Home କନ୍ଧମାଳ କନ୍ଧମାଳର ଦୀନବନ୍ଧୁ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି

କନ୍ଧମାଳର ଦୀନବନ୍ଧୁ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି

39

କନ୍ଧମାଳ, ୨୯/୯-(ଓଡିଶା ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ପ୍ୟାଡ ମ୍ୟାନ କହିଲେ ସଭିଏଁ ଅକ୍ଷୟ କୁମାରଙ୍କ ୨୦୧୮ ରେ ରିଲିଜ ହୋଇଥିବା ଫିଲ୍ମକୁ ବୁଝନ୍ତି। ଆଉ ଏହି ଫିଲ୍ମଟି ମହିଳାଙ୍କ ମାସିକ ଋତୁସ୍ରାବକୁ ନେଇ ଆଧାରିତ। ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀର ମାସିକ ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାକୁ ନେଇ ସ୍ୱଚ୍ଛ ଓ ସୁସ୍ଥ ସାନିଟାରୀ ପ୍ୟାଡ଼ ନିର୍ମାଣ କରିଥିଲେ। ଆଉ ସେଇ ସାନିଟାରୀ ପ୍ୟାଡ଼ କିଭଳି ସମସ୍ତ ଶ୍ରେଣୀର ମହିଳା ବ୍ୟବହାର କରିପାରିବେ ସେ ଉଦ୍ଧେଶ୍ୟରେ ସାନିଟାରୀ ପ୍ୟାଡ଼ ବନାଇଥିବା ବେଳେ ସେ ସମଗ୍ର ଦେଶ ଓ ବିଶ୍ୱରେ ପ୍ୟାଡ ମ୍ୟାନ ଭାବେ ପରିଚିତ ହୋଇଥିଲେ। ଆଉ ଆମେ ମଧ୍ୟ ଏଭଳି ଏକ ପ୍ୟାଡ ମ୍ୟାନଙ୍କ କଥା ଆପଣଙ୍କୁ ଦେଖାଇବୁ। ହେଲେ ଏଠି କାହାଣୀ କିଛି ଅଲଗା। ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳା ଓ ଯୁବତୀଙ୍କ ନିକଟରେ ସ୍ୱଚ୍ଛ କପଡ଼ା ନଥିବା ହେତୁ ସେମାନେ ବହୁ ସମସ୍ୟା ଭୋଗ କରୁଥିବା ବେଳେ ସେମାନଙ୍କ ନିକଟରେ ସାନିଟାରୀ ପ୍ୟାଡ ପହଞ୍ଚାଉଛନ୍ତି ଯୁବ ସମାଜ ସେବୀ। ମହିଳା ଓ ଯୁବତୀଙ୍କ ଏହି ସମସ୍ୟାକୁ ନେଇ ସମସ୍ତେ ପ୍ରତି ସମୟରେ ଲାଜ ଓ କୁଣ୍ଠାବୋଧ କରିବା ସହ ଅନ୍ଧବିଶ୍ୱାସରେ ପରିପୂର୍ଣ୍ଣ ରହିବା ସହ ବିଭିନ୍ନ ଅପରିଷ୍କାର କପଡ଼ା ବ୍ୟବହାର କରିଥିଲେ। ହେଲେ ଏସବୁ ସମସ୍ୟାର ସମାଧାନ କରିବା ଦିଗରେ ଆଜକୁ ୭ ବର୍ଷ ହୋଇଗଲା କନ୍ଧମାଳ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ଯୁବ ସମାଜସେବୀ ଦୀନବନ୍ଧୁ ମହାରଣା ପହଞ୍ଚି ମହିଳା ଓ ଯୁବତୀଙ୍କୁ ସାନିଟାରୀ ପ୍ୟାଡ଼ ଯୋଗାଇ ଆସୁଛନ୍ତି। ଏହା ସହିତ ଏହାର ସବୁଦିନିଆ ସମାଧାନର ବାଟ ଦେଖାଉଛନ୍ତି। ମାସିକ ଋତୁସ୍ରାବ ସମୟରେ ମହିଳା ଓ ଯୁବତୀ ନିଜର ସ୍ୱଚ୍ଛତା ଓ ସୁରକ୍ଷା ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନ କିଭଳି ରହିପାରିବେ ସେ ବାର୍ତ୍ତା ମଧ୍ୟ ପହଞ୍ଚାଇ ଆସୁଛନ୍ତି। ହେଲେ ଏହି ସାନିଟାରୀ ପ୍ୟାଡକୁ ମହିଳା ଓ ଯୁବତୀଙ୍କୁ ଦେବା ପୂର୍ବରୁ ସେମାନଙ୍କ ସୁରକ୍ଷା ଅଭ୍ୟାସକୁ ଦୃଷ୍ଟରେ ରଖି ଗ୍ରାମାଞ୍ଚଳରେ ରହିଥିବା କୂଅ, ନଳକୂପ ଓ ଚୁଆ ଆଦି ମହିଳାଙ୍କ ଗାଧୋଇବା ସ୍ଥାନରେ ସୁରକ୍ଷିତ ଗାଧୋଇବା ପାଇଁ ଅସ୍ଥାୟୀ ଗାଧୋଇବା ଘର ମାନ ନିର୍ମାଣ କରାଇ ମହିଳା ଓ ଯୁବତୀଙ୍କୁ ସାନିଟାରୀ ପ୍ୟାଡ ପ୍ରଦାନ କରିଥାନ୍ତି। ଯୁବ ସମାଜ ସେବୀ ଦୀନବନ୍ଧୁ ମହାରଣା ଦିଲ୍ଲୀର ଗୁଞ୍ଜ ନାମକ ଅନୁଷ୍ଠାନର ମୁଖ୍ୟ ଅଂଶୁ ଗୁପ୍ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଏଭଳି ଆଦିବାସୀ ମହିଳା ଓ ଯୁବତୀଙ୍କ ନିକଟରେ ସାନିଟାରୀ ପ୍ୟାଡ ପହଞ୍ଚାଇ ଆସୁଛନ୍ତି। ଆଉ ଯୁବ ସମାଜ ସେବୀଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା ମଧ୍ୟ କରାଯାଉଛି। ଏହି କାମ ପାଇଁ କନ୍ଧମାଳର ପ୍ୟାଡ ମ୍ୟାନ ଭାବେ ପରିଚିତ ହୋଇଛନ୍ତି ଯୁବ ସମାଜ ସେବୀ ଦୀନବନ୍ଧୁ ମହାରଣା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.