Home ଜିଲ୍ଲା ପରିକ୍ରମା କୋଇଲା ମାଫିଆଙ୍କ ଦାଦାଗିରି ଚରମ ସୀମାରେ , ଆକ୍ରମଣର ଶୀକାର ହେଉଛନ୍ତି ସୁରକ୍ଷା କର୍ମୀ

କୋଇଲା ମାଫିଆଙ୍କ ଦାଦାଗିରି ଚରମ ସୀମାରେ , ଆକ୍ରମଣର ଶୀକାର ହେଉଛନ୍ତି ସୁରକ୍ଷା କର୍ମୀ

65

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଇଲା ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ମାଫିଆଙ୍କ ବିରୋଧରେ ଯିଏ ପ୍ରତିବାଦ କଲା ବା ତାଙ୍କ କାର୍ଯ୍ୟରେ ବାଧା ଉପୁଜାଇଲା ତାକୁ ତାର ମୂଲ୍ୟ ଦେବାକୁ ପଡୁଛି । ମାଫିଆମାନେ ଏବେ ରକ୍ତମୁଖା ହୋଇଯାଇଛନ୍ତି । ରାତିକୁ ୧୫ ରୁ ୨୦ ହାଜାର ଟଙ୍କା କମାଉଥିବା ଏହି କୋଇଲା ମାଫିଆମାନେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାଁନ୍ତି । ତାଙ୍କ ବେପାର ଉପରେ ଯିଏ ଆଖି ଉଠେଇ ଚାହିଁଲା, ତାକୁ ଟାର୍ଗେଟ୍ କରୁଛନ୍ତି ଏହି ମାଫିଆ ମାନେ । ଏପରିକି ଚୋରା କୋଇଲା ଗାଡି ନେଇ ଯାଉଥିବା ମାଫିଆମାନଙ୍କୁ ସାମନକାୁ ଯିଏ ଆସିଲା ତାଙ୍କୁ ଗାଡି ଚଢେଇ ମାରିଦେବା ପାଇଁ ବି ଉଦ୍ୟମ କରୁଛନ୍ତି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ ଏମାନଙ୍କ ର୍ଟାର୍ଗେଟ୍‌ରେ ରେଳପଥ ସିକ୍ୟୁରିଟି ଗାର୍ଡ ଓ କେତେକ ପୁଲିସ୍ କର୍ମଚାରୀ ବି ରହିଛନ୍ତି । ଯିଏ ଏମାନଙ୍କ ବେପାରରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏହି ମାଫିଆମାନେ ସବୁ କଳବଳ ଲଗେଇ ଦେଉଛନ୍ତି । ରେଳଧାରଣାରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡ ମାନଙ୍କୁ ଏବେ ଟାର୍ଗେଟ୍ କରି ଆକ୍ରମଣ କରୁଛନ୍ତି । ଯେଉଁ ସିକ୍ୟୁରିଟି ଗାର୍ଡ ମାନେ ରେଳଧାରଣାରୁ କୋଇଲା କାଢୁଥିବା ଓ କୋଇଲା ବୋଝେଇ ପିକ୍‌ଅପ୍ ନେଇ ଯାଉଥିବା ଚୋରଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଏହି ମାଫିଆଙ୍କ ର୍ଟାେଗଟ୍‌ରେ ରହୁଛନ୍ତି । ଆଜି ଧାମରା-ଭଦ୍ରକ ରେଳପଥର ବାଂଶଡା ରେଲ୍‌ୱେ ବିଲ୍‌ଡିଂ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ଏଠାରେ କାର୍ଯ୍ୟରତ ଥିବା ଜଣେ ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ କରିଛନ୍ତି କୋଇଲା ମାଫିଆ । ମାଫିଆଙ୍କ ପଥର ମାଡରେ ସିକ୍ୟୁରିଟି ଗାର୍ଡ ଜଣକ ଗୁରୁତର ଆହତ ହେବା ସହ ତାଙ୍କର ହାତ ଭାଙ୍ଗିଯାଇଥିବା ଜଣାଯାଇଛି । ଗୁରୁତର ସିକ୍ୟୁରିଟି ଗାର୍ଡଙ୍କୁ ପ୍ରଥମେ ବାଂଶଡା ଓ ପରେ ଭଦ୍ରକରେ ନେଇ ଚିକିତ୍ସା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଧାମରା-ଭଦ୍ରକ ରେଳପଥରେ ଚଳନ୍ତା ରେଳ ଗାଡିରୁ କୋଇଲ୍ ଲୁଟ୍ କରିବା ଏକ ବୃତ୍ତିରେ ପରିଣତ ହୋଇଯାଇଛି । ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେ ଆକ୍ରମଣର ଶୀକାର ହେଉଛନ୍ତି । ଦିନକୁ ଦିନ କୋଇଲା ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଗୁରୁତର ହୋଇଥିବା ଗାର୍ଡ ଜଣକ ଏ ସଂପର୍କରେ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ୬ ମାସ ପୂର୍ବରୁ ଆଉ ଜଣେ ସିକ୍ୟୁରିଟି ଗାର୍ଡ କୋଇଲା ମାଫିଆଙ୍କ ଆକ୍ରମଣରେ ମାଣିପୁର ନିକଟରେ ଆହତ ହୋଇଥିବାବେଳେ କନ୍ଦପୁର ଜିଝାରପୁର ନିକଟରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରି କୋଇଲା ମାଫିଆ ସେମାନଙ୍କ ଠାରୁ ୩ଟି ମୋବାଇଲ୍ ଓ ୧୦ ହଜାର ଟଙ୍କା ଛଡାଇ ନେଇଥିଲେ । ସେହିପରି ଗୁରୁଦାସପୁର ନିକଟରେ ମଧ୍ୟ ସିକ୍ୟୁରିଟି ଗାର୍ଡଙ୍କୁ ଏହି କୋଇଲା ମାଫିଆମାନେ ଆକ୍ରମଣ କରିଥିଲେ । ଯେଉଁମାନେ ମାଫିଆଙ୍କୁ ଚୋରି କରିବାରେ ସହଯୋଗ କରୁଛନ୍ତି, ସେମାନେ ମାଫିଆଙ୍କ ଠାରୁ ମାସିକିଆ ପାଉଛନ୍ତି ଆଉ ଯେଉଁମାନେ ଏଥିରେ ବାଧା ଉପୁଯାଉଛନ୍ତି, ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏପରି ସ୍ଥଳେ ଭଦ୍ରକ-ଧାମରା ରେଳପଥରେ ଡ୍ୟୁଟି କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ୫ ମାସ ପୂର୍ବରୁ ମଧ୍ୟ ମାଣିପୁରଠାରେ କୋଇଲା ମାଫିଆମାନେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବାରୁ ତାଙ୍କର ଶରୀରର ଅନେକ ସ୍ଥାନରେ ଛୁରାଘାତ ହୋଇଥିଲା । ସେତେବେଳେ ମଧ୍ୟ ଏହି ବିଷୟରେ ବାଂଶଡା ଥାନାରେ ଳିଖିତ ଅଭିଯୋଗ ମୂଳେ ଏକ ମୋକଦ୍ଦମା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.