ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୌରପାଳିକା ଅଧୀନ ୨୬ ନମ୍ବର ୱାର୍ଡର ପୁରୁଣା ବଜାର ବାବୁସାହି ଶ୍ମଶାନ ଘାଟରେ ନିର୍ମାଣାଧୀନ ସ୍ମାର୍ଟ ଶ୍ମଶାନ ପିଣ୍ଡି ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରେ ଆରମ୍ଭରୁ ହିଁ ଅନିୟମିତତା ଏବଂ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ ପ୍ରତିବାଦ, ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ଭିଜିଲାନ୍ସ ତଦନ୍ତ ଦାବି ପରେ ନିମ୍ନମାନରେ ନିର୍ମିତ ଅଂଶକୁ ଭଙ୍ଗାଯାଇ ପୁନର୍ବାର ନିର୍ମାଣ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟବରାଦରେ ଏହି ସ୍ମାର୍ଟ ଶ୍ମଶାନ ପିଣ୍ଡି ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଟେଣ୍ଡର ପ୍ରକ୍ରିୟାରେ ୧୯ ପ୍ରତିଶତ ଲେସ୍ ଦରରେ କାମ ହାତକୁ ନେଇଥିବା ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ ହେଉଥିଲା। ଏହି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କି ହବିବ୍। ମାତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର କିଛିଦିନ ମଧ୍ୟରେ ଏହାର ମାନକୁ ନେଇ ପ୍ରଶ୍ନ ଉଠିଥିଲା। ସ୍ଥାନୀୟ ଅଂଚଳବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପର ଏଷ୍ଟିମେଂଟ ଅନୁଯାୟୀ କାମ କରାଯାଇନଥିଲା। ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ସହ ନିର୍ମାଣ ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଠିକାଦାର ଓ ସମ୍ପୃକ୍ତ ବୈଷୟିକ ଅଧିକାରୀଙ୍କ ମଧ୍ୟରେ ଅସାଧୁ ମେଂଟ ଥିବା ନେଇ ମଧ୍ୟ ସ୍ଥାନୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅଭିଯୋଗର ସତ୍ୟତା ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଅଭିଯୋଗ ପ୍ରକାଶ ପାଇବା ପରେ ଉଚ୍ଚପଦସ୍ଥ ଅଧିକାରୀମାନେ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିବା ବେଳେ କାର୍ଯ୍ୟରେ ତ୍ରୁଟି ଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି। ଏହାପରେ ନିର୍ମାଣଧୀନ ପ୍ରାୟ ୫ ଫୁଟ ଉଚ୍ଚର ପିଲାର ଓ ବେସ୍ ଭଙ୍ଗାଯାଇ ପୁନର୍ବାର ସଠିକ୍ ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପରେ ପ୍ରକଳ୍ପର ଗୁଣାତ୍ମକ ମାନ ଓ ତଦାରଖ ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପୁରୁଣା ବଜାର, ବାବୁସାହି ଓ ଆଖପାଖର ବହୁ ଗାଁର ଲୋକମାନେ ଅନ୍ତ୍ୟେଷ୍ଟି କାର୍ଯ୍ୟ ପାଇଁ ଏହି ଶ୍ମଶାନ ଘାଟ ଉପରେ ନିର୍ଭରଶୀଳ। ବର୍ଷା ଓ ଖରା ସମୟରେ ଶବ ସଂସ୍କାର କାର୍ଯ୍ୟକୁ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ ଶ୍ମଶାନ ପିଣ୍ଡି ନିର୍ମାଣ କରାଯାଉଥିଲା। ମାତ୍ର ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ନିମ୍ନମାନର କାମ ସାମ୍ନାକୁ ଆସିବା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଯଦି ପ୍ରଥମ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟର ସଠିକ୍ ତଦାରଖ କରାଯାଇଥାନ୍ତା, ତେବେ ସରକାରୀ ଅର୍ଥରେ ନିର୍ମିତ ଅଂଶକୁ ଭଙ୍ଗି ପୁଣିଥରେ କାମ କରିବାର ଆବଶ୍ୟକତା ପଡ଼ୁନଥାନ୍ତା। ଏହାଦ୍ୱାରା ସରକାରୀ ଅର୍ଥର ଅପଚୟ ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି। ସମଗ୍ର ଘଟଣାରେ ଦାୟୀ ଅଧିକାରୀ ଓ ଠିକାଦାରଙ୍କ ଭୂମିକାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଏହି ଘଟଣା ପୁଣିଥରେ ସରକାରୀ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ, ତଦାରଖ ବ୍ୟବସ୍ଥା ଓ ଜନସାଧାରଣଙ୍କ ଅର୍ଥର ସଠିକ୍ ବ୍ୟବହାରକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତୀ ପଦକ୍ଷେପ ଏବଂ ତଦନ୍ତର ଫଳାଫଳ ଉପରେ ରହିଛି।
Home ଜିଲ୍ଲା ପରିକ୍ରମା ଆରମ୍ଭରୁ ଦୁର୍ନୀତିର ଗନ୍ଧ! ବିରୋଧ ପରେ ଭଙ୍ଗାଗଲା ନିମ୍ନମାନର ଶ୍ମଶାନ ପିଣ୍ଡି,ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ;...








