Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ପୁଣି ବୈତରଣୀ ନଦୀକୁ ଧସିଲା ୨୦ନଂ ଏନଏଚ୍ ରାସ୍ତାର ନିର୍ମାଣାଧୀନ ସୁରକ୍ଷା ପ୍ରାଚେରୀ

ଲଗାଣ ବର୍ଷାରେ ପୁଣି ବୈତରଣୀ ନଦୀକୁ ଧସିଲା ୨୦ନଂ ଏନଏଚ୍ ରାସ୍ତାର ନିର୍ମାଣାଧୀନ ସୁରକ୍ଷା ପ୍ରାଚେରୀ

25

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ୪ଦିନ ହେବ ଲଗାଣ ବର୍ଷାରେ ଆରଡି ନିକଟସ୍ଥ ବୋଡକ ନିକଟରେ ବୈତରଣୀକୁ ପୁଣି ଧସିଲା ୨୦ନଂ ଜାତୀୟ ରାଜପଥର ନିର୍ମାଣଧୀନ ସୁରକ୍ଷା ପ୍ରାଚେରୀ। ଆଖଣ୍ଡଳମଣି କୁଆଖିଆକୁ ସଂଯୋଗ କରୁଥିବା ୨୦ ନଂ ଜାତୀୟ ରାଜପଥ ବୋଡକ ନିକଟରେ ବୈତରଣୀ ନଦୀବନ୍ଧ ସହ ସଂଯୋଗ କରି ଯାଇଥିବାରୁ ଗତ ୨ ମାସ ତଳେ ନଦୀରୁ ଜୁଆର ମାଡରେ ସୁରକ୍ଷା ବନ୍ଧ ସହ ଜାତୀୟ ରାଜପଥର ରାସ୍ତା ପାଖାପାଖି ୨ ଶହ ଫୁଟ ନଦୀକୁ ଧସିଯାଇଥିଲା। ଏହାର ଖୁବଶୀଘ୍ର ମରାମତି ନିମନ୍ତେ ଉଭୟ ଜଳସେଚନ ବିଭାଗ ଓ ଜାତୀୟ ରାଜପଥର ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ବୈଷୟିକ ଟିମ୍ ପଠାଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ହେଉଥିବା କାର୍ଯ୍ୟ ଆରମ୍ଭରୁ ନିମ୍ନମାନର ଯୋଗୁଁ ପ୍ରଥମେ ସୁରକ୍ଷା ପ୍ରାଚେରୀର ଫାଟ ଦେଖା ଦେବା ଏବେ ଲଗାଣ ବର୍ଷାରେ ନଦୀକୁ ଧସିଯାଇଛି ସୁରକ୍ଷା ପ୍ରାଚେରୀ। ଫଳରେ ଉଭୟ ଆଖଣ୍ଡଳମଣି ଓ କୁଆଖିଆ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହେବ ବୋଲି ଆଶଙ୍କା ଦେଖାଦେଇଛି।

ଏପରି କାର୍ଯ୍ୟ ପାଇଁ ଜାତୀୟ ରାଜପଥ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ। ଏପରିକି ୨ ଶହ ଫୁଟ ରାସ୍ତା କାମକୁ ଠିକ୍ ସମୟରେ ନକରି ବର୍ଷାଦିନରେ ତରବରିଆ ଭାବେ କରୁଥିବାରୁ ଏପରି ଘଟଣା ଘଟିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକ। ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପୀଠ ଠାରୁ କୁଆଖିଆ ଭାୟା ଯାଜପୁରକୁ ଯାଇଥିବା ୨୦ନଂ ଜାତୀୟ ରାଜପଥ ବୈତରଣୀ ନଦୀବନ୍ଧର ସୀମା ଦେଇ ଯାଇଥିବାରୁ ବୋଡକ ନିକଟରେ ବାରମ୍ବାର ଧସୁଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ ବିଭାଗ ପକ୍ଷରୁ। ଅନ୍ୟପଟେ ଜାତୀୟ ରାଜପଥ ବିଭାଗ ରାସ୍ତାକୁ ସଂପୂର୍ଣ୍ଣ ଖୋଲିଦେବା ସହ ଚିପ୍ସ, ବାଲି ଗଦା କରି ରଖିଥିବାରୁ ଯାତାୟତ ବିଲରେ ଏକ ଡ୍ରାଇଭରସନ ରୋଡ୍‌ରେ ହେଉଛି। ହେଲେ ଅତ୍ୟଧିକ ବର୍ଷାରେ ଅନେକ ସମୟରେ ଉକ୍ତ ରାସ୍ତା ବୁଡିଯାଉଥିବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଛି। ସାମ୍ଭାବ୍ୟ ବନ୍ୟା ଆସିବା ପୂର୍ବରୁ ଯଦି ରାସ୍ତା ମରାମତି କରାନଯାଏ, ତାହେଲେ ୨୦/୨୫ ଖଣ୍ଡ ଗାଁ ବନ୍ୟାପାଣିର ଜଳବନ୍ଦୀ ହୋଇ ରହିବ। ଏ ସଂପର୍କରେ ପାଣିକୋଇଲି ଅଧୀନସ୍ଥ ଏନଏଚ୍ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ଯୋଗାଯୋଗ କରିବାରୁ ବିଭାଗ ପକ୍ଷରୁ ନଦୀବନ୍ଧ ସହ ଏନଏଚ ରାସ୍ତା ସଂଯୋଗ କରିଥିବାରୁ ନଦୀକୂଳ ଲଙ୍ଘିବାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରାସ୍ତା ଧସୁଛି। ତେଣୁ ବର୍ଷା ଛାଡିବା ପରେ ଯାହା କିଛି କରାଯିବ। ଏପଟେ ସ୍ଥାନୀୟ ଲୋକଙ୍କ ସହ ପୂର୍ବତନ ଜିଲା ପରିଷଦ ସଭ୍ୟ ଅଜୟ ନାୟକଙ୍କ କହିବା ଅନୁଯାୟୀ ଜଳସେଚନ ବିଭାଗ ଓ ଏନଏଚ ବିଭାଗ ମଧ୍ୟରେ ତାଳମେଳ ନରହିବାରୁ ଏପରି ପରିସ୍ଥିତି ଉପୁଜିଛି। ଏଣୁ ଏଥିପ୍ରତି ଭଦ୍ରକ ଜିଲାପାଳ ଦୃଷ୍ଟି ଦେବା ସହ ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଉଭୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.