Home ଜିଲ୍ଲା ପରିକ୍ରମା ଏଥର ଶୁଭିଲାନି ଡିଜେ ଓ ବ୍ୟାଣ୍ଡ ପାର୍ଟି

ଏଥର ଶୁଭିଲାନି ଡିଜେ ଓ ବ୍ୟାଣ୍ଡ ପାର୍ଟି

122

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାହାଘର ଠାରୁ ଆରମ୍ଭ କରି ବ୍ରତଘର ଯାଏ ଉତ୍ସବକୁ ଅତି ସରସ ଓ ସୁନ୍ଦର କରିବାକୁ ଲୋକେ ଡିଜେ କିମ୍ବା ବ୍ୟାଣ୍ଡ ପାର୍ଟି ଲୋଡିଥାନ୍ତି । ସେମିତି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଡିଜେ, ନହେଲେ ବ୍ୟାଣ୍ଡ ପାର୍ଟି ବାଜିଲେ ଉତ୍ସବ ମୁଖରିତ ହୋଇଉଠେ । ଡିଜେ ଗୀତର ତାଳେ ତାଳେ ସମସ୍ତେ ମସଗୁଲ ହୋଇ ଉଠନ୍ତି । ମାତ୍ର ଚଳିତବର୍ଷ ଏସବୁ ଯେମିତି ଉଭାନ୍ ହୋଇଯାଇଛି । ଚାହୁଁ ଚାହୁଁ ୨୦୨୦ ମସିହା ସରିବାକୁ ବସିଲାଣି । କିନ୍ତୁ କୌଣସି ଉତ୍ସବରେ ଡିଜେ କିମ୍ବା ବ୍ୟାଣ୍ଡ ପାର୍ଟି ବାଜା ଦେଖିବାକୁ ମିଳିଲାନି । ମହାମାରୀ କରୋନା ଏସବୁ ଛଡାଇ ନେଲା । ତେଣୁ ବ୍ୟାଣ୍ଡ ପାର୍ଟିର କଳାକାର ଓ ଡିଜେ ମାଲିକମାନେ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି । ଏନେଇ ସେମାନେ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି । ଅନ୍ୟପଟେ ଡିଜେ ଓ ବ୍ୟାଣ୍ଡପାର୍ଟିର ମାଲିକମାନେ ଋଣ ଆଣି ସାମଗ୍ରୀ କ୍ରୟ କରିଥିଲେ । କୋଭିଡ୍ କଟକଣା ଯୋଗୁଁ ଗତ ମାର୍ଚ୍ଚ ମାସରୁ ବିବାହ ଉତ୍ସବ ସମେତ ଯାବତୀୟ ଉତ୍ସବ ଉପରେ ରୋକ୍ ଲାଗିଛି । ଫଳରେ ଏମାନଙ୍କ ବେପାର ସଂକଟରେ ରହିଛି । ଭଦ୍ରକ ଜିଲାରେ ଏବେ ୫୦ ରୁ ଉର୍ଦ୍ଧ୍ୱ ଡିଜେ ଓ ବ୍ୟାଣ୍ଡ ପାର୍ଟି ରହିଥିଲାବେଳେ ଏମାନଙ୍କ ସାମଗ୍ରୀ ରହି ଖରାପ ହେବାକୁ ବସିଲାଣି । ଯେଉଁମାନେ ଋଣ ଆଣି ନିଜର ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିଥିଲେ, ସେମାନଙ୍କ ଅବସ୍ଥା ନକହିବା ଭଲ । ବିଶେଷକରି ବିବାହ ଉତ୍ସବରୁ ବାର୍ଷିକ ପ୍ରାୟ ୨ ଲକ୍ଷ ଟଙ୍କା ସେମାନେ ଲାଭ ଉଠାଇଥାନ୍ତି । ଏଥିରେ ସେମାନେ ପରିବାର ଚଳାଇବା ସହିତ ବଳକା ଅର୍ଥରେ ଋଣ ସୁଝିବା, କର୍ମଚାରୀମାନଙ୍କୁ ପାରିଶ୍ରମିକ ଦେଇଥାନ୍ତି । କିନ୍ତୁ ଚଳିତବର୍ଷ କରୋନା ସମସ୍ତଙ୍କ ମୁହଁରୁ ହସ ଛଡାଇ ନେଇଛି । ଏଭଳି ଦୁଃଖଦ ସମୟରେ ବ୍ୟାଣ୍ଡପାର୍ଟି ଓ ଡିଜେ ସାଉଣ୍ଡ ଗ୍ରୁପ୍‌ର କର୍ମଚାରୀଙ୍କ ପାଇଁ ସରକାର କିଛି ସହାୟତା ପ୍ରଦାନ କଲେ, ସେମାନଙ୍କ ମୁହଁରେ ହସଫୁଟି ପାରନ୍ତା ବୋଲି ବାସୁଳୀ ମାତା ଡିଜେ ସାଉଣ୍ଡାର ମାଲିକ ବାପି ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.