Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ଏଫପିସିଏଲ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟର ଶୁଭାରମ୍ଭ

ଆଖଣ୍ଡଳମଣି ଏଫପିସିଏଲ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟର ଶୁଭାରମ୍ଭ

5

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ବିରୁହାଁ ନିକଟସ୍ଥ ଆଖଣ୍ଡଳମଣି ଏଫ୍‌ପିସିଏଲ୍ (ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌) ପକ୍ଷରୁ ସୋମବାର ରବି ଫସଲ ସଂଗ୍ରହ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଅଂଚଳର ଚାଷୀମାନଙ୍କୁ ନିର୍ଦ୍ଧାରିତ ଦରରେ ନିଜ ଫସଲ ବିକ୍ରୟର ସୁବିଧା ଯୋଗାଇବା ସହ ବଜାର ସଂଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସଂଗ୍ରହ କେନ୍ଦ୍ର ଆରମ୍ଭ କରାଯାଇଛି।ଏହି କେନ୍ଦ୍ରରେ ମୁଗ, ବିରି, ହରଡ, ମସୁର ଭଳି ବିଭିନ୍ନ ଡାଲି ଜାତୀୟ ଫସଲ ସହ ସୋରିଷ, ସୂର୍ଯ୍ୟମୁଖୀ, ବାଦାମ ଓ ଚୀନାବାଦାମ ଭଳି ତେଲ ଜାତୀୟ ଫସଲ ସଂଗ୍ରହ କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗୀ ସଂସ୍ଥା ନାବାର୍ଡ, ନାଫେଡ୍ ଓ ମାର୍କଫେଡ୍ ମାଧ୍ୟମରେ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଚାଷୀମାନେ ସଠିକ ମୂଲ୍ୟ ପାଇବେ ବୋଲି କୁହାଯାଇଛି। ବିଶେଷ କରି ଅଂଚଳର ଚାଷୀମାନେ ପଞ୍ଜିକରଣ କରି ନିଜ ଉତ୍ପାଦିତ ରବି ଫସଲ ଆଣି ସଂଗ୍ରହ କେନ୍ଦ୍ରରେ ଦେଇପାରିବେ। ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଜିଲ୍ଲା ପାଇଁ ୬ ହଜାର ଟନ ଫସଲ କ୍ରୟ କରିବାକୁ ଲକ୍ଷ ଧାର୍ଯ୍ୟ ହୋଇଛି। ଏହି ପଦକ୍ଷେପ ଫଳରେ ଚାଷୀମାନେ ଦଲାଲ ଉପରେ ନିର୍ଭରଶୀଳ ହେବାରୁ ମୁକ୍ତି ପାଇବା ସହ ନିଜ ଫସଲର ଉଚିତ ମୂଲ୍ୟ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।ଏଥିପାଇଁ ପ୍ରଥମକରି ୧୮ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଆହୁରି ଅନେକ ଚାଷୀ ପଞ୍ଜିକରଣ କରିବେ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ଏଡିଓ ପ୍ରୀତିରେଖା ମହାଳିକ, ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ଅନୁରାଧା ପଣ୍ଡା, ନାଫେଡ ମାର୍କେଟିଂ ହେଡ୍ ଗୋବିନ୍ଦ ମୁର୍ମୁ, ମାର୍କଫେଡ ସମ୍ପାଦକ ବିଜେନ୍ଦ୍ର କୁମାର ମହାନ୍ତି, ଡିଡିଏମ୍ ନାବାର୍ଡ ଦୀପକ କୁମାର ସାହୁ, କୃଷକ ସାଥୀ ଶୁଶାନ୍ତ ଲେଙ୍କା, କମ୍ପାନୀ ଡାଇରେକ୍ଟର ବିକ୍ରମ କେଶୋରୀ ବସନ୍ତିଆ, କମ୍ପାନୀ ସିଇଓ ସୁବ୍ରତ ସାମଲ ପ୍ରମୁଖଙ୍କ ସମେତ ଅନେକ ସ୍ଥାନୀୟ ଚାଷୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.