Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାଜ୍ୟସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ – ବିଶ୍ୱ ହିନ୍ଦୁ...

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାଜ୍ୟସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ – ବିଶ୍ୱ ହିନ୍ଦୁ ପରିଷଦ

200

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ଯଶୋଦା କନ୍‌ଫରେନ୍ସ ହଲରେ ବିଶ୍ୱହିନ୍ଦୁ ପରିଷଦ, ଓଡିଶା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ପଣ୍ଡା ଓ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ କୁମାର ପାଣ୍ଡେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ – କୋଟି ଓଡିଆଙ୍କ ପ୍ରାଣର ଠାକୁର ହେଉଛନ୍ତି ଶ୍ରୀ ଜଗନ୍ନାଥ – ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରାକୁ ଏ ବର୍ଷ କରୋନା ଭୟରେ ବନ୍ଦ କରିବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଣ୍ଣୟ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ନ୍ୟାୟାଳୟର ଆଦେଶକୁ ସମ୍ମାନ ଜଣାଇ ପ୍ରକୃତ ବସ୍ତୁସ୍ଥିତି ବିଷୟରେ ପୁଣି ଥରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ରିଭ୍ୟୁ ପିଟିସନ ଦାଖଲ କରି ରଥ ଯାତ୍ରା ସମ୍ପନ୍ନ କରାଇବା ପାଇଁ ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରୁଛି । ପରିଷଦ ତରଫରୁ କୁହାଯାଉଛି ଯେ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଜନଗହଳିର କେଉଁ କାରଣ ଦର୍ଶାଇଛନ୍ତି । ତାହା ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ସମୟରେ ଆଦୌ ହୋଇନଥିଲା । ପୁରୀର ସ୍ଥାନୀୟ ଜନସାଧାରଣ ମଧ୍ୟ ସ୍ନାନଯାତ୍ରା ଦିନ ହାତୀବେଶ ଦର୍ଶନ କରିବାକୁ ଯାଇ ନଥିଲେ । ପୁରୀକୁ ଯିବା ପାଇଁ ସମସ୍ତ ସାଧନକୁ ବନ୍ଦ ରଖି ଓଡିଶାର ଜନତାଙ୍କୁ ଯଦି ପୁରି ନଯିବାକୁ ଅନୁରୋଧ କରାଯାଏ ତେବେ ଯେଉଁ ଭଳି ଭାବରେ ସ୍ନାନ ଯାତ୍ରା ସଂପନ୍ନ ହୋଇଥିଲା ସେହିଭଳି ଭାବରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରାଯାଇ ପାରିବ । ବିକଳ୍ପ ବ୍ୟବସ୍ଥାର ବନ୍ଦୋବସ୍ତ କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ସନ୍ଦେହ ମୋଚନ କରାଯାଇ ରଥ ଯାତ୍ରାକୁ କିଭଳି ଭାବରେ କରାଯାଇ ପାରିବ ସେ ବିଷୟରେ ଉପଯୁକ୍ତ ପଦକ୍ଷେପ ନିଆଯାଉ । ପୁନଶ୍ଚ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରିବା ପାଇଁ ଦଇତାପତି ମାନଙ୍କର ପରୀକ୍ଷା, ମାସ୍କ ବଣ୍ଟନ ଆଦି କରାଯାଇ ଜଗନ୍ନାଥଙ୍କୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ତିନି ରଥ ପ୍ରସ୍ତୁତ ଥିବାବେଳେ ରଥ ପ୍ରତିଷ୍ଠା ପାଇଁ ପ୍ରଶାସନ ଅନୁମତି ଦେଇସାରି ରଥ ଯାତ୍ରାକୁ ବନ୍ଦ କରିଦେବା ଜଗନ୍ନାଥଙ୍କୁ ତଥା ଭକ୍ତମାନଙ୍କୁ ଅପମାନିତ କରିବା ଛଡା ଅନ୍ୟ କିଛି ନୁହେଁ । ରଥଯାତ୍ରା କରାଇବା ପାଇଁ ଯେଉଁ ଯେଉଁ ପ୍ରତିଶେଧକ ବ୍ୟବସ୍ଥା ମାନ୍ୟବର ନ୍ୟାୟାଳୟ ଆଦେଶ କରିବେ ସେହି ଆଦେଶକୁ ନିସର୍ତ୍ତ ମାନିନେବାକୁ ସତ୍ୟପାଠ କରି ପୁନଃ ଆବେଦନ ପୂର୍ବକ ରଥଯାତ୍ରା କରାଯିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବା ଦରକାର । ଏହାହିଁ ବର୍ତ୍ତମାନର କୋଟିକୋଟି ଓଡିଆଙ୍କର ଏକମାତ୍ର ମନୋକାମନା ଯଦି ରଥ ଯାତ୍ରା ନହୁଏ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟରେ ଯେଉଁ ବଜ୍ରାଘାତ ହେବ ସେଥିପାଇଁ ଓଡିଶା ସରକାର ଦାୟୀ ରହିବେ । ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ପରିଚାଳନା କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ସର୍ବୋଚ୍ଚ ନ୍ୟାୟାଳୟର ଆଡ୍‌ଭୋକେଟ ଅଶୋକ କୁମାର ମିଶ୍ର, ଜିଲ୍ଲାସଭାପତି ବିଜୟ ସିହ୍ନା, ଉପସଭାପତି ନିରଞ୍ଜନ ସାହୁ, ବିଭାଗ ସଂଯୋଜକ ସ୍ୱାଧିନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡା, ମାତୃଶକ୍ତି ସଂଯୋଜିକା ସରୋଜିନୀ ଦାସ, ପୁନିଲ ସାମଲ, ସନ୍ତୋଷ ବେହେରା ପ୍ରକାଶ ପଣ୍ଡା, ମହେଶ୍ୱର ବେହେରା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.