Home ଓଡ଼ିଶା କଳାହାଣ୍ଡି – ଗଣପତି ରାଇସ ମିଲ ଭିତରେ ଭାଙ୍ଗ କାରଖାନା ଠାବ, ଚାରି ଅଟକ

କଳାହାଣ୍ଡି – ଗଣପତି ରାଇସ ମିଲ ଭିତରେ ଭାଙ୍ଗ କାରଖାନା ଠାବ, ଚାରି ଅଟକ

157

କଳାହାଣ୍ଡି – ୦୧.୧୧ (ଓଡିଆ ପୁଅ) ଜୁନାଗଡ ବ୍ଲକ ଅନ୍ତର୍ଗତ ସନ୍ୟାସୀକୁଣ୍ଡାମାଲ ଛୋରିଆଗଡ ରାସ୍ତା ପାଶ୍ୱର୍ରେ ଥିବା ଶ୍ରୀ ଗଣପତି ରାଇସ ମିଲ ପରିସରରେ ଏକ ଭାଙ୍ଗ କାରଖାନା ଠାବ କରାଯାଇଥିବା ଜଣାପଡିଛି। ଏସଂପର୍କରେ ଜୁନାଗଡ ପୋଲିସ ସମେତ ବିଭିନ୍ନ ପଦାଧିକାରୀ ଗତ ଗୁରବାର ଦିନ ଶ୍ରୀ ଗଣପତି ରାଇସ ମିଲ ମଧ୍ୟରେ ଚଡଉ କରିବା ପରେ ଉକ୍ତ ମିଲ ପରିସରରେ ଏକ ଭାଙ୍ଗ କାରଖାନା ଚାଲିଥିବା ଜଣାପଡିଥିଲା। ଚଢଉ ସମୟରେ ଯଦିଓ ଭାଙ୍ଗ କାରଖାନା କାର୍ଯ୍ୟକ୍ଷମ ହେଉନଥିଲା ତଥାପି ଭାଙ୍ଗ ତିଆରି ସାମଗ୍ରୀ, ପାକେଟ ଜରି ଇତ୍ୟାଦି ପଡିରହି ଥିବାର ତଦନ୍ତ ସମୟରେ ମିଳିଥିବା ପ୍ରକାଶ। ମିଲମାଲିକ ସେଠାରେ ଉପସ୍ଥିତ ଥିଲେହେଁ ଭାଙ୍ଗ ସଂପର୍କରେ ତଦନ୍ତ ହେଉଥିବା ଜାଣି ସେଠାରୁ ଖସି ଯାଇଥିବା ଆଲୋଚନା ହେଉଛି। ଜୁନାଗଡ ସହରର ସମାଜସେବୀ ଭାବେ ପରିଚିତ ଦୁର୍ଗା ନାଏକଙ୍କ ମାଲିକାନାରେ ଏହି ରାଇସ ମିଲ ଚାଲିଥିବା ବେଳେ ତାଭିତରେ କିଛି ବର୍ଷ ହେବ ଜୁନାଗଡସ୍ଥ ପ୍ରହଲ୍ଲାଦ ପ୍ରଧାନ (ପହଲି)ଙ୍କ ନାମରେ କେନ୍ଦ୍ରୀୟ ଅବକାରୀ ବିଭାଗରୁ ବନଦୁର୍ଗା ଭାଙ୍ଗ କାରଖାନା ନାମରେ ଅନୁମତି ନେଇ ଭାଙ୍ଗ କାରଖାନା ଚଳାଇଆସୁଥିବା ଜଣାଡିଛି। ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ସେହି ଭାଙ୍ଗ କାରଖାନାର ଲାଇସେନ୍ସ ସମୟ ଅତିବାହିତ ହୋଇଯାଇଥିବା ବେଳେ ତାହା ନିୟମ ଅନୁଯାୟୀ ସରେଣ୍ଡର ମଧ୍ୟ କରାଯାଇନଥିବା ଜଣାପଡିଛି। ଲାଇସେନ୍ସ ପରିୟଡ ସମାପ୍ତ ହୋଇ ସରେଣ୍ଡର ହୋଇନଥିଲେ ନିୟମାନୁସାରେ ଉକ୍ତ ଭାଙ୍ଗ କାରଖାନା ବେନିୟମ ଭାବେ ଚାଲିଥିବା ସଙ୍ଗେ ସମାନ ବୋଲି ଆଇନ ବିଶାରଦ ମାନେ ମତ ବ୍ୟକ୍ତ କରିଛନ୍ତି। ଜୁନାଗଡ ପୋଲିସ ଥାନାରେ ପ୍ରହଲ୍ଲାଦ ପ୍ରଧାନ (ପହଲି) ସମେତ ରାଇସ ମିଲ ମେନେଜର ଓ ଅନ୍ୟ କର୍ମଚାରୀ ମାନଙ୍କ ସମେତ ମୋଟ ଚାରିଜଣଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲିଥିବା ଜଣାପଡିଛି। ଜୁନାଗଡ ପୋଲିସ ପକ୍ଷରୁ ଘଟଣା ସଂପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଉନଥିବା ବେଳେ ଏହା ଏକ ଉଚ୍ଚ ସ୍ତରୀୟ ତଦନ୍ତ ବୋଲି ଜଣାପଡିଛି। ସଂପୃକ୍ତ ରାଇସ ମିଲ ଓ ତାଭିତରେ ଥିବା ବେନିୟମ ଭାଙ୍ଗ କାରଖାନାକୁ ପୋଲିସ ପକ୍ଷରୁ କଡା ପହରା ମଧ୍ୟରେ ରଖାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.