Home ଜିଲ୍ଲା ପରିକ୍ରମା ଅମୂଲ କୁଲ୍ ପିଇବା ଆଳରେ ମହିଳାଙ୍କ ଠାରୁ ସୁନାହାର ଲୁଟ୍ ଉଦ୍ୟମ, ମାରଣାସ୍ତ୍ର ସହ ବାଇକ୍...

ଅମୂଲ କୁଲ୍ ପିଇବା ଆଳରେ ମହିଳାଙ୍କ ଠାରୁ ସୁନାହାର ଲୁଟ୍ ଉଦ୍ୟମ, ମାରଣାସ୍ତ୍ର ସହ ବାଇକ୍ ଜବତ, ଛତିଶଗଡର ୨ ଯୁବକ ଗିରଫ

54

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଜନଗହଳିପୂର୍ଣ୍ଣ ନୂଆବଜାର ମେଡିକାଲ ଛକରେ ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍ ଉଦ୍ୟମ କରି ବାହାର ରାଜ୍ୟର ଦୁଇଜଣ ଯୁବକ ଲୋକଙ୍କ ଦ୍ୱାରା ମାଡଖାଇ ପୁଲିସ୍ ଦ୍ୱାରା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନସ୍ଥ କ୍ଷୀରକୋଣା ମଝିଖଣ୍ଡି ଗ୍ରାମର ନରେନ୍ଦ୍ର ପ୍ରସାଦ ଦାସ ଓ ତାଙ୍କ ପତ୍ନୀ ଶାଶ୍ୱତୀ ଦାସ ଭଦ୍ରକକୁ ମାର୍କେଟିଂରେ ଆସି ଦିନ ପ୍ରାୟ ୧୧.୨୦ ସମୟରେ ନୂଆବଜାର ମେଡିକାଲ ଛକ ନିକଟବର୍ତ୍ତୀ ଅମୂଲ ପାର୍ଲରରେ ଅମୂଲ କୁଲ୍ ପିଇବା ପାଇଁ ଯାଇଥିଲେ । ସେମାନେ ଅମୂଲ କୁଲ୍ ପିଇସାରି ନିଜ ବାଇକ୍‌ରେ ବସିବା ପାଇଁ ଯାଉଥିବା ସମୟରେ ଉକ୍ତ ପାର୍ଲରରେ ପୂର୍ବରୁ କିଛି ପିଉଥିବା ଏକ ଅଜଣା ଯୁବକ ଶାଶ୍ୱତୀଙ୍କ ବେକରୁ ସେ ପିନ୍ଧିଥିବା ସୁନାହାରଟିକୁ ଛିଣ୍ଡାଇ ଲୁଟ୍ ଉଦ୍ୟମ କରୁଥିବାବେଳେ ମହିଳା ଜଣକ ସାହସ କରି ତାକୁ ଧରି ଚିତ୍କାର କରିବାରୁ ପାଖରେ ଥିବା ଲୋକେ ଆସି କାବୁ କରିଥିଲେ । ଏହି ସମୟରେ ସେଠାରୁ ଅଳ୍ପ ଦୂରରେ ବାଇକ୍ ଧରି ଛିଡା ହୋଇଥିବା ଅନ୍ୟ ଜଣେ ଯୁବକ ଏକ ଭୁଜାଲି କାଢି ଲୋକଙ୍କୁ ଭୟଭୀତ କରାଇ ନିଜର ସହଯୋଗୀକୁ ଛଡାଇବା ଉଦ୍ୟମ କରିବାକୁ ଯାଇ ନିଜେ ମଧ୍ୟ ଲୋକଙ୍କ ଦ୍ୱାରା ଛେଚା ଖାଇ ଧରାପଡିଥିଲା । ପରେ ସହରାଞ୍ଚଳ ଥାନା ପୁଲିସ୍‌କୁ ଖବର ଦେବାରୁ ସେ ଆସି ଦୁଇ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚୁରା କରିଥିଲା । ଏହି ଦୁଇ ଯୁବକଙ୍କ ନିକଟରୁ ମିଳିଥିବା ପାନ୍ ଓ ଆଧାରକାର୍ଡ ମୂଳେ ସେମାନଙ୍କ ଘର ଛତିଶଗଡ ରାଜ୍ୟ ରାଇପୁର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଦଳଜିତ୍ ସିଂଙ୍କ ପୁତ୍ର ମଳୟମ୍ ସିଂ ଓ ଅନ୍ୟଜଣେ କୁଲିନ୍ଦର ସିଂଙ୍କ ପୁତ୍ର ମନପ୍ରୀତ ସିଂ ବୋଲି ଜଣାପଡିଛି । ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବାଇକ୍‌ଟିର ନମ୍ବର ପ୍ଲେଟ୍‌ରେ ପୂର୍ବରୁ ମହାରାଷ୍ଟ୍ର ରେଜିଷ୍ଟ୍ରେସନ ନମ୍ବର ଥିବାବେଳେ ସେମାନେ କୌଶଳ କ୍ରମେ ଏମ୍‌ଆର (ମହାରାଷ୍ଟ୍ର) ସ୍ଥାନରେ ଏପି (ଆନ୍ଧ୍ରପ୍ରଦେଶ) କରିଥିବାର ଦେଖାଯାଇଛି । ଦୁଇ ଯୁବକଙ୍କ ନିକଟରୁ ପୁଲିସ୍ ମାରଣାସ୍ତ୍ର ଓ ବାଇକ୍ ଜବତ କରି ସେମାନଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ପଚରା ଉଚୁରା କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.