Home ଜିଲ୍ଲା ପରିକ୍ରମା ଉଚ୍ଚ ନ୍ୟାୟାଳୟରୁ ହଟିଲା ରହିତାଦେଶ, ପ୍ରଶାସନ ଅକ୍ତିଆରକୁ ଗଲା ନେହେରୁ ଷ୍ଟାଡିୟମ

ଉଚ୍ଚ ନ୍ୟାୟାଳୟରୁ ହଟିଲା ରହିତାଦେଶ, ପ୍ରଶାସନ ଅକ୍ତିଆରକୁ ଗଲା ନେହେରୁ ଷ୍ଟାଡିୟମ

30

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନେହେରୁ ଷ୍ଟାଡିୟମକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିଛି । ଏହା ପୂର୍ବରୁ ଜିଲା ଅଲମ୍ପିକ ଆସୋସିଏସନ ପରିଚାଳନାରେ ଥିଲା ଷ୍ଟାଡିୟମ । ଏଣିକି ପରିଚାଳନା ଦାୟିତ୍ୱ ପ୍ରଶାସନ ମୁଣ୍ଡାଇବ ବୋଲି ଜଣାପଡିଛି । ଏଠାରେ ଉଲ୍ଲେଖନୀୟ ଯେ; ଭଦ୍ରକର ଏକମାତ୍ର ଏହି ଷ୍ଟାଡିୟମର ଅସଲ ମାଲିକ ହେଉଛି ଜିଲାସ୍କୁଲ । ଜିଲାସ୍କୁଲର ଖେଳ ପଡିଆ ଷ୍ଟାଡିୟମର ରୂପରେଖ ନେଇଛି । ୨୦୦୦ ମସିହାରେ ଜିଲା ଅଲମ୍ପିକ ଆସୋସିଏସନ ଓ ଜିଲାସ୍କୁଲ ମଧ୍ୟରେ ସମ୍ପାଦିତ ଚୁକ୍ତିନାମା ଅନୁଯାୟୀ ଷ୍ଟାଡିୟମର ପରିଚାଳନା ଦାୟିତ୍ୱ ଅଲମ୍ପିକ ଆସୋସିଏସନ ତୁଲାଉଥିଲା । ତେବେ ଦୁଇବର୍ଷ ତଳେ ମ୍ୟୁନିସପାଲଟି ପକ୍ଷରୁ ଷ୍ଟାଡିୟମକୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା । ଏଥିଲାଗି ଜିଲାସ୍କୁଲ ଓ ଅଲମ୍ପିକ ଆସୋସିଏସନ ମଧ୍ୟରେ ପୂର୍ବରୁ ସମ୍ପାଦିତ ଚୁକ୍ତିନାମାକୁ ନାକଚ ଲାଗି ଉଦ୍ୟମ ହୋଇଥିଲା । ତେବେ ଏଥିରେ ଖେଳ ଓ ଖେଳାଳିଙ୍କ ସ୍ୱାର୍ଥରେ ଆଂଚ ଆସିବ ବୋଲି ଦର୍ଶାଇ ଅଲମ୍ପିକ ଆସୋସିଏସନ ଏହା ବିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା । ନ୍ୟାୟାଳୟରେ ରହିତାଦେଶ ଯୋଗୁ ପ୍ରଶାସନର ଷ୍ଟାଡିୟମକୁ ଅକ୍ତିଆର ଉଦ୍ୟମ ସଫଳ ହୋଇନଥିଲା । ତେବେ ଭଦ୍ରକର ନୂତନ ବିଧାୟକ ସଂଜୀବ ମଲ୍ଲିକ ଗତ ଡିସେମ୍ବର ୭ ତାରିଖରେ ଷ୍ଟାଡିୟମ ପରିସରକୁ ଯାଇ ଖେଳାଳିମାନଙ୍କ ସମେତ ଅଲମ୍ପିକ ଆସୋସିଏସନର ସମ୍ପାଦକ ଶୁଭେନ୍ଦୁ ରାୟ ମହାପାତ୍ର ତଥା ଅନ୍ୟ କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ ।

ଆଲୋଚନା କାଳରେ ଷ୍ଟାଡିୟମ ପରିସରରେ ରେନ ୱାଟର ହାରଭେଟିଂ ବ୍ୟବସ୍ଥା, ପଡିଆର ବିକାଶ, ଗ୍ୟାଲେରିକୁ ଅତ୍ୟାଧୁନିକ କରିବା, ବାସ୍କେଟବଲ, ଟେନିସ କୋର୍ଟ, ବ୍ୟାଡମିଂଟନ ଖେଳ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ରହିତାଦେଶ ହଟାଇବା ଲାଗି ନ୍ୟାୟାଳୟରେ ଆବେଦନ କରାଯାଇଥିଲା । ତେବେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ଗତକାଲି ଷ୍ଟାଡିୟମକୁ ଜିଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଥିବା ନେଇ ଜିଲାପାଳ ଟ୍ୱିଟ କରି ଜଣାଇଛନ୍ତି । ଆଜି ପୂର୍ବାହ୍ନରେ ଉପଜିଲାପାଳ ପୀତାମ୍ବର ସାମଲ ଅନ୍ୟ ଅଧିକାରୀଙ୍କ ସହ ଷ୍ଟାଡିୟମ ପରିସରରେ ପହଂଚି ଆନୁଷ୍ଠାନିକ ଭାବେ ପ୍ରଶାସନ ଅକ୍ତିଆରକୁ ନେଇଥିଲେ । ଏପଟେ ଜିଲା ଅଲମ୍ପିକ ଆସୋସିଏସନର ସମ୍ପାଦକ ଶୁଭେନ୍ଦୁ ରାୟ ମହାପାତ୍ର କହିଛନ୍ତି ଯେ; ଷ୍ଟାଡିୟମ ପ୍ରଶାସନର ପରିଚାଳନାରେ ରହିଲେ କାହାର ବ୍ୟକ୍ତିଗତ ସ୍ୱାର୍ଥ ହାନି ହେବାର ନାହିଁ । କିନ୍ତୁ ଖେଳ ଓ ଖେଳାଳିଙ୍କ ପାଇଁ ପ୍ରଶାସନ ଚିନ୍ତା କରିବା ଦରକାର ଓ ଉତରଦାୟୀ ମଧ୍ୟ ରହିବା ଦରକାର । ଏଥିସହ ଷ୍ଟାଡିୟମ ପରିସରରେ ବିଲ୍ଡିଂ ଆସୋସିଏସନ, ବାସ୍କେଟବଲ ଆସୋସିଏନ, ଚେସ ଆସୋସିଏସନ, ବ୍ୟାଡମିଂଟନ ଆସୋସିଏସନ, ରେସଲିଙ୍ଗ୍ ଆସୋସିଏସନ ଭଳି ଏକାଧିକ ପଂଜିକୃତ କ୍ରୀଡାସଂଘର କାର୍ଯ୍ୟାଳୟ ପ୍ରଶାସନ ସ୍ୱୀକୃତି ମୂଳେ ଷ୍ଟାଡିୟମ ପରିସରରେ ରହିଛି । ଏହିସବୁ କ୍ରୀଡାସଂଘର ସ୍ୱାର୍ଥକୁ ମଧ୍ୟ ପ୍ରଶାସନ ନଜରରେ ରଖିବ ବୋଲି ଆଶା କରୁଛି ବୋଲି କହିଛନ୍ତି ଶ୍ରୀ ରାୟ ମହାପାତ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.