ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଚାଲିଥିବା ଐତିହାସିକ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସ ଯେପରି ଭାବେ ଅମାନୁଷିକ ଆକ୍ରମଣ କରି ଶହ ଶହ ଛାତ୍ର ନେତାଙ୍କୁ ଆଘାତ କରି ହସ୍ପିଟାଲରେ ପକାଇଛନ୍ତି ତାହା ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ଠାରୁ ଆହୁରି ଭୟଙ୍କର ଆକ୍ରମଣ ବୋଲି ଭଦ୍ରକ ଓକିଲ ସଂଘ ଅଭିଯୋଗ କରିଛି । ଦିଲ୍ଲୀ ପୁରୁଷ ପୋଲିସ ପକ୍ଷରୁ ଐତିହାସିକ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିବା ମହିଳା ଆନ୍ଦୋଳନକାରୀ ମାନଙ୍କ ବ୍ୟକ୍ତିଗତ ସମ୍ବେଦନଶୀଳ ଗୁପ୍ତାଙ୍ଗ ଉପରେ ଆକ୍ରମଣ କରିବା ଘଟଣା ବିଶ୍ୱ ଦରବାରରେ ଭାରତର ଛବିକୁ ମଳିନ କରିଛି ଏବଂ ଏହି ଘଟଣା ପାଇଁ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ସହ ଦିଲ୍ଲୀ ପୋଲିସର ଦାଗୀ ଅଫିସର ମାନଙ୍କୁ ଗିରଫ କରାଯିବାକୁ ଭଦ୍ରକ ଓକିଲ ସଂଘ ଦାବି କରିଛି । ଉପରୋକ୍ତ ଦାବି ନେଇ ଓକିଲ ସଂଘ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜାତୀୟ ମାନବ ଅଧିକାର କମିଶନ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନରେ ଭଦ୍ରକ ଓକିଲ ସଂଘ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପୂର୍ବତନ ଓକିଲ ସଂଘ ସଂପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ବାର୍ କାଉନସିଲ ର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ଆଇନଜୀବୀ ବିଜନ ଜେନା, ଆଇନଜୀବୀ ପ୍ରଫୁଲ୍ଲ ସାମଲ, ଅଶୋକ ନାୟକ, ପ୍ରଫୁଲ୍ଲ ପାଢୀ, ଧିରେନ୍ଦ୍ର ରାୟ, ସନ୍ତୋଷ ମହାପାତ୍ର, ଜାମିଲ ଅହମ୍ମଦ, ନିଶିକାନ୍ତ ନାୟକ, ସନ୍ତୋଷ ନାୟକ, ବିକାଶ ନାଥ, ମହମ୍ମଦ ଜୟନୂଲ ଆବେଦିନ,ବିଜୟ ରାଉତ, ନାରାୟଣ ମହାନ୍ତି, ମାଧବାନନ୍ଦ ବେହେରା, ଦେବେନ୍ଦ୍ର ନାୟକ, କିଶୋର ଚନ୍ଦ୍ର ବଳ, ଅମ୍ରିତ ପ୍ରିତମ ନାୟକ, ଗୁରୁଜ୍ୟୋତି ମହାନ୍ତି, ଦେବବ୍ରତ ମହାପାତ୍ର, ଆଇନଜୀବୀ ପଦ୍ମିନୀ ବିଶ୍ୱାଳ, ପ୍ରତାପ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହି ଆକ୍ରମଣକାରୀ ଓ ପାଶବିକ ଅତ୍ୟାଚାରୀ ପୋଲିସ ମାନଙ୍କୁ ଯଦି ଅବିଳମ୍ବେ ଗିରଫ କରାନଯାଏ, ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ବଂଦ କରାଯିବ ଓ ଜୁଲାଇ ୨୪ ତାରିଖରେ ଆମ ଦେଶରେ ସଂଗଠିତ ହେବାକୁ ଥିବା ଐତିହାସିକ ସର୍ବଭାରତୀୟ ଛାତ୍ର ଧର୍ମଘଟକୁ ଭଦ୍ରକ ଓକିଲ ସଂଘ ସମର୍ଥନ କରୁଛି ବୋଲି ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Home ଜିଲ୍ଲା ପରିକ୍ରମା ଐତିହାସିକ ଦିଲ୍ଲୀ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ, ଭଦ୍ରକ ଓକିଲ ସଂଘର...








