Home ଆମ ପର୍ବ ପର୍ବାଣୀ ଶକ୍ତି ପଉପାସନାରେ ବଳିପ୍ରଥା : ମାଁ ଙ୍କ ନିକଟରେ ବଳୀ  ଆସୁରିକ ପ୍ରବୃତ୍ତି ର ସମର୍ପଣ...

ଶକ୍ତି ପଉପାସନାରେ ବଳିପ୍ରଥା : ମାଁ ଙ୍କ ନିକଟରେ ବଳୀ  ଆସୁରିକ ପ୍ରବୃତ୍ତି ର ସମର୍ପଣ ଭାବ

679

ଭୁବନେଶ୍ୱର/ଜଗତସିଂହପୁର୮ା୧୦(ଓଡିଆ ପୁଅ) ସ୍ୱାମି ଚିତାନନ୍ଦ ବ୍ରହ୍ମଚାରୀ, ଶିଶୁ ଅନନ୍ତ ଆଶ୍ରମ.ଅରିଲୋ
ଶକ୍ତି ଉପାସନା ହେଉଛି ସାଧକର ଆନ୍ତରିକ ଭକ୍ତିପୂତ ଅନୁରାଗ, ଶ୍ରଦ୍ଧା ଓ ଭକ୍ତି ସହିତ ତ୍ୟାଗ। ତ୍ୟାଗର ଅନ୍ୟ ଅର୍ଥ ହେଉଛି ବଳି। ସେଥିପାଇଁ ବେଦରେ କୁହାଯାଇଛି-“ତ୍ୟାଗନୈକେ ଅମୃତତ୍ତ୍ୱ ମାନଶ୍ଚ”- ଅର୍ଥାତ୍ ତ୍ୟାଗ ବା ବଳିଦାନ ଦ୍ବାରା ଅମୃତତ୍ତ୍ୱ ପ୍ରାପ୍ତି ହୋଇଥାଏ।ଜଗଜ୍ଜନନୀ ମା ଦୁର୍ଗାଙ୍କୁ ବିଷ୍ଣୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ସେ ଧରାଧାମରେ ବିଭିନ୍ନ ନାମ ନେଇ ଧରାବତରଣ କରିବେ ଓ ମାନବ ସମାଜର ଅଭୀଷ୍ଟ ପୂରଣକାରୀ ହେତୁ ଜନଗଣ ଧୂପ ଉପହାର ଓ ବଳିଦାନ ଦ୍ବାରା ତାଙ୍କର ଆରାଧନା କରିବେ। ଏହାଫଳରେ ଦେବୀଙ୍କର ସନ୍ତୁଷ୍ଟି ନିମିତ୍ତ ନର, ଅଶ୍ବ, ଛାଗ, ମେଷ, ମହିଷ ଓ କୁକ୍କୁଟ ଆଦି ବଳିପ୍ରଥା ପ୍ରଚଳିତ ହେଲା। ବାସ୍ତବରେ ବଳି ପଶୁବଳି ନୁହେଁ, ତାହା ହେଉଛି ଆତ୍ମ ବଳି। ଅର୍ଥାତ୍ ଷଡରିପୁ  (କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ)କୁ ହୋମାଗ୍ନିର ପ୍ରଜ୍ବଳିତ ଅଗ୍ନିଶିଖା ମଧ୍ୟରେ ବିସର୍ଜନ କରିବା। ଏହି ଷଡରିପୁ ଛଅଟି ପଶୁ ସହିତ ତୁଳନୀୟ। ଯେଉଁ ପଶୁଠାରେ ଯେଉଁ ଗୁଣ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ ସେହି ପଶୁକୁ ସଂପୃକ୍ତ ଗୁଣର ଏକ ପ୍ରତୀକ ରୂପେ କଳ୍ପନା କରାଯାଇଛି। ଷଡରିପୁ ମାନବର ଛ’ଗୋଟି ମନ୍ଦଗୁଣ- ଛ’ଗୋଟି ଶତ୍ରୁସ୍ୱରୂପ। କାମର ପ୍ରତୀକ ହେଉଛି ଛାଗ ବା ଛେଳି, କ୍ରୋଧର ପ୍ରତୀକ ହେଉଛି ମହିଷ ବା ମଇଁଷି, ଲୋଭର ପ୍ରତୀକ ହେଉଛି ମାର୍ଜାର ବା ବିରାଡି, ମୋହର ପ୍ରତୀକ ହେଉଛି ମେଷ ବା ମେଣ୍ଢା, ମଦର ପ୍ରତୀକ ହେଉଛି କୁଷ୍ମାଣ୍ଡ ବା ପାଣିକଖାରୁ ଓ ମାତ୍ସର‌୍ୟ୍ୟର ପ୍ରତୀକ ହେଉଛି ସପୁରୀ। ରିପୁ ସମୂହର ନିଧନ ହିଁ ବଳି। ବଳିର ଅର୍ଥ ମୃତ୍ୟୁ ନୁହେଁ, ଆତ୍ମସମର୍ପଣ। ବଳି ଶଦ୍ଦର ଅର୍ଥ ବୋଦା, ଛାଗ, ମହିଷ ର ଶିର ଛେଦନ ନୁହେଁ। “ବଳଂ ବର୍ଦ୍ଧନଂ ଦଦାତି ଇତି ବଳି” ଏବଂ “ପୁରୁଷାତ୍ ପୁରୁଷଂ କରୋତି ଇତି ବଳି।” ସର୍ବ ବୃତ୍ତି ମଧ୍ୟରେ ପ୍ରତି ଜୀବ ଓ ସତ୍ତା ମଧ୍ୟରେ ସାଧକ ମାତା ଦୁର୍ଗାଙ୍କର ଦର୍ଶନ କରେ। ତାହା ହିଁ ଦୁର୍ଗା ବଳିଦାନ। ପୂଜା ମଧ୍ୟରେ ଷଡରିପୁର ପ୍ରତୀକ ସମସ୍ତ ଦ୍ରବ୍ୟମାନ ଦୁର୍ଗାଙ୍କ ସମ୍ମୁଖରେ ରଖି ଉତ୍ସର୍ଗ କରିବାର ବିଧି ଅଛି, କିନ୍ତୁ ସେଗୁଡ଼ିକ ହାଣିବାର ବିଧି ଉଲ୍ଲେଖ ନାହିଁ। ଜୀବବଳିର ପ୍ରତୀକ ଭାବେ କୁଷ୍ମାଣ୍ଡ(ପାଣିକଖାରୁ) ଅର୍ପିତ ହୁଏ। ସ୍ତ୍ରୀ ଲୋକମାନେ ସେଥିପାଇଁ ପାଣିକଖାରୁ କାଟିବା ବାରଣ ଥିଲା। ‘ଦେବୀ ଭାଗବତ’ରେ ଉଲ୍ଲେଖ ଅଛି, କେବଳ ଅନାସକ୍ତ ଚିତ୍ତରେ ସାତ୍ତ୍ଵିକ ରୀତି ଅନୁସରଣ କରି ଅହିଂସା ଧର୍ମ ଭାବନାରେ ପୂଜାର୍ଚ୍ଚନା କରିବା ଉଚିତ୍।ଜଗଜ୍ଜନନୀ ସର୍ବଶକ୍ତିମୟୀ, କଲ୍ୟାଣମୟୀ, ମଙ୍ଗଳମୟୀ, କରୁଣାମୟୀ, ସ୍ନେହମୟୀ ମା’ ଦୁର୍ଗା ସମସ୍ତ ଜଗତର ଜନନୀ। ‘ସପ୍ତସତୀ ଚଣ୍ଡୀ’ ରେ ଉଲ୍ଲେଖ ଅଛି- “ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା”, ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା”- ତେଣୁ ମାତୃରୂପୀ ନାରୀ ଯେଉଁ ମାନବ ବା ଜୀବକୁ ଜନ୍ମ ଦିଏ, ସେ କେବେ ବି ତାକୁ ହତ୍ୟା କରିନପାରେ। ସେ ହତ୍ୟା କରେ ଅସତ୍ୟ, ପାପ, ହିଂସା, ଦ୍ୱେଷ, କ୍ରୁରତା, ଶଠତା ପ୍ରଭୃତି ଦୁର୍ଗଣ ଓ ଦୁଷ୍କର୍ମରୁ। ସଚରାଚର ଜୀବ ଜଗତର ଉତ୍ପତ୍ତି ମା’ ଦୁର୍ଗାଙ୍କ ଠାରୁ ହୋଇଥିବାବେଳେ ସେ କ’ଣ କେବେ ନିଜ ସନ୍ତାନର ହତ୍ୟା ଚାହେଁ? ଦେବୀଙ୍କ ନିକଟରେ ପଶୁହତ୍ୟାର ଅର୍ଥ ନିଜ ଦୁର୍ଗତିକୁ ଆୱାନ କରିବା। ଯେଉଁ ଭକ୍ତ ଦେବୀଙ୍କ ଉଦ୍ଦେଶ୍ୟାର୍ଥେ ପଶୁମାରଣ କରେ, ସେହି ମାରଣ ପଶୁ ପରଜନ୍ମରେ ଖଡ୍ଗଧାରଣ କରି ତାର ହତ୍ୟାକାରୀକୁ ନିଧନ କରିଥାଏ। ଯେପରି ବଳି ପାଇଥିବା ପଶୁ, ରାଜା ସୁରଥଙ୍କୁ ମଧ୍ୟ ପରଜନ୍ମରେ ହତ୍ୟା କରିଥିଲା।ଜୀବଜଗତର ଶ୍ରେଷ୍ଠ ବିଚାରବନ୍ତ, ଦୟାବନ୍ତ ବୋଲାଉଥିବା ମାନବ ନିଜ ଜିହ୍ଵା ଲାଳସାର ପରିପୂର୍ତ୍ତି ନିମନ୍ତେ ଶାସ୍ତ୍ରୀୟ ବିଧିକୁ କଦର୍ଥ କରି ମା’ ଦୁର୍ଗାଙ୍କର ନିରୀହ ମୂଳ ସନ୍ତାନମାନଙ୍କୁ ମା’ଙ୍କ ନିକଟରେ ବଳି ପକାଇବା ଅତ୍ୟନ୍ତ ଅଶୋଭନୀୟ।”ଜୀବଃ ଶିବଃ ଶିବୋଜୀବଃ”- ସ୍କନ୍ଦଉପନିଷଦ,ଅର୍ଥାତ୍ ବୃକ୍ଷଲତାଠାରୁ ଆରମ୍ଭ କରି ମାନବ ପର‌୍ୟ୍ୟନ୍ତ ପ୍ରତ୍ୟେକ ଜୀବ ଶିବ ଅଟନ୍ତି। ତେଣୁ ମା’ଙ୍କ ନିକଟରେ ଶିବରୂପୀ ଜୀବବଧ କରିବା ଅନୁଚିତ୍। ମା’ଙ୍କ ନିକଟରେ ପଶୁବଳି ନୁହେଁ, ମାନବ ହୃଦୟରେ ବସା ବାନ୍ଧିଥିବା ବ୍ୟକ୍ତିଗତ ସ୍ୱାର୍ଥତ୍ୟାଗ, ଅହଙ୍କାର ଓ ଦାନବ ପ୍ରବୃତ୍ତିର ବଳିଦାନ କରିବା ହିଁ ଶାସ୍ତ୍ରୀୟ ନିର୍ଦ୍ଦେଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.