Home ଜିଲ୍ଲା ପରିକ୍ରମା ଅଭିନନ୍ଦନରେ ଝୁଲୁଛି ପୌର ରାଜନୀତି

ଅଭିନନ୍ଦନରେ ଝୁଲୁଛି ପୌର ରାଜନୀତି

37

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝୁଲୁଛି ମାଳ ମାଳ ଅଭିନନ୍ଦନର ପୋଷ୍ଟର । ସହରର ଗଳିକନ୍ଦି ସମେତ ଛକ ବଜାର ଆଦି ସ୍ଥାନରେ ନୂଆବର୍ଷ । ଅଭିନନ୍ଦନର ମେଂଚା ମେଂଚା ପୋଷ୍ଟର, ବ୍ୟାନର ଟଙ୍ଗାଯାଇଛି । ସମର୍ଥକ ସେମାନଙ୍କ ନେତାଙ୍କ ଫଟୋ ସହ ହାତଯୋଡା ଫଟୋକୁ ଲଗାଇ ପୌରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅଭିନନ୍ଦନର ତରିକା ଆଗାମୀ ପୌରନିର୍ବାଚନର ଆଗୁଆ ସଂକେତ ଦେଉଛି ବୋଲି ଚର୍ଚ୍ଚା ଜୋର ଧରିଛି । ଆଗକୁ ପୌର ନିର୍ବାଚନ ହେବାକୁ ଥିବାରୁ ଏବେ ବ୍ୟାନର ସହର ତମାମ୍ ଛାଇ ହୋଇଯାଇଛି । ପୌର ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ଟଙ୍ଗା ହୋଇଥିବା ବ୍ୟାନର ଗୁଡିକର ଫଟୋକୁ ନେଇ ସହରର ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଆଲୋଚନା ଭିନ୍ନ ଢଙ୍ଗରେ ଚାଲିଛି । ବିଶେଷକରି ଏହି ବ୍ୟାନର ଗୁଡିକ ଆସନ୍ତା ପୌର ନିର୍ବାଚନର ରାଜନୀତି ବଖାଣୁଚି । ଭଦ୍ରକ ସହର ଉପକଣ୍ଠ ଠାରୁ ଚରମ୍ପା ପର୍ଯ୍ୟନ୍ତ, ଚନ୍ଦନ ବଜାର ଓ ପୁରୁଣା ବଜାର ଅଂଚଳର ଜନ ଗହଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଏହି ବ୍ୟାନର ଗୁଡିକ ଟଙ୍ଗାଯାଇଛି । ଲଗାଯାଇଥିବା ବ୍ୟାନରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ମଂଜୁଲତା ମଣ୍ଡଳ, ବିଜେଡି ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ପ୍ରୟାସକାନ୍ତି ସାମଲ (ଲୁଲୁ) ପ୍ରମୁଖ ଛାମୁଆ ନେତାମାନଙ୍କ ଫଟୋ ରହିଛି ।

ସେହିଭଳି କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ୟ ଅନେକ ପୋଷ୍ଟର ଲାଗିଛି । ବିଭିନ୍ନ ଦଳ ପକ୍ଷରୁ ଏଭଳି ପୋଷ୍ଟର ଲାଗିଥିବାବେଳେ ବିଶେଷକରି ବିଜେଡି ଦଳର ଆଶାୟୀମାନଙ୍କୁ ନେଇ ସହରରେ ପୋଷ୍ଟର ଚର୍ଚ୍ଚା ଜୋର ଧରିଛି । ୧୨ନଂ ୱାର୍ଡର ଜଣେ ବିଜେଡି ନେତାଙ୍କ ସହ ତାଙ୍କ ପତ୍ନୀଙ୍କ ଫଟୋକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ପୌର ନିର୍ବାଚନରେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ସମ୍ଭାବନାକୁ ନେଇ ବ୍ୟାନର ଅନେକ କିଛି ସଂକେତ ଦେଉଛି । ପୂର୍ବରୁ ଏହି ୱାର୍ଡରୁ ନିର୍ବାଚିତ କାଉନ୍‌ସିଲର ୨ୟ ଥର ପୌରାଧ୍ୟକ୍ଷ ଓ ଥରେ ପୌରାଧ୍ୟକ୍ଷା ପଦବୀ ହାତେଇଛନ୍ତି । ଏଠାରୁ ପୂର୍ବତନ ସଦସ୍ୟ ମାନସ ମହାନ୍ତି ଗତ ପୌର ନିର୍ବାଚନରେ ତତ୍‌କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ସମର୍ଥନ ହାସଲ କରି ପୌରାଧ୍ୟକ୍ଷ ହୋଇଥିଲେ । ଏବେ ସେହି ଅଂଚଳରେ ଏକ ପତି-ପତ୍ନୀଙ୍କ ବ୍ୟାନର ଛାଇହୋଇଛି । ସେହିଭଳି ଯୁବ ବିଧାୟକଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ପତ୍ନୀଙ୍କୁ ଏଥର ପ୍ରାର୍ଥୀ କରିବା ନେଇ ଆଲୋଚନା ହେଉଛି । ପୋଷ୍ଟର ୱାର୍ ପରେ ପୌରୱାର୍ଡର ପ୍ରକୃତ ଚିତ୍ର କଣ ହେବ ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.