ନିରାଡ଼ମ୍ବର ଭାବେ ପୂଜା କରାଯିବ । ପୂଜା ମଣ୍ଡପ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକମାନେ ଅନୁମତି ଆଣିବେ । କୌଣସି ପ୍ରକାରେ ଭୋଜିଭାତର ମଧ୍ୟ ଆୟୋଜନ ହେବ ନାହିଁ । ମ୍ୟୁନିସ୍‌ପାଲିଟି ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ।

ବିସର୍ଜନ ବେଳେ କୌଣସି ବାଦ୍ୟ ବାଜିବ ନାହିଁ କି ଶୋଭାଯାତ୍ରା ହେବ ନାହିଁ । ଆଗାମୀ କାଳୀପୂଜା ଅବସରରେ ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବାରୁ ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ବୈଠକରେ ସୂଚନା ଦିଆ ଯାଇଥିଲା । ଘଟତ୍ତୋଳନ ପାଇଁ ସାଳନ୍ଦୀ ନଦୀର ରାଜଘାଟ ଓ ସନ୍ଥିଆ ଘାଟରେ ଥିବା ପକ୍କା ପାହାଚକୁ ସଫା କରାଯିବା , ବିସର୍ଜନ ପାଇଁ ତ୍ରିଶୁଳିଆ କୃତ୍ରିମ ପୋଖରୀ ନିକଟକୁ ଯିବା ପାଇଁ ଥିବା ରାସ୍ତାରୁ ଅଳିଆ ଆବର୍ଜନା ଉଠାଇ ସଫା କରିବା, ପୂଜା ଦିନ ୪ ତାରିଖ ରାତ୍ର ଘ୯ଟିକା ରୁ ୫ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବା, କେତେକ ଯାଗାରେ ରାସ୍ତା ମରାମତି କରାଯିବା ପାଇଁ ପୂଜା କମିଟି ମାନଙ୍କର କର୍ମକର୍ତ୍ତାମାନଙ୍କ ଅନୁରୋଧ କ୍ରମେ ସେସବୁ ଦିଗରେ ପଦକ୍ଷେପ ନିଆଯିବା ପାଇଁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଗତ ଗଣେଶ ପୂଜା, ଦୁର୍ଗାପୂଜା ପର୍ବପାଳନରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକୁ ମାନି ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ଭଦ୍ରକବାସୀ ପ୍ରଶାସନକୁ ଯେପରି ସହଯୋଗର ହାତ ବଢ଼ାଇ ଆସିଛନ୍ତି, ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ କାଳୀପୂଜା ପାଳନରେ କର୍ମକର୍ତ୍ତା ଓ ଭଦ୍ରକବାସୀ ସେହିପରି ସହଯୋଗ କରିବାକୁ ଜିଲ୍ଲାପାଳ ବୈଠକରେ ଅନୁରୋଧ କରିଥିଲେ । ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନଙ୍କ ସହ ସଂପୃକ୍ତ ବିଭାଗୀୟ ଏବଂ ପୋଲିସ୍ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.