Home ଜିଲ୍ଲା ପରିକ୍ରମା ସହରରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଫୁଲ ଚାରା ବ୍ୟବସାୟ , ହର୍ଟିକଲଚର ବିଭାଗରେ ସ୍ଥାଣୁତା,...

ସହରରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଫୁଲ ଚାରା ବ୍ୟବସାୟ , ହର୍ଟିକଲଚର ବିଭାଗରେ ସ୍ଥାଣୁତା, ଲୋକେ ଘରୋଇ ନର୍ସରୀ ମୁହାଁ

106

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘର ସମ୍ମୁଖରେ ସୁନ୍ଦର ବଗିଚାଟିଏ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ମାନସିକ ଅବସାଦକୁ ହାଲୁକା କରିଥାଏ । କେତେକ ମଧ୍ୟ ସଉକରେ ବଗିଚା କରିଥାନ୍ତି । ବିଶେଷ କରି ଶୀତ ଋତୁରେ ବିଭିନ୍ନ କିସମର ଫୁଲ ଫୁଟୁଥିବାରୁ ସେମାନେ ଏହି ସମୟକୁ ଅନାଇ ବସିଥାନ୍ତି । ଦୁର୍ଗା ପୂଜା ପରେ ପରେ ବଗିଚା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପରେ ଖେଜି ବୁଲନ୍ତି କେଉଁଠାରେ ମିଳିବ ଚାରା । ଇନକା, ଡ଼ାଲିଆ, ଜିନିଆ, ପିଟୁନିଆ, ସେବତୀ, ଡାଇଙ୍ଗଥସ୍‌, ଅଷ୍ଟର ପରି ସୁନ୍ଦର ଫୁଲର ଚାରା ପାଇଁ ସିଧାସଳଖ ପହଞ୍ଚି ଯାଇଥାନ୍ତି ଘରୋଇ ଭାବେ ଚାଲିଥିବା କେତେକ ନର୍ସରୀରେ । କେବଳ ଚାରା ଲଗାଇ କେହି ଚୁପ ବସି ଯାଏ ନାହିଁ । ଗଛର ଯତ୍ନ ମଧ୍ୟ ନେଇଥଆନ୍ତି । ମାତ୍ର ଦେଢ଼ ୨ମାସର ପ୍ରତୀକ୍ଷା ପରେ ବଗିଚା ବିଭିନ୍ନ ରଙ୍ଗବେରଙ୍ଗୀ ଫୁଲରେ ଭର୍ତ୍ତୀ ହୋଇଯାଏ । ଯାହାକି ମନରେ ଭରିଦିଏ ଅଫୁରନ୍ତ ଆନନ୍ଦ । ଏହାବ୍ୟତୀତ ଅଧିକାଂଶ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ବିଭିନ୍ନ ପ୍ରକାର ଫୁଲକୁଣ୍ଡ ଶୋଭାପାଉଥିବା ଦେଖିବାକୁ ମିଳେ ଏହି ଋତୁରେ । ତେବେ ଲୋକମାନଙ୍କୁ ଫୁଲ ଚାରା ପାଇଁ କେବଳ ଘରୋଇ ନର୍ସରୀ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ବର୍ତ୍ତମାନ ସମୟରେ ସହର ମଧ୍ୟରେ ୧୫ରୁ ଉର୍ଦ୍ଧ୍ୱ ଛୋଟବଡ଼ ଘରୋଇ ନର୍ସରୀ ରହିଛି । ବିଭିନ୍ନ ପ୍ରଜାତିର ଫୁଲ ଚାରା ସେମାନେ ବିକ୍ରି କରିଥାନ୍ତି । କେବଳ ଫୁଲ ଚାରା କି ଡେକୋରେଟିଭ ପ୍ଲାଣ୍ଟ ନୁହେଁ, ବିଭିନ୍ନ ପନିପରିବା ଚାରା ଓ ମଞ୍ଜି ମଧ୍ୟ ସେମାନେ ବିକ୍ରି କରିଥାନ୍ତି । ଏହା ବ୍ୟତୀତ ହାଇବ୍ରିଡ୍ ନଡ଼ିଆ, ଆମ୍ବ, ଅମୃତଭଣ୍ଡା, ଲେମ୍ବୁପରି ବହୁ ଚାରା ମଧ୍ୟ ସେମାନେ ଗ୍ରହକଙ୍କ ପସନ୍ଦ ଅନୁଯାୟୀ ଯୋଗାଡ଼ କରି ଯୋଗାଇ ଦେଇଥାନ୍ତି । ଏକ ପରିସଂଖ୍ୟାନ ପରିସଂଖ୍ୟାନ ଅନୁଯାୟୀ କେବଳ ଫୁଲ ଚାରାରେ ବର୍ଷରେ ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହୋଇଥାଏ । କେତେକ ଚାରା ନର୍ସରୀ ବ୍ୟବସାୟୀମାନେ ବାହାର ରାଜ୍ୟରୁ ଆଣୁଥିବାବେଳେ, ଆଉ କେତେକ ମଞ୍ଜି ମଗାଇ ନିଜେ ଚାରା ପ୍ରସ୍ତୁତ କରିଥାନ୍ତି । ସେବତୀ, ବାରମାସୀ ଗେଣ୍ଡୁ ଡାଲିଆ ପରି ଅଳ୍ପ କେତେକ ଫୁଲ ଗଛକୁ ସେମାନେ କଲମୀ କରି ବିକ୍ରି କରନ୍ତି । ତେବେ ଫୁଲ ଚାରା କାରବାର ୧କୋଟି ଟପୁଥିବାବେଳେ, ପନିପରିବା ଚାରା ସମେତ ଅନ୍ୟ ଗଛ ମଧ୍ୟ ବିପୁଳ ପରିମାଣର ବିକ୍ରି ହୋଇଥାଏ । ଯାହାର ହିସାବ କରିବା କଷ୍ଟ । ଫୁଲ, ପନିପରିବା ଓ ଫଳ ଚାରାର ବ୍ୟବସାୟର ଏପରି ସମ୍ଭବାନା ଥିବା ସମୟରେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ(ହର୍ଟିକଲଚର) ଏହାର ଫାଇଦା ନେଇ ପାରୁନି । ଉକ୍ତ ବିଭାଗରେ ଏକପ୍ରକାର ସ୍ଥାଣୁତା ପରିଲକ୍ଷିତ ହୋଇଛି । ପୂର୍ବରୁ ଉକ୍ତ ବିଭାଗରେ ଏସମସ୍ତ ଫୁଲ ଓ ଫଳ ଚାରା ଉପଲବ୍ଧ ହେଉଥିଲା । ବହୁ ଲୋକ ନଡ଼ିଆ, ଆମ୍ବ ପରି କେତେକ ଫଳ ଚାରା ମଧ୍ୟ କୃଷି ଉଦ୍ୟାନ ବିଭାଗରୁ ପାଇ ପାରୁଥିଲେ । କିନ୍ତୁ ଏବେ ଜିଲ୍ଲା କୃଷି ଉଦ୍ୟାନ ବିଭାଗରେ ସ୍ଥାଣୁତା ସୃଷ୍ଟି ହୋଇଛି । କୌଣସି ଗୋଟିଏ ପ୍ରକାରର ଫୁଲ ଚାରା ସେଠାରେ ମିଳିବା ସ୍ୱପ୍ନ ହୋଇଯାଇଛି । ଏପରିକିକି ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳାରେ କୃଷି ଉଦ୍ୟାନ ବିଭାଗର ଷ୍ଟଲରେ ବିଭାଗୀୟ କର୍ମଚାରୀ ଘରୋଇ ନର୍ସରୀରୁ ଫୁଲ ଚାରା କିଣି ସଜାଉଥିବା ଦେଖିବାକୁ ମିଳିଥାଏ । ନଡ଼ିଆ ଓ ଆମ୍ବ ପରି ଯେଉଁ ଅଳ୍ପ କେତେକ ଫଳ ଚାରା ସେଠାରେ ମିଳୁଛି, ସେଗୁଡ଼ିକର ଗୁଣବତ୍ତା ଉପରେ ସାଧାରଣ ଲୋକ ସନ୍ଦେହ ପ୍ରକଟ କରି ଉକ୍ତ ବିଭାଗକୁ ଯାଉ ନାହାନ୍ତି । ତେବେ କର୍ମଚାରୀଙ୍କ ଅଭାବ ରହିଛି । ଲୋକମାନେ ପଇସା ଦେଇ କିଣିବାକୁ ଚାହୁଁ ନାହାନ୍ତି ବୋଲି ଆମେ ଚାରା ପ୍ରସ୍ତୁତ କରୁ ନାହୁଁ ବୋଲି ବିଭାଗୀୟ ଅଧିକାରୀ ଉର୍ମିଳା ମାହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.