Home ଓଡ଼ିଶା ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଭଦ୍ରକବାସୀଙ୍କ ହକ୍‌, ଦାବି ହାସଲ ପର୍ଯ୍ୟନ୍ତ ଲଢ଼େଇ ଜାରୀ...

ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଭଦ୍ରକବାସୀଙ୍କ ହକ୍‌, ଦାବି ହାସଲ ପର୍ଯ୍ୟନ୍ତ ଲଢ଼େଇ ଜାରୀ ରହିବ- କଂଗ୍ରେସ

25

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସରକାରୀ ମେଡିକାଲ କଲେଜ ଓ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ଭଦ୍ରକବାସୀଙ୍କ ହକ୍। ବିଗତ ବର୍ଷମାନଙ୍କରେ କ୍ରମାଗତ ଭାବେ କଂଗ୍ରେସ ଏହି ଦୁଇ ଦାିବକୁ ନେଇ ଲଢ଼େଇ କରି ଆସିଛି। ଏବେ ମଧ୍ୟ ଏଥି ନେଇ ସଂଗ୍ରାମ ଜାରୀ ରଖିଛି। କିନ୍ତୁ ଜିଲ୍ଲାର ଶାସକ ଦଳର ନିର୍ବାଚିତ ବିଧାୟକ ଓ ସାଂସଦ ଏହି ଦୁଇ ଦାବିରେ ନିରବ ରହିଛନ୍ତି। ଜିଲ୍ଲାର ୪ ଶାସକ ଦଳ ଜଣେ ବିରୋଧୀ ଦଳ ବିଧାୟକ ଏହି ଦୁଇ ପ୍ରସଙ୍ଗରେ ପାଟି ଚୁପ କରି ବସିଥିବାବେଳେ, କେବଳ ବାହାବା ନେବାକୁ ସାଂସଦ ଦିଲ୍ଲୀରେ ବିଭିନ୍ନ ପ୍ରସଙ୍ଗରେ ଦାବିପତ୍ର ଦେଇ ଏହାକୁ ଗଣମାଧ୍ୟମରେ ପ୍ରକାଶିତ କରି ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଚେଷ୍ଟା କରୁଛନ୍ତି ବୋଲି ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ କୁହାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି କହିଥିଲେଯେ ଗତବର୍ଷ ଭଦ୍ର୍ର୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ ଉପରୋକ୍ତ ଦୁଇ ଦାବି ଉପରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ଶେଷ ପର୍ଯ୍ୟନ୍ତ ସାଲିଶ ବିହୀନ ସଂଗ୍ରାମ ଜାରୀ ରଖିବ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରଥମତଃ ଭୌଗଳିକ ଅବସ୍ଥିତି ପାଇଁ ଭଦ୍ରକ ଜିଲ୍ଲା ସଦର ମହକୁମାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରକୃଷ୍ଠ ସ୍ଥାନ। ଏହି ଦାବିକୁ ନେଇ କଂଗ୍ରେସ ପୂର୍ବରୁ ବନ୍ଦ ଡାକରା ଦେଇଥିଲା ଓ ଏହାକୁ ଭଦ୍ରକବାସୀ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ।

ବିନା କୌଣସି ଦାବି କିମ୍ବା ଜନ ଆନ୍ଦୋଳନରେ ପଡୋଶୀ ଜିଲ୍ଲାମାନଙ୍କରେ ସରକାରୀ ମେଡିକାଲ କଲେଜ ସ୍ଥାପନ ହୋଇଥିବାବେଳେ, ଭଦ୍ରକରେ ଏହା ପ୍ରତିଷ୍ଠା ସମ୍ଭବ ହୋଇ ପାରିନାହିଁ। ଶ୍ରୀ ଦାସ କହିଥିଲେଯେ ସ୍ୱାସ୍ଥ୍ୟ ପରି ଏକ ମୌଳିକ ସେବା ପାଇଁ ଭଦ୍ରକ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲାର ୧୫ ଲକ୍ଷ ଓ ପଡ଼ୋଶୀ ୪ଟି ଜିଲ୍ଲାର ୮ଲକ୍ଷ ଏହି ପରି ପ୍ରାୟ ୨୩ ଲକ୍ଷ ଲୋକ ଉକ୍ତ ଚିକିତ୍ସାଳୟ ଉପରେ ନିର୍ଭରଶୀଳ। ଭୌଗଳିକ ଅବସ୍ଥିତି, ଗମନାଗମନ ଓ ପାରାପାର୍ଶ୍ୱିକ କାରଣରୁ ଏହାହିଁ ପ୍ରକୃଷ୍ଠ ସ୍ଥାନ। ଉପଯୁକ୍ତ ଭିତ୍ତିଭୂମୀ ଥିଲେ ମଧ୍ୟ ଡାକ୍ତର ଓ ବହୁ ଷ୍ଟାଫ ନର୍ସ ପଦବୀ ଏବେ ଫାଙ୍କା ପଡ଼଼ିଛି। ଏହି ବାସ୍ତବ ଦାବି ଉପସ୍ଥାପନ କରିବାରେ ଶାସକ ଦଳର ବିଧାୟକ ଓ ସାଂସଦ ନୈତିକତା ଓ ସାହସ ହରାଇ ବସିଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ କହିଛନ୍ତି। ସେହିପରି ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି କହିଥିଲେଯେ ଏହି ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ୭୫ ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଥିବା ସ୍ୱର୍ଗତ ଡ. ହରେକୃଷ୍ଣ ମହତାବଙ୍କ ମାନସ ସନ୍ତାନ ଭଦ୍ରକ ମହାବିଦ୍ୟାଳୟ ହେଉଛି ରେଭେନ୍ସା ପରେ ରାଜ୍ୟରେ ଦ୍ୱିତୀୟ ସର୍ବପୁରାତନ ମହାବିଦ୍ୟାଳୟ। ଚଳିତ ବର୍ଷ ଏହି ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରୁଛି। ଡ. ମହତାବ ଏହି ଐତିହାସିକ ଶିକ୍ଷାନୁଷ୍ଠାନକୁ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ସ୍ୱପ୍ନ ଦେଖିଥିଲେ।

ନିଜ ଟିକେଟ ବଞ୍ଚାଇବାକୁ ଜିଲ୍ଲାର ଶାସକ ଦଳର ବିଧାୟକମାନେ ମେଡିକାଲ କଲେଜ ସ୍ଥାପନ ଓ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପିତ ନ କରି ଯାଜପୁର ବିଧାୟକଙ୍କ ଶରଣ ପଶି ନିଜର ସ୍ୱାଭିମାନକୁ ବଳି ପକାଉଛନ୍ତି। ଏଥିରୁ ବୁଝା ପଡ଼ୁଛି ଭଦ୍ରକ ଜିଲ୍ଲାବାସୀଙ୍କ ଭାଗ୍ୟ ଯାଜପୁରରୁ ନିୟନ୍ତ୍ରିତ ହେଉଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ତେଣୁ ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି ପୂରଣ ନହେଲେ, କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଥିଲେ। ଯଦି ବିଶ୍ୱବିଦ୍ୟାଳୟ ଘୋଷଣା କରା ନ ଯାଏ ତେବେ ଆଗକୁ ହେବାକୁ ଥିବା ୭୫ ବର୍ଷ ପୂର୍ତ୍ତୀ ଉତ୍ସବରେ କୌଣସି ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଭଦ୍ରକରେ ପୁରାଇ ଦିଆଯିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ଅଶ୍ରଫ ଅଲ୍ଲୀ ଖାନ, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ର, ଛାତ୍ର ନେତା ସେକ୍ ସାହିଲ କାଦ୍ରୀ, କାଉନସିଲର ଏନାମୁଲ ହକ୍‌, ବିଜୟ ବାରିକ, ରଂଜନ ଯେନା, ଇଲ୍ଲିୟାସ ଅଲ୍ଲୀ ଖାନ, ସେକ ଫଇଜାନ ଅଲ୍ଲୀ, ସେକ୍ ସିରାଜୁଦ୍ଦିନ, ସୁଲେମାନ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.