Home ଜିଲ୍ଲା ପରିକ୍ରମା ଓଡ଼ିଶାବାସୀଙ୍କୁ କଂଗ୍ରେସର ୧୦ ଗ୍ୟାରେଣ୍ଟି ଓ ସଂକଳ୍ପ ପତ୍ରକୁ ନେଇ ସାମ୍ବାଦିକ ସମ୍ମିଳନୀ, କଂଗ୍ରେସ ସରକାର...

ଓଡ଼ିଶାବାସୀଙ୍କୁ କଂଗ୍ରେସର ୧୦ ଗ୍ୟାରେଣ୍ଟି ଓ ସଂକଳ୍ପ ପତ୍ରକୁ ନେଇ ସାମ୍ବାଦିକ ସମ୍ମିଳନୀ, କଂଗ୍ରେସ ସରକାର ଗଠନ ହେଲେ ପ୍ରଥମ ୪ ବର୍ଷରେ ସମସ୍ତ ଗ୍ୟାରେଣ୍ଟି ପୂରଣ ହେବ – ଅନନ୍ତ ସେଠୀ

21

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ନିର୍ବାଚନକୁ ଆଖି ଆଗରେ ରଖି ଆଜି ପୂର୍ବ ଘୋଷଣା ମତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ କମିଟିର ସଂକଳ୍ପ ପତ୍ର ଓ କଂଗ୍ରେସର ଗ୍ୟାରେଣ୍ଟିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ସମେତ ଜିଲାର ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଓ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡି-ବିଜେପି ଶାସନରେ ଯାହା ହୋଇନାହିଁ, କଂଗ୍ରେସ ଆସିଲେ ତାହା କାର୍ଯ୍ୟରେ କରି ଦେଖାଇବ ବୋଲି ଦଳ ପକ୍ଷରୁ ଘୋଷଣା ହୋଇଥିବା କଂଗ୍ରେସର ୧୦ ଗ୍ୟାରେଣ୍ଟି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଓଡ଼ିଶା ରାଜ୍ୟରେ କଂଗ୍ରେସକୁ ଜନସାଧାରଣ ବିପୁଳ ପରିମାଣରେ ଜୟଯୁକ୍ତ କରି ଶାସନ ଗାଦିରେ ବସାଇଲେ ଏହି ଦଳ ବୋନସ ସହ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷି ଋଣ ଛାଡ, କୃଷକମାନଙ୍କ ପାଇଁ ମାସିକ ୨ ହଜାର ଟଙ୍କାର ପେନସନ ଯୋଜନା, ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇର୍ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା, ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ବାବଦ ମାସିକ ୨ ହଜାର ଟଙ୍କା ପ୍ରଦାନ, ରାଜ୍ୟରେ ଜାତି ଭିତ୍ତିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଓ ଚିଟ୍‌ଫଣ୍ଡ ଦ୍ୱାରା ପ୍ରଭାବିତ ହୋଇଥିବା ଜମାକାରୀମାନଙ୍କୁ ୬ ମାସ ମଧ୍ୟରେ ଟଙ୍କା ଫେରସ୍ତ ଦେବାଭଳି ୧୦ଟି ଗ୍ୟାରେଣ୍ଟି ସଂପର୍କରେ ସେ ଅବଗତ କରାଇଥିଲେ ।

ଏବଂ କଂଗ୍ରେସର ୧୯ ଦଫା ସଂକଳ୍ପ ପତ୍ରକୁ ପଢି ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା ହେଲେ ଘୋଷଣା ହୋଇଥିବା ସବୁ ଗ୍ୟାରେଣ୍ଟିଗୁଡିକୁ ସରକାର ଗଠନ ହେବାର ପ୍ରଥମ ୪ ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ପୂର୍ବତନ ଜିଲା କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପାଢୀ, ଭଦ୍ରକ ବିଧାନସଭା ସଭାପତି ସଭାପତି ଇଲିୟାସ ଅଲ୍ଲୀ ଖାଁ, ନାରୀନେତ୍ରୀ ତଥା ଆଇନ୍‌ଜୀବୀ ସ୍ୱାତିକା ପଣ୍ଡା, ଜିଲା କଂଗ୍ରେସ ଉପସଭାପତି ବଳରାମ ରାଉତ, ବେତରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶଶିଭୂଷଣ ଦାସ, ଯୁବନେତା ପ୍ରଦ୍ୟୁମ୍ନ ମହାନ୍ତି, ଅଜୟ ଧଳ, ଜିଲା ଯୁବ କଂଗ୍ରେସ ନଗର ସାଧାରଣ ସଂପାଦକ ସୁଶାନ୍ତ ଦାସ, ରିଆଜ ଖାନ, ସେକ୍ କାଲାମ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.