Home ଓଡ଼ିଶା କଟକ ଅଗ୍ନିକାଣ୍ଡ ପରେ ତତ୍ପରତା : ଭଦ୍ରକରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

କଟକ ଅଗ୍ନିକାଣ୍ଡ ପରେ ତତ୍ପରତା : ଭଦ୍ରକରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

61

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷରେ ଚେତିଛି ଜିଲା ପ୍ରଶାସନ। କଟକସ୍ଥିତ ଏକ ଘରୋଇ କୋଭିଡ୍ ହସ୍‌ପିଟାଲରେ ଅଗ୍ନିକାଣ୍ଡ ପରେ ପ୍ରଶାସନ ପକ୍ଷରୁ ଭଦ୍ରକ ସାଳନ୍ଦୀ କୋଭିିଡ ହସ୍‌ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏ ସଂପର୍କରେ ଜିଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଫାୟାର ଏକ୍ସଟେନଗୁଇସର, ଫାୟାର ଆଲାର୍ମ, ପାଣି ପକାଇବାକୁ ଥିବା ପାଇପ୍ ପରି କେତେକ ଅଗ୍ନି ନିର୍ବାପକ ଯନ୍ତ୍ରାଂଶର ଫଟୋକୁ ଏହି ଟ୍ୱିଟ୍ ଜରିଆରେ ପୋଷ୍ଟ କରାଯାଇଛି। ସାଳନ୍ଦୀକୁ କୋଭିଡ୍ ହସ୍‌ପିଟାଲ ଭାବେ ମନୋନୀତ କରିବା ପୂର୍ବରୁ କିମ୍ବା ଏ ସଂପର୍କରେ ନୀତିଗତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସଂପୃକ୍ତ ହସ୍‌ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ, ସେ ସଂପର୍କରେ ପ୍ରଶାସନ ପକ୍ଷରୁ ଏଯାବତ୍ ସ୍ପଷ୍ଟ କରାଯାଇନାହିଁ। ତଥାପି ତଥ୍ୟ ଅନୁଯାୟୀ ଏଯାଏଁ ଉକ୍ତ କୋଭିଡ୍ ହସ୍‌ପିଟାଲକୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଂପର୍କିତ ପ୍ରମାଣପତ୍ର ମିଳିନାହିଁ। ସଂପୃକ୍ତ ହସ୍‌ପିଟାଲ କର୍ତ୍ତୃପକ୍ଷ ପୂର୍ବରୁ ଏଥିପାଇଁ ଆବେଦନ କରିଛନ୍ତି। କିନ୍ତୁ ଆବଶ୍ୟକ ପଡୁଥିବା ଗୋଟିଏ ପମ୍ପ ଓ ସ୍ଫ୍ରିଙ୍କଲର ପରି ୨ଟି ଆବଶ୍ୟକତା ପୂରଣ କରିନଥିବାରୁ ଏହି ପ୍ରମାଣପତ୍ର ସାଳନ୍ଦୀ ହସ୍‌ପିଟାଲକୁ ଆଜିପର୍ଯ୍ୟନ୍ତ ମିଳିବା ସମ୍ଭବ ହୋଇନାହିଁ। ଏକଥା ସ୍ପଷ୍ଟ କରିଛନ୍ତି ବାଲେଶ୍ୱରସ୍ଥିତ ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ସେଠୀ। ବର୍ତ୍ତମାନ ସମୟରେ ସାଳନ୍ଦୀ କୋଭିଡ୍ ହସ୍‌ପିଟାଲ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଘରୋଇ ହସ୍‌ପିଟାଲକୁ କୋଭିଡ୍ ହସ୍‌ପିଟାଲରେ ପରିଣତ କରାଯାଇଥିଲା। ଏକ ରାଷ୍ଟ୍ରାୟତ ଉଦ୍ୟୋଗ ସହିତ ୧ କୋଟିରୁ ଅଧିକ ଟଙ୍କା ବିନିମୟରେ ୩ ମାସ ପାଇଁ ପ୍ରଥମେ ଏମ୍‌ଓୟୁ (ବୁଝାମଣା ପତ୍ର) ସ୍ୱାକ୍ଷରିତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାର ଅବଧି ବଢିଛି। କିନ୍ତୁ ଏପରି ଏକ ସମ୍ବେଦନଶୀଳ ଚିକିତ୍ସା କେନ୍ଦ୍ର କରାଯିବାହ ପୂର୍ବରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସେଠାରେ ରହିଛି କି ନାହିଁ, ସେ ଦିଗରେ ପ୍ରଶାସନର କାହିଁକି ଗୁରୁତ୍ୱାରୋପ କରିନଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବର୍ତ୍ତମାନ ସମୟରେ ଏହି ହସ୍‌ପିଟାଲରେ ଶତାଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏପରିସ୍ଥଳରେ ସେଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନରହିବା ଦୁର୍ଭାଗ୍ୟଜନକ ବୋଲି ବହୁ ଚିକିତ୍ସାଧୀନ ରୋଗୀଙ୍କ ସଂପର୍କୀୟ ଆଜିର କଟକସ୍ଥିତ କୋଭିଡ୍ ହସ୍‌ପିଟାଲ ଅଗ୍ନିକାଣ୍ଡ ଘଟଣା ପରେ ମତବ୍ୟକ୍ତ କରିଛନ୍ତି। ଯଦି ସାଳନ୍ଦୀ ହସ୍‌ପିଟାଲରେ କୌଣସି କାରଣରୁ ଅକସ୍ମାତ ଅଗ୍ନିକାଣ୍ଡ ଘଟେ, ରୋଗୀମାନେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ୨୦୧୬ ମସିହାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ପରେ ହଠାତ୍ ରାଜ୍ୟ ସରକାର ତତ୍ପର ହୋଇ ଉଠିଥିଲେ। ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଘରୋଇ କ୍ଲିନିକ୍ ଓ ହସ୍‌ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଥିଲା। ସେ ସମସ୍ତ ସ୍ଥାନରେ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଥିଲା। ସେହପରି ୨ ବର୍ଷ ପୂର୍ବେ ଗୁଜୁରାଟର ଏକ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବା ସହ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। କିନ୍ତୁ ଅତୀତର ଉପରୋକ୍ତ ଦୁଇଟି ଘଟଣା ପରେ ମଧ୍ୟ ଜିଲାର ଅଗ୍ନିଶମ ବିଭାଗ ସମେତ ଭଦ୍ରକ ଜିଲା ପ୍ରଶାସନ ଚେତିନାହିଁ। ସହରରେ ୧୦ ରୁ ଅଧିକ ଛୋଟ ବଡ ଘରୋଇ ନର୍ସିଂହୋମ୍ ଓ ହସ୍‌ପିଟାଲ ମାଲିକ ନିଜର ବ୍ୟବସାୟିକ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବାବେଳେ ରୋଗୀଙ୍କ ନିରାପତ୍ତା ପ୍ରତି ଆଖି ବୁଜି ଦେଇଛନ୍ତି। ସମସ୍ତେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଆବେଦନ କରି ଚୁପ୍ ବସିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସେମାନଙ୍କ ଉପରେ କୌଣସି ଚାପ ନାହିଁ। ସେହିପରି ସହରର କୌଣସି ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ନାହିଁ ଏହି ବ୍ୟବସ୍ଥା। କେବଳ ଏସ୍‌ବିଡି ଇଣ୍ଟରନ୍ୟାସ୍‌ନାଲ ସ୍କୁଲ ଓ ଜ୍ୟୋତି କନଭେଣ୍ଟ ସ୍କୁଲକୁ ଏହି ପ୍ରମାଣପତ୍ର ମିଳିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.