Home ଓଡ଼ିଶା ଭିମସାରର ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ: ମନ୍ତ୍ରୀ ଶ୍ରୀ ଦାସ

ଭିମସାରର ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ: ମନ୍ତ୍ରୀ ଶ୍ରୀ ଦାସ

181

ସମ୍ବଲପୁର, ୧୨/୭ (ଓଡ଼ିଆ ପୁଅ) – ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇସେନ୍ସ ଏଣ୍ଡ ରିସାର୍ଚ୍ଚ ହାସପାତାଲର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ତେବେ ଏଥିପାଇଁ ସଂସ୍ଥାନ ପକ୍ଷରୁ ପ୍ରସ୍ତାବ ନିଆଯିବା ଦରକାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ କରି ବୁର୍ଲା ଭିମସାର ଗସ୍ତରେ ଆସି ମନ୍ତ୍ରୀ ଶ୍ରୀ ଦାସ ଏହାର ବିଭିନ୍ନ ୱାର୍ଡ଼ ଏବଂ ବିଭାଗ ବୁଲି ଦେଖିଥିଲେ। ଏଥିସହିତ ସଂସ୍ଥାନ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକ ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ଭିମସାରରେ ଖାଲି ପଡ଼ିଥିବା ୧୧୮ ଟି ବିଶେଷଜ୍ଞ ଡାକ୍ତର ପଦବୀକୁ ଖୁବ ଶୀଘ୍ର ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି। ଖାସକରି ଏହାର ୧୪ ଟି ପ୍ରଫେସର, ୧୭ଟି ଏସୋସିଏସଟ ପ୍ରଫେସର, ୪୦ ଟି ସହକାରୀ ପ୍ରଫେସର ଏବଂ ୪୭ଟି ସିନିୟର୍ ରେସିଡେଂଟ୍ ପଦବୀକୁ ଯଥାଶୀଘ୍ର ସମ୍ଭବ ପୂରଣ କରାଯିବ। ସଂସ୍ଥାନ୍ ର ବିଭାଗୀୟ ପଦୋନ୍ନତି କମିଟିର ବୈଠକ୍ ଆଗାମୀ ୩୦ ତାରିଖ ଦିନ ହେବାକୁ ଯାଉଛି। ଏଥିରେ ୧୪ଟି ପ୍ରଫେସର ପଦବୀକୁ ପୂରଣ କରାଯିବ। ସେହିଭଳି ସହକାରୀ ପ୍ରଫେସରମାନଙ୍କୁ ୧୭ ଟି ଖାଲି ପଡ଼ିଥିବା ସହଯୋଗୀ ପ୍ରଫେସର ପଦବୀକୁ ଉନ୍ନୀତ କରାଯିବ। ଅନ୍ୟ ପଦବୀଗୁଡ଼ିକୁ ମଧ୍ୟ ପୂରଣ କରିବା ପାଇଁ ପଦକ୍ଷେପ୍ ନିଆଯାଉଛି। ଭିମ୍ ସାର ହାସ୍ ପାତାଲ୍ ଏକ ପ୍ରମୁଖ ଚିକିତ୍ସା ସଂସ୍ଥାନ ଅଟେ। ହେଲେ ଏଠାକୁ ନିରନ୍ତର ବିଦ୍ୟୁତ ସରବରାହ ବ୍ୟବସ୍ଥା ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ସକାଶେ ବିଦ୍ୟୁତ୍ ବିଭାଗ ସହ ଯୋଗାଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚ୍ ନା ଦେଇଛନ୍। ସେହିଭଳି ଭିମସାର କେମ୍ପସ୍ ରାଜ୍ୟ ସରକାରଙ୍କ ଜମିରେ ରହିଛି। ଏହି ଜମିକୁ ସଂସ୍ଥାନର ନାମରେ ସ୍ଥାୟୀ ଭାବେ ବନ୍ଦୋବସ୍ତ କରାଯିବ। ଏ ବାବଦରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି ଓ ଏହି କାର୍ଯ୍ୟ ଅକ୍ଟୋବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଭିମସାରରେ ୩୬ ଜଣ ପ୍ରଫେସରଙ୍କ ସ୍ଥାନରେ ୨୨ ଜଣ, ୭୧ ଜଣ ଏସୋସିଏସଟ ପ୍ରଫେସରଙ୍କ ସ୍ଥାନରେ ୫୪ ଜଣ, ୧୪୬ ଜଣ ସହକାରୀ ପ୍ରଫେସରଙ୍କ ସ୍ତାନରେ ୧୦୬ ଜଣ ଏବଂ ୧୧୯ ସିନିଅର ରେସିଡେଂଟଙ୍କ ସ୍ଥାନରେ ୭୨ ଜଣ ବିଶେଷଜ୍ଞ କାର୍ଯ୍ୟ ଚଲାଇଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୭ଟି ମେଡ଼ିକାଲ କଲେଜ ରହିଛି। ଏଥିରୁ ପାଂଚଟି ସରକାରୀ ମେଡ଼ିକାଲ କଲେଜରୁ ୧୧ ଶହ ଏବଂ ଘରୋଇ ମେଡ଼ିକାଲ୍ କଲେଜରୁ ୪ ଶହ ଜଣଙ୍କୁ ମିଶାଇ ପ୍ରତିବର୍ଷ ୧୫ ଶହ ଏମ୍ ବିବିଏସ୍ ଡାକ୍ତର କୃତକାର୍ଯ୍ୟ ହେଉଛନ୍ତି। ତେବେ ଆଗାମୀ ଦିନରେ ରାଜ୍ୟ ଆହୁରି ଚାରୋଟି ମେଡ଼ିକାଲ କଲେଜ ପାଇବ। ଯଦ୍ୱାରା ଆଗାମୀ ଦୁଇ ବର୍ଷରେ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ଡାକ୍ତର୍ ନିଯୁକ୍ତି ହେବେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖାଲି ଥିବା ଡାକ୍ତର ପଦବୀଗୁଡ଼ିକ ଆଗାମୀ ଦୁଇ ବର୍ଷ ମଧ୍ୟରେ ପୂରଣ ହେବ ବୋଲି କହିଥିଲେ। ମନ୍ତ୍ରୀ ଶ୍ରୀ ଦାସଙ୍କ ସହ ଏହି ଗସ୍ତ ସମୟରେ ବିଭାଗୀୟ କମିଶନର ତଥା ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୁନୀଲ କୁମାର କର, ସଂସ୍ଥାନର ନିର୍ଦ୍ଦେଶକ ଦୀନବନ୍ଧୁ ମହାରଣା, ଡିନ୍ ବ୍ରଜମୋହନ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସଂସ୍ଥାନ୍ ର ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ଜୁନିଅର୍ ଡାକ୍ତର୍ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.